ଭୁବନେଶ୍ବର: ଅମଳ ସମୟରେ ଅଦିନିଆ ବର୍ଷାରେ ହୋଇଥିବା ଫସଲହାନୀ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା ବୈଠକ କରିଛନ୍ତି । ଆସନ୍ତାକାଲି (ରବିବାର, 29 ଡିସେମ୍ବର) ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ଟୋଲ-ଫ୍ରୀ ନମ୍ବର ଓ ‘କୃଷି ରକ୍ଷକ’ ଆପ୍ଲିକେସନରେ ଆବେଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିବା ସହ ଅନ୍ୟ ଏକ ବଡ ସୂଚନା ମଧ୍ୟ ଦେଇଛନ୍ତି । ଫସଲ ବୀମାରେ ପଞ୍ଜୀକୃତ ହୋଇଥିବା ଓ ହୋଇନଥିବା ଚାଷୀଙ୍କୁ ଏହି କ୍ଷତିପୂରଣ ମିଳିବ । 30 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
- ଉପସ୍ଥିତ ଥିଲେ 4 ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଓ ଏହି 4 ବିଭାଗର ସଚିବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଗତକାଲି (ଶୁକ୍ରବାର) ସୁଦ୍ଧା ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ନେଇ 75 ହଜାର ଚାଷୀଙ୍କ ଅଭିଯୋଗ ଆସିଛି । ଜିଲ୍ଲା ପ୍ରଶାସନକୁ ଦେଇଥିବା କ୍ଷୟକ୍ଷତି ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ କିପରି ସହାୟତା ଦିଆଯିବ ସେ ସଂକ୍ରାନ୍ତରେ ଆଜିର ବୈଠକରେ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପ଼ଡିଛି ।
- 30 ତାରିଖ ସୁଦ୍ଧା ସଂପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ : ମୁଖ୍ୟମନ୍ତ୍ରୀ
ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ ଆସନ୍ତାକାଲି ସୁଦ୍ଧା ଅଦିନିଆ ବର୍ଷା କ୍ଷୟକ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ଆବେଦନ ପାଇଁ ଗଣମାଧ୍ୟମ ଜରିଆରେ ଅପିଲ କରୁଛୁ । ବୀମା କରିଥିବା ଏବଂ ନକରିଥିବା ଯେକୌଣସି ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ, ସେମାନଙ୍କୁ କ୍ଷତିପୂରଣ ମିଳିବ । 30 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବ । ବୀମା କରିଥିବା ଚାଷୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବେଦନ ପାଇଁ ବି ଅପିଲ କରୁଛୁ । ବୀମା କରିଥିବା ଏବଂ ନକରିଥିବା ଚାଷୀଙ୍କୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ‘ଡିବିଟି’ ଜରିଆରେ କ୍ଷତିପୂରଣ ଦିଆଯିବ । ଜଣେ ବି କେହି ଯେମିତି ବଞ୍ଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’’