ହାଇଦ୍ରାବାଦ: ସାରା ବିଶ୍ୱରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ରଙ୍ଗଶୁର' । ଏହି ଫିଲ୍ମଟି ଓଡ଼ିଶାର ପରମ୍ପରା, ଲୋକକଳାକୁ ନେଇ ନିର୍ମିତ ହୋଇଥିବା ବେଳେ ରାଜ୍ୟର ହଲରେ ପ୍ରଥମ ଦିନରେ ଶୋ ହାଉସଫୁଲ ରହିଥିଲା । ଦର୍ଶକଙ୍କ ଠାରୁ ଅନେକ ସିନେ କଳାକାର ଫିଲ୍ମକୁ ଦେଖିଥିବା ବେଳେ ଫିଲ୍ମର କାହାଣୀ ଏବଂ ସୂର୍ଯ୍ୟମୟୀ ସମେତ ସମସ୍ତ କଳାକାରଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ଏଥିସହ ନିର୍ଦ୍ଦେଶକ ପ୍ରତାପ ରାଉତଙ୍କ ମଧ୍ୟ ପ୍ରଶଂସା କରିଛନ୍ତି ।
ଫିଲ୍ମକୁ ପ୍ରଶଂସାରେ ପୋତିଲେ କଳାକାର
ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ ଜଣାଶୁଣା ନିର୍ଦ୍ଦେଶକ ତାପସ ସରଗରିଆ କହିଛନ୍ତି, 'ବହୁତ ସୁନ୍ଦର ସିନେମା । ନୂଆବର୍ଷରେ ଏକ ଭିନ୍ନ ସ୍ୱାଦର ସିନେମା ଆସିଛି । ଯାହା ଲୋକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶା କରୁଛି । ନିର୍ଦ୍ଦେଶକଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିଲେ ହେଁ ଫିଲ୍ମରେ କୌଣସି ଜିନିଷ କମ କରିନାହାନ୍ତି । ଫିଲ୍ମରେ ଯାହା ଶିକ୍ଷଣୀୟ ବାର୍ତ୍ତା ଅଛି ମୋ ମତରେ ମଧ୍ୟ ତାହା ଠିକ । ମହିଳା, ପୁରୁଷ ଅଲଗା ନୁହନ୍ତି ସମସ୍ତେ ସମାନ, ସମସ୍ତେ ସବୁ କାମ କରିପାରିବେ ।'' ସେହିପରି ନିର୍ଦ୍ଦେଶକ ଲୁବୁନ ଫିଲ୍ମକୁ ନେଇ କହିଛନ୍ତି, 'ଆଜିର ଯୁବପୀଢି ଏହି ଫିଲ୍ମ ଦେଖିବା ଦରକାର । ଏହି ଫିଲ୍ମ ଜରିଆରେ ସେମାନେ ଆମ ଲୁକ୍କାୟିତ ହୋଇଥିବା ଓଡ଼ିଆ ସଂସ୍କୃତି ବିଷୟରେ ଜାଣିପାରିବେ ।'
ସରକରାଙ୍କୁ ଏହି ଫିଲ୍ମ ଦେଖିବାକୁ ଅନୁରୋଧ କଲେ ସମରେଶ
ସେପଟେ ଅଭିନେତ୍ରୀ ସୂର୍ଯ୍ୟମୟୀ କହିଛନ୍ତି, 'ଫିଲ୍ମରେ ବାଘନାଚର ପରମ୍ପରା ସହ ନାରୀର ସଂଘର୍ଷ ସହନଶୀଳତା ଓ ସଶକ୍ତିକରଣର ବାର୍ତ୍ତା ରହିଛି । ଏଥିରେ ପୁଅ ଝିଅର ସମାନତା, ସ୍ୱାଧୀନତା ସହ ଶିକ୍ଷା ଓପରିବେଶ ପ୍ରତି ସଚେତନତା ଉପରେ କୁହାଯାଇଛି । ଯାହା ଏହା ଲୋକମାନଙ୍କୁ ଭଲ ଲାଗିବ ।'' ସେପଟେ ଅଭିନେତା ସମରେଶ ରାଉତରାୟ କହିଛନ୍ତି, ''ଏହି ସିନେମାର ମୂଳ ଆଧାର ବାଘନାଚ ରହିଥିବା ବେଳେ ଅନେକ ନୂଆ କଥାକୁ ପ୍ରଯୋଜକ ଓ ନିର୍ଦ୍ଦେଶକ ଦେଖାଇଛନ୍ତି । ଲୋକଙ୍କ ଅଭିଯୋଗ ମୁତାବିକ ମୌଳିକ କାହାଣୀଟିଏ ନିଆଯାଇଛି । ତେଣୁ ମୁଁ ଅନୁରୋଧ କରିବି କି ଲୋକମାନେ ଆସନ୍ତୁ ଓ ଭିନ୍ନ ସ୍ୱାଦର ଏ ସିନେମା ଦେଖନ୍ତୁ । ଏହାସସହ ସରକାରଙ୍କୁ ମଧ୍ୟ ଅନୁରୋଧ କରିବି ଓଡିଶା ମାଟି, ଲୋକକଳାର କାହାଣୀ ଦେଖନ୍ତୁ ଓ ସିନେମାକୁ ପ୍ରୋତ୍ସାହିତ କରନ୍ତୁ । ଏହାଦ୍ୱାରା ନିଶ୍ଚୟ ଆମ ଶିଳ୍ପର ବିକାଶ ହେବ ।''
'ରଙ୍ଗଶୁର' ଫିଲ୍ମ ଷ୍ଟାରକାଷ୍ଟ
ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ଏହି ବିଗ ବଜେଟ ଫିଲ୍ମ ନିର୍ମିତ । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ପ୍ରତାପ ରାଉତ । ସେ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି । ଉମଙ୍ଗ, ହିମାଂଶୁ ଏବଂ ଶତ୍ରୁ ଏହାକୁ ଲେଖିଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ଏହି ଚଳଚ୍ଚିତ୍ରରେ ଓଲିଉଡ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ୱିତ ଏବଂ ଶୁଭଶ୍ରୀ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି ।
'ରଙ୍ଗଶୁର' ଫିଲ୍ମର କାହାଣୀ
'ରଙ୍ଗଶୁର' ଚଳଚ୍ଚିତ୍ର ଯାହା ଆମ ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକ କଳା ନୃତ୍ୟ ବାଘ ନାଚକୁ ନେଇ ଆସୁଛି । ବାଘ ନାଚ ଯାହା ସମାଜ ପ୍ରତି ଏକ ସୁପ୍ରଭାବ ପକାଉଥିଲା । ଏବେ ପ୍ରାୟ ବିଲୁପ୍ତ । ସେହି ବିଲୁପ୍ତ ବାଘ ନାଚ ଉପରେ ଆଧାରିତ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହେଉଥିବା ବେଳେ ମୁଖ୍ୟ ଚରିତ୍ର ବାପା ଏବଂ ଝିଅକୁ ନେଇ ଚିତ୍ରିତ ହୋଇଛି । ସେମାନେ ବାଘ ନାଚ କଳାକୁ କେମିତି ପୁନଃଉଦ୍ଧାର କରିପାରିବେ ସେମିତି ଏକ କାହାଣୀକୁ ନେଇ ଚଳଚ୍ଚିତ୍ର ରଙ୍ଗ-ଶୁର । ବେଶ ସୁନ୍ଦର ଭାବେ ବାଘ ବେଶଧାରୀ ସୂର୍ଯ୍ୟମୟୀଙ୍କୁ ବାଘ ନୃତ୍ୟ ଚମତ୍କାର ଭାବେ କରୁଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ: କ୍ୟାମେରା ଓ କଣ୍ଟେଣ୍ଟ ସାଜିଛି ନାୟକ, ନିଆରା କାହାଣୀକୁ ନେଇ ରିଲିଜ ଓଡ଼ିଆ ଫିଲ୍ମ 'ବଇଦ'
'ରଙ୍ଗଶୁର' ଫିଲ୍ମ ଦେଉଛି ଏହି ଶିକ୍ଷଣୀୟ ବାର୍ତ୍ତା
ଜଙ୍ଗଲ, ବନ୍ୟ ଲୋପ ପାଉଥିବା ବେଳେ ବ୍ୟାଘ୍ର ବଂଶ ମଧ୍ୟ ଲୋପ ପାଇଛି । ଯାହାକୁ 'ରଙ୍ଗଶୁର' ଫିଲ୍ମରେ ଦର୍ଶାଯାଇଥିବା ବେଳେ ଜଙ୍ଗଲ, ବାଘ ସୁରକ୍ଷାକୁ ନେଇ ଏହି ଫିଲ୍ମରେ ଏକ ଶିକ୍ଷଣୀୟ ବାର୍ତ୍ତା ରହିଛି । କେବଳ ଏତିକି ନୁହେଁ ଜଣେ ପୁରୁଷ ନୁହଁ ଜଣେ ମହିଳା ମଧ୍ୟ ନିଜ ପରମ୍ପରାକୁ ଆଗକୁ ବଢାଇପାରିବ । ଝିଅମାନେ ମଧ୍ୟ ଏହି ନାଚ କରିପାରିବେ । ତାହା ମଧ୍ୟ ଏଥିରେ ବାର୍ତ୍ତା ଦିଆଯାଇଛି । ଆମେ ସବୁବେଳେ ପୁରୁଷଙ୍କୁ ବାଘ ନାଚ କରିଆସୁଥିବାର ଦେଖି ଆସିଛୁ । ହେଲେ ଏହି ଫିଲ୍ମରେ ଏହି ଧାରାକୁ ଭାଙ୍ଗି ଜଣେ ଝିଅ ନିଜ ପରମ୍ପରାକୁ ବଜାୟ ରଖିଛି କିପରି ତାହା ଦର୍ଶାଯାଇଛି । ଯାହାକୁ ଲୋକେ ପସନ୍ଦ କରିବେ ବୋଲି କହିଛନ୍ତି ନିର୍ମାତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ