ଭୁବନେଶ୍ବର:ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ । ରଥଯାତ୍ରାରେ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ ପାଇ ଭିଡ଼ ନିୟନ୍ତ୍ରଣଠୁ ପାଣି ବଣ୍ଟନ ଓ ପାଣି ସିଞ୍ଚନ ଭଳି ଆଶୁ ଚିକିତ୍ସା ଭଳି ସେବା ଯୋଗାଇବାକୁ ତୟାର ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମାନଙ୍କୁ ସରକାର ଦେଉଛନ୍ତି ଦୈନିକ ମାତ୍ର 31 ଟଙ୍କା ଭତ୍ତା । ଯେଉଁଠି ଅନ୍ୟ ରାଜ୍ୟରେ ମିଳୁଛି 732ଟଙ୍କା ଭଳି ସହାୟତା । ଅସମ୍ଭାଳ ଭିଡ଼ ଭିତରେ ପୁରୀର ସ୍ଥାନେ ସ୍ଥାନେ ଏମାନେ ସଜାଗ ଥାଆନ୍ତି। କେତେବେଳେ ହାତରେ ଷ୍ଟ୍ରେଚର ଧରି କେଉଁ ବେହୋସ ଲୋକକୁ ମେଡିକାଲ ଟ୍ରିଟମେଣ୍ଟ ପାଇଁ ବୋହି ନିଅନ୍ତି । ନଚେତ ଅସମ୍ଭାଳ ଭିତରେ କେଉଁଠି ଟ୍ରାଫିକ ନିୟନ୍ତ୍ରଣଠୁ ଆରମ୍ଭ କରି ଦୁଃସାହସିକ କାମରେ ନିୟୋଜିତ ଥାଆନ୍ତି ।
ଜଳ ସିଞ୍ଚନ ଓ ଆହତ ଲୋକକୁ ଆଶୁ ଚିକିତ୍ସା ଭଳି ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସହଯୋଗ କରିବା ଭଳି ଆହତ ବ୍ୟକ୍ତିକୁ ତୁରନ୍ତ ଆମ୍ବୁଲାନ୍ସ ସେବା ଯୋଗାଇଥାନ୍ତି । ସମୁଦ୍ର କୂଳରେ ଲୋକଙ୍କ ଉପରେ ନଜର ରଖିଥାନ୍ତି । ଏହାସହ ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧାଙ୍କୁ କାନ୍ଧରେ ବୋହି ନେଇ ଦର୍ଶନରେ ସାହଯୋଗ କରନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ସମସ୍ତ ରାଜ୍ୟରେ ପରିଚାଳିତ ଏହି ସେବାର ରହିଛି ସୁବିଧା। ଅଗ୍ନିଶମ ଓ ଜିଲ୍ଲା ପ୍ରଶାସନ ,ଏନଡିଆରଏଫ୍ ଭଳି ପୋଲିସକୁ ସହଯୋଗ କରିଥାନ୍ତି । ରଥଯାତ୍ରା ହେଉ ବା ଦୁର୍ଘଟଣା ଅବା ବିପର୍ଯ୍ୟୟ ସ୍ଥିତି । ଭିଡ଼ ଭିତରେ ଏମାନେ ସର୍ବଦା ସହଯୋଗ କରିଆସିଥାନ୍ତି । ରଥଯାତ୍ରାର ଭିଡ଼ରୁ ଆରମ୍ଭ କରି ବାହାନଗା ଟ୍ରେନ ଦୁର୍ଘଟଣା ଭଳି ବା ବମିଖାଲ ବ୍ରିଜ ଭୁଷୁଡିବା ଭଳି ସ୍ଥିତିରେ ଏହି ଟିମ୍ ସହାୟତାର ହାତ ବଢାନ୍ତି ।
ସୂଚନା ଅନୁସାରେ, 1999 ମସିହା ବାତ୍ୟା ପରଠୁ ଓଡି଼ଶାରେ କାର୍ଯ୍ୟ କରି ଆସୁଛି ସିଭିଲ ଡିଫେନ୍ସ । ହେଲେ ସିଭିଲ ଡିଫେନ୍ସର ଭଲ୍ୟୁଣ୍ଟର ଏବେ ଅବହେଳିତ ଅବସ୍ଥାରେ । କାରଣ ନା ସେମାନଙ୍କୁ ଉଚିତ ପାରିଶ୍ରମିକ ମିଳୁଛି ନା ଏନେଇ ସରକାର ଗୁରୁତ୍ବ ଦେଉଛନ୍ତି। ବେସାମରିକ ସ୍ବେଚ୍ଛାସେବୀ ବାହିନୀ ବା ସିଭିଲ ଡିଫେନ୍ସର ଭତ୍ତା ଏବେ ମାତ୍ର 31ଟଙ୍କା । ହେଲେ ସିଭିଲ ଡିଫେନ୍ସ ପାଇଁ ଦିଲ୍ଲୀରେ 732ଟଙ୍କା, ରାଜସ୍ଥାନରେ 590ଟଙ୍କା, ପଶ୍ଚିମବଙ୍ଗରେ 565ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ମିଳିଥାଏ । ଓଡ଼ିଶାରେ କିନ୍ତୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ପୂର୍ବରୁ ବିରୋଧୀ ଦଳରେ ଥିବାବେଳେ ସରକାରଙ୍କୁ ଅବଗତ କରିଥିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ଯିଏକି ବର୍ତ୍ତମାନ ମନ୍ତ୍ରୀ ହୋଇଛନ୍ତି । ହେଲେ ପୁରୁଣା ସରକାରରେ କୌଣସି ପରିବର୍ତ୍ତନ ନ ହେବା ପରେ ଏବେ ନୂଆ ସରକାରରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ସିଭିଲ ଡିଫେନ୍ସର ସ୍ବେଚ୍ଛାସେବୀ । ଦେନିକ ଖର୍ଚ୍ଚ ବୃଦ୍ଧି ହେଲେ ସେବା ଯୋଗାଇବାରେ ମନୋବଳ ଦୃଢ଼ ହେବ ବୋଲି ସେମାନେ ଆଶା ରଖିଛନ୍ତି ।