ପୁରୀ:ଶହେ ଦିନ ପୂରଣ କରିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଜେପି ସରକାର । ଦୀର୍ଘ 24 ବର୍ଷ ପରେ ରାଜ୍ୟରେ ସରକାର ଗଠନ କରିଛି ‘ଭାରତୀୟ ଜନତା ପାର୍ଟି’ । ଶ୍ରୀକ୍ଷେତ୍ର ଶରଧାବାଲିରେ ସରକାରର ଶତ ଦିବସ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଦଳର ସମସ୍ତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ହୋଇଛନ୍ତି । ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଓ ଶହେ ଦିନ ମଧ୍ୟରେ ପୂରଣ କରିଥିବା ରିପୋର୍ଟ କାର୍ଡ ଜନତାଙ୍କ ସାମ୍ନାରେ ରଖିଛି ।
ଶହେ ଦିନର ରିପୋର୍ଟ କାର୍ଡ:
ପ୍ରଥମେ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଏବଂ ବିଜେପି ନେତାମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରେ ଶରଧାବାଲି ସଭାମଞ୍ଚରେ ପହଞ୍ଚିଛନ୍ତି । ଆଜି ପ୍ରଥମେ ପୁରୀରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପରେ ସମସ୍ତ ଜିଲ୍ଲାସ୍ତରରେ ମଧ୍ୟ ଏହି ଶହେ ଦିନ ପୂର୍ତ୍ତି ଉତ୍ସବ ପାଳନ ହେବ । ଏନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ‘‘ବିଜେପି ସରକାର ଯାହା କହେ ତାହା କରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ବାର୍ତ୍ତାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବ ବିଜେପି । ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ ବିଜେପି ବଦ୍ଧପରିକର ବୋଲି ଓଡ଼ିଶାବାସୀଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବ ବିଜେପି ।’’
- ପୁରୀରେ ସେଲିବ୍ରେସନ :
ଉତ୍ସବ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶରଧାବାଲିରେ ୧୫ ରୁ ୨୦ ହଜାର ବିଜେପି କର୍ମୀ ଏବଂ ନେତା ଯୋଗ ଦେଇଛନ୍ତି । ସେହିପରି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ ପୋଲିସ ପକ୍ଷରୁ କରାଯାଇଛି । ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତିଥିମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ଭିଡ଼ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ ମୋଟ ୪୦ ପ୍ଲାଟୁନ ଫୋର୍ସ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ ।
- ଶପଥ ଗ୍ରହଣ ପରେ ପୁରୀ ଯାଇଥିଲା ନୂଆ ମନ୍ତ୍ରିମଣ୍ଡଳ: