ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିବା ସହିତ ବଦଳିବାରେ ଲାଗିଛି ପ୍ରଶାସନିକ ବ୍ୟବସ୍ତା। ଆଉ ଆକ୍ସନ ମୋଡ଼ରେ ଅଛନ୍ତି ମୁଖ୍ୟମନ୍ତ୍ରୀ। ଏହି କ୍ରମରେ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ଯ୍ୟର ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ରାଜ୍ୟ ଅତିଥି ଭବନରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭେଟି ବିଭାଗୀୟ କାର୍ଯ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ଅବଗତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ବିକାଶ ଓ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ଦିଗରେ ବିଶେଷ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତେବେ ଏହି ବୈଠକରେ ଆଲୋଚନାରେ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଥିଲା। ଯାହାପରେ ଆଲୋଚନାରେ ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ, ବଜେଟ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ କାର୍ଯ୍ୟଳୟକୁ ଅଧିକ ସୁଦୃଢ କରିବା ସହିତ ସାମାଜିକ ଗଣମାଧ୍ୟମ, ତଥା ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି ।