ଓଡିଶା

odisha

ETV Bharat / state

ହବିଷ୍ୟାଳିଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଣ୍ଟିଲେ ବ୍ରତ ସାମଗ୍ରୀ, ବୁଝିଲେ ଦୁଃଖ

ପୁରୀରେ ହବିଷ୍ୟାଳିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ତ୍ତିକ ବ୍ରତ ପାଇଁ ସାମଗ୍ରୀ ପ୍ରଦାନ ସହ ଅସୁବିଧା ସମ୍ମୁଖୀନ ନହେବାକୁ ପ୍ରତିଶ୍ରୁତି ଦେଲେ ।

By ETV Bharat Odisha Team

Published : 5 hours ago

Updated : 4 hours ago

ଆପଣଙ୍କ ପାଇଁ ମୁଁ ଯତ୍ନବାନ
ଆପଣଙ୍କ ପାଇଁ ମୁଁ ଯତ୍ନବାନ (@MohanMOdisha)

ପୁରୀ: ଆଜି ହେଉଛି ଧର୍ମମାସ କାର୍ତ୍ତିକର ପ୍ରଥମ ସୋମବାର । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ଙ୍କୁ ବ୍ରତ ରାଇଦାମୋଦର ବ୍ରତ କରିବା ପାଇଁ ସରଞ୍ଜାମ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଶାଢୀ, ଚାଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି । ଏଥିସହ ମା’ ମାନଙ୍କର ପାଦ ଛୁଇଁ ପ୍ରଣାମ କରିବା ସହ ମା’ମାନଙ୍କର ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି(ରବିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ବୃନ୍ଦାବତୀ ନିବାସରେ ପହଞ୍ଚି ହବିଷ୍ୟାଳିଙ୍କୁ ଏପରି ସମ୍ମାନ ଜଣାଇଥିଲେ ।

‘ଆପଣଙ୍କ ପାଇଁ ମୁଁ ଯତ୍ନବାନ’:

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି’। ଆପଣ ମାନେ ସମସ୍ତେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ । ଏ ମାସ ସାରା ଆପଣ ମାନେ ଯେପରି ଖୁବ୍ ଭଲ ଭାବରେ ହବିଷ କରିବେ, ମହାପ୍ରଭୁଙ୍କ ଦର୍ଶନ କରିବେ, ମହାପ୍ରସାଦ ସେବନ କରିବେ, ଭଜନ କୀର୍ତ୍ତନ ଶୁଣିବେ ଓ ଖୁସି ମନରେ ଘରକୁ ଫେରିବେ, ସେଥିପ୍ରତି ଯତ୍ନବାନ ହେବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।’

ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

‘ଆପଣଙ୍କ ସମସ୍ୟା ଶୁଣି ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲି’:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ମା’ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆପଣମାନେ ଭଲରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ନିଜ ପରିବାର ତଥା ରାଜ୍ୟର ସମୃଦ୍ଧି ଓ ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ। ଓଡିଶା ବାହାରେ ଥିବା ସମୟରେ କିଛି ହବିଷ୍ୟାଳି ମା’ ମାନଙ୍କ ଅସୁବିଧା ସମ୍ପର୍କରେ ସୂଚନା ପାଇବା ପରେ ସେ ତୁରନ୍ତ ଏହାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲି । ସେ ସବୁର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ (@MohanMOdisha)

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହେବ:

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ କି, ‘ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି । ତେଣୁ ଏହିସବୁକୁ ଦୃଷ୍ଟିରେ ରଖି ଅନେକ ସଂସ୍କାର ଆଣିବାକୁ ପଡିବ । ସବୁଠାରୁ ବଡ ସୁଧାର ହେଉଛି କିପରି ଭାବେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିହେବ। ଏହି ସଂସ୍କାର ପାଇଁ ଆମ ସେବାୟତମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ, ମୁଁ ଯେପରିଭାବେ କହିଛି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନନ୍ୟ । ପୂରା ବର୍ଷରେ ବୋଧହୁଏ କାର୍ତ୍ତିକ ମାସରେ ସବୁଠାରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି । କାର୍ତ୍ତିକ ପୂର୍ଣ୍ଣମୀରେ ଅନୁଷ୍ଠିତ ହେଉଥିବା ସୁନା ବେଶ ଦିନ ବୋଧହୁଏ ମନ୍ଦିର ଭିତରେ ସବୁଠାରୁ ଅଧିକ ଭିଡ ହୋଇଥାଏ । ପ୍ରଭୁଙ୍କ କରୁଣାରୁ ସମସ୍ତ ଭକ୍ତ ଦର୍ଶନ କରନ୍ତି, ଏବଂ ଏଇଥର ମଧ୍ୟ ଆପଣମାନେ ସମସ୍ତେ ଶ୍ରୀଜିଉଙ୍କ ଭଲଭାବେ ଦର୍ଶନ କରିବେ ବୋଲି ମୋର ଆଶା ।’

ଆପଣଙ୍କ ପାଇଁ ମୁଁ ଯତ୍ନବାନ (@MohanMOdisha)

‘କାଳିଆ ଡୋରି ଲାଗିଲା ପୁରୀ ଆସିବାର ସୁଯୋଗ ମିଳିଲା’

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କାର୍ତ୍ତିକ ବ୍ରତର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ କି, ‘ଆମର ବିଶ୍ବାସ ଅଛି, କାଳିଆର ଡୋରି ନ ଲାଗିଲେ ଶ୍ରୀକ୍ଷେତ୍ର ଆସିବାର ସୁଯୋଗ ମିଳେନାହିଁ । ପବିତ୍ର କାର୍ତ୍ତିକ ମାସରେ ପବିତ୍ର ଜଗନ୍ନାଥ ଧାମରେ ଆଜି ଆସିବାର ସୁଯୋଗ ମିଳିଥିବାରୁ ମୁଁ ପ୍ରଭୁଙ୍କ ପାଖରେ କୃତକୃତ୍ୟ । ଆମ ଓଡିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସ ଏକ ପବିତ୍ର ଓ ଧାର୍ମିକ ମାସ ଭାବେ ଗଣା ଯାଏ । କାର୍ତ୍ତିକ ମାସ ପୂଣ୍ୟ ଅର୍ଜନର ମାସ ।

ଆପଣଙ୍କ ପାଇଁ ମୁଁ ଯତ୍ନବାନ (@MohanMOdisha)

କାର୍ତ୍ତିକ ବ୍ରତ ସହିତ ସମାନ ହେବ ନାହିଁ:

କାର୍ତ୍ତିକ ବ୍ରତର ମାହାତ୍ମ୍ୟ ସମ୍ପର୍କରେ କୁହାଯାଇଛି ଯେ ଯେତେ ଦର୍ଶନ, ଯେତେ ତୀର୍ଥ, ଯେତେ ଯାଗ ଯଜ୍ଞ ଇତ୍ୟାଦି ଅଛି ସେସବୁର ଧର୍ମକୁ ଠୁଳ କଲେ କାର୍ତ୍ତିକ ବ୍ରତ ସହିତ ସମାନ ହେବ ନାହିଁ । ଭଗବତ୍ ଗୀତାରେ ମଧ୍ୟ ଏ ବିଷୟରେ ବର୍ଣ୍ଣନା ଅଛି। ଶ୍ରୀକ୍ଷେତ୍ରରେ ଏହାର ସ୍ବତନ୍ତ୍ର ପାଳନ ବିଧି ରହିଛି। ଏହି ମାସରେ ଆମ ମା’ ଓ ମାଉସୀ ମାନେ ନିଷ୍ଠାର ସହ ପ୍ରତ୍ୟୁଷରୁ ସ୍ନାନ କରି ବ୍ରତ ପାଳନ ଓ ପୂଜା କରିଥାନ୍ତି। କାର୍ତ୍ତିକ ମାସ ସାରା ସେମାନେ ରାଇ ଦାମୋଦରଙ୍କ ପୂଜା, ତୁଳସୀ ଚଉରା ପୂଜା ସହ ହବିଷ ପାଳନ କରିଥାନ୍ତି । କାର୍ତ୍ତକ ମାସରେ ବିଷ୍ଣୁଙ୍କର ପ୍ରଧାନ ଆରଧନା ହେଉଛି ରାଇଦାମୋଦର ବ୍ରତ ।

‘ଆମ ସରକାର ସବୁ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରୁଛି’:

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ଆପଣଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ଭାବେ ବୃନ୍ଦାବତୀ ନିବାସ ନାମରେ ଏକ ହବିଷ୍ୟାଳି ଭବନ କରାଯାଇଛି । ଚଳିତ ବର୍ଷ ବୃନ୍ଦାବତୀ ଭବନ ସହିତ ଅନ୍ୟ ତିନୋଟି କେନ୍ଦ୍ର ଯଥା – ଅକ୍ଷୟ ପାତ୍ର ପାଉଣ୍ଡେସନ, ବଗଲା ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ ମାନଙ୍କୁ ରଖାଯାଇଛି । ପୁରୀ ଜିଲ୍ଲା ପ୍ରଶାସନକୁ ମା’ ମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ଜଗନ୍ନାଥଙ୍କ କୃପାରୁ ଆମ ସରକାର ରାଜ୍ୟର ସମସ୍ତ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରୁଛି ।’

ଏହା ମଧ୍ୟ ପଢନ୍ତୁ:

ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳି ହଇରାଣ ନେଇ ତେଜିଲା ରାଜନୀତି, ବିଜେଡିକୁ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ

ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ, କିଏ ଖୁସି ତ କିଏ ଅସନ୍ତୋଷ

କାଲିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳୀଙ୍କ ଧାରଣା, ମନ୍ତ୍ରୀ କହିଲେ ସବୁ ସୁବିଧା ହୋଇଛି

ଶେଷ ଇଚ୍ଛା ଥିଲା ଜଗା ଦର୍ଶନ, ଷ୍ଟ୍ରେଚରରେ ଶୋଇ ସିଂହଦ୍ବାର ଆସିଲେ ବୃଦ୍ଧ

ବିଭିନ୍ନ ଯୋଜନା ବିଷୟରେ କହିଲେ ମୁଖ୍ୟମନ୍ତ୍ରୀ:

ବିଭିନ୍ନ ବର୍ଗର କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଏହି ଅବସରରେ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ଚାଷୀମାନଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏବଂ ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ ନିୟମିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ‘ଏ ସରକାର ଲୋକଙ୍କ ସରକାର, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କର ସେବକ। ଏହି ସେବା ମନୋଭାବକୁ ଆପଣମାନେ ଆଶୀର୍ବାଦ ଦେବେ ।’

କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀ ସାଂସଦ ଡ. ସମ୍ବିତ ପାତ୍ରକହିଛନ୍ତି, ‘ନାରୀର ଜୀବନ ସାଧାରଣ ନୁହେଁ। ନାରୀମାନେ ତାଙ୍କ ଜୀବନ କାଳ ମଧ୍ୟରେ ପରିବାର ପାଇଁ, ସମାଜ ପାଇଁ ଅନେକ ତ୍ୟାଗ କରିଥାନ୍ତି। ମହାପ୍ରଭୁଙ୍କ ନିକଟରେ ଆପଣମାନେ ରାଜ୍ୟବାସୀଙ୍କ କଲ୍ୟାଣ କାମନା କରନ୍ତୁ ।’ ଏଥିସହ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନିଲ ମହାନ୍ତି ଯୋଗଦେଇଥିଲେ । ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

Last Updated : 4 hours ago

ABOUT THE AUTHOR

...view details