କୋରାପୁଟ:ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ଉତ୍କଟ ସମସ୍ୟା ଭାବରେ ଉଭା ହୋଇଛି । ଏଥିପାଇଁ ପାଣିପାଗ ଓ ଋତୁଚକ୍ର ମଧ୍ୟରେ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି । ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି । ତେବେ ଏହି ଜଳବାୟୁ ପରିବର୍ତ୍ତନ କଫି ଚାଷ ଉପରେ ମଧ୍ୟ ପ୍ରଭାବ ପକାଇଛି । ସାରା ବିଶ୍ବରେ କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ିଥିବା ବେଳେ କୋରାପୁଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି କଫି ଚାଷୀ ।
କଫି ଚାଷ ଆଗେଇ ଚାଲିଛି କୋରାପୁଟ ଜିଲ୍ଲା । କୋରାପୁଟରେ ଜଳବାୟୁ, ମୃତ୍ତିକା ତଥା ଭୂଭାଗ କଫି ଚାଷ ନିମନ୍ତେ ଅତ୍ୟନ୍ତ ଅନୁକୂଳ ଥିବା ବେଳେ ଗତ କିଛି ବର୍ଷ ଧରି ବିଶ୍ବବ୍ୟାପୀ ଜଳବାୟୁର ପରିବର୍ତ୍ତନ ଫଳରେ କୋରାପୁଟର ପାଣିପାଗରେ ମଧ୍ୟ ଫରକ୍ ପରିଲକ୍ଷିତ ହୋଇଛି । ପ୍ରତିବର୍ଷ ଅକ୍ଟୋବର ଶେଷ ସପ୍ତାହ ଆଡ଼କୁ ବର୍ଷା ଛାଡି ଯାଇ ଶୀତ ଆସିବା ପୂର୍ବରୁ ଖରା ପଡ଼ିବା ଦ୍ଵାରା କଫି ଫଳ ପାଚିବାରେ ସହାୟକ ହୋଇଥାଏ ।
କିନ୍ତୁ ଗତ ବର୍ଷ କୋରାପୁଟ ଅଞ୍ଚଳରେ ହୋଇଥିବା ଅନିୟମିତ ବୃଷ୍ଟିପାତ ଯୋଗୁଁ ଚଳିତ ବର୍ଷ କଫି ଚାଷ ବିଶେଷ ପ୍ରଭାବିତ ହୋଇଥିବା କହିଛନ୍ତି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଛୋଟାଗୁଡା ସ୍ଥିତ ବ୍ରାଉନ ଭେଲି କଫି ବଗିଚାର କଫି ଉଦ୍ୟୋଗୀ ସୁଜୟ ପ୍ରଧାନ । ସେପଟେ ଏହି କାରଣରୁ ଶତକଡା ୩୦ରୁ ୪୦ ଭାଗ କଫି ଉତ୍ପାଦ ହ୍ରାସ ପାଇଥିବା ରାଜୁଗୁଡା ସ୍ଥିତ ସପ୍ତଗିରି କଫି ବଗିଚାର ଉଦ୍ୟୋଗୀ ଶୁଶାନ୍ତ ପଣ୍ଡା କହିଛନ୍ତି ।