ଓଡିଶା

odisha

ETV Bharat / state

୫ ବର୍ଷରେ କେବିକେରେ ୧୪ ଶହରୁ ଅଧିକ ବାଲ୍ୟ ବିବାହ, ଆଗରେ ମାଲକାନଗିରି - ମାଲକାନଗିରିରେ ସର୍ବାଧିକ ବାଲ୍ୟ ବିବାହ

Child Marriage: ୫ ବର୍ଷରେ ରାଜ୍ୟର କେବିକେ ଜିଲ୍ଲାଗୁଡିକରେ ହୋଇଛି 1400ରୁ ଅଧିକ ବାଲ୍ୟ ବିବାହ । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବାଲ୍ୟ ବିବାହ ହୋଇଛି । ଅଧିକ ପଢନ୍ତୁ

Child Marriage
୧୪ ଶହରୁ ଅଧିକ ବାଲ୍ୟ ବିବାହ

By ETV Bharat Odisha Team

Published : Feb 10, 2024, 8:19 AM IST

ଭୁବନେଶ୍ୱର: ବାଲ୍ୟ ବିବାହ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଏହାର ସଫଳ ରୂପାୟନ ହେଉନଥିବାରୁ ଆଜି ମଧ୍ୟ ବାଲ୍ୟ ବିବାହ ହେଉଛି । ତେବେ ଓଡିଶାର କେବିକେ ଜିଲ୍ଲାଗୁଡିକରୁ ଆସିଥିବା ରିପୋର୍ଟରୁ ଏହା ପ୍ରମାଣିତ ହୋଇଛି । ଗତ ୫ ବର୍ଷରେ ରାଜ୍ୟର କେବିକେ ଜିଲ୍ଲାଗୁଡିକରେ ୧୪ ଶହରୁ ଅଧିକ ବାଲ୍ୟ ବିବାହ ହୋଇଛି । ବାଲ୍ୟ ବିବାହ କରିଥିବା ଝିଅମାନଙ୍କ ବୟସ ୧୮ ବର୍ଷରୁ କମ ହୋଇଥିବା ବେଳେ ସର୍ବାଧିକ ବାଲ୍ୟ ବିବାହ ମାଲକାନଗିରି ଜିଲ୍ଲାରେ ଘଟିଛି ।

ତେବେ କେବିକେ ଜିଲ୍ଲାରେ ବାଲ୍ୟ ବିବାହକୁ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ । ସୌମ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ । ମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ କେବିକେ ଜିଲ୍ଲାରେ ମୋଟ ୧୪୧୭ଟି ବାଲ୍ୟ ବିହାହ ହୋଇଛି । ଏହା ୫ଟି ଜିଲ୍ଲାରେ ଘଟିଛି । ତେବେ ସର୍ବାଧିକ ୫୮୦ଟି ବାଲ୍ୟ ବିବାହ ମାଲକାନଗିରି ଜିଲ୍ଲାରେ ହୋଇଛି । ନବରଙ୍ଗପୁର ଜିଲ୍ଲାରେ ଏହି ସଂଖ୍ୟା ୪୧୫ ରହିଛି । କୋରାପୁଟରେ ୩୮୯, ବଲାଙ୍ଗୀରରେ ୨୧ ଓ ସୋନପୁରରେ ୧୨ଟି ବାଲ୍ୟ ବିବାହ ହୋଇଛି । ତେବେ କଳାହାଣ୍ଡି, ନୂଆପଡା ଓ ରାୟଗଡା ଜିଲ୍ଲାରେ କୌଣସି ବାଲ୍ୟ ବିବାହ ହୋଇନାହିଁ ।

ସେହିଭଳି କେବିକେ ସମେତ ଜନଜାତି ବହୁଳ ୧୬ଟି ଜିଲ୍ଲାରେ ମହିଳା ଓ ବାଳିକାମାନଙ୍କ ରକ୍ତହୀନତା ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ,୧୫ରୁ ୪୯ ବର୍ଷ ବୟସର ମହିଳାମାନଙ୍କ ରକ୍ତହୀନତା କ୍ଷେତ୍ରରେ ସବୁଠାରୁ ଆଗର ରହିଛି ମୟୂରଭଞ୍ଜ । ଏଠାରେ ୭୩ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି । ଦେବଗଡ ଓ ମାଲକାନଗିରି ଜିଲ୍ଲାରେ ପ୍ରାୟ ୭୨ ପ୍ରତିଶତ ରହିଛି । କନ୍ଧମାଳ ଜିଲ୍ଲାରେ ରକ୍ତହୀନତାର ହାର ୫୦ ପ୍ରତିଶତ ତଳେ ରହିଛି । ଅନ୍ୟ ୧୫ଟି ଜିଲ୍ଲାରେ ଏହା ୬୦ରୁ ୭୦ ପ୍ରତିଶତ ମଧ୍ୟରେ ରହିଛି । ସେହିଭଳି କେବିକେ ସହିତ ମୋଟ ୧୬ଟି ଜିଲ୍ଲାରେ କମ ଓଜନର ଶିଶୁ ମଧ୍ୟ ରହିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୪୬.୬ ପ୍ରତିଶତ ଶିଶୁ କମ ଓଜନର ଅଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଏହା ୪୧ ପ୍ରତିଶତରୁ ଅଧିକ ରହିଛି । ସବୁଠାରୁ କମ ମାତ୍ର ୧୧ ପ୍ରତିଶତ ଶିଶୁ କନ୍ଧମାଳ ଜିଲ୍ଲାରେ ଥିବାବେଳେ ରାୟଗଡାରେ ଏହା ୧୧.୩ ପ୍ରତିଶତ ରହିଛି ।

ଏହା ମଧ୍ୟ ପଢନ୍ତୁ-ସାବାସ୍‌ ପ୍ରାର୍ଥନା, ବାଟ ହୁଡୁଥିବା ସମାଜକୁ ଦିଗଦର୍ଶନ ଦେଖାଇ ସାଜିଛନ୍ତି ଉଦାହରଣ

ମୟୂରଭଞ୍ଜ ଓ ମାଲକାନଗିରିରେ ହାର ୨୦ ପ୍ରତିଶତ ତଳେ ରହିଛି । ଅନ୍ୟ ପ୍ରାୟ ସବୁ ଜିଲ୍ଲାରେ ଏହା ୩୦ ପ୍ରତିଶତ ଏବଂ ଏହାଠାରୁ ଅଧିକ ରହିଛି । କେବଳ କମ୍ ଓଜନର ଶିଶୁ ନୁହନ୍ତି, ବିଭିନ୍ନ କାରଣରୁ ଏହି ସବୁ ଜିଲ୍ଲାରେ କମ ଉଚ୍ଚତା ଓ ଦୁର୍ବଳ ଶରୀରର ଶିଶୁ ମଧ୍ୟ ରହିଛନ୍ତି । ମାଲକାନଗିରି ଜିଲ୍ଲାରେ ୪୪ ପ୍ରତିଶତରୁ ଅଧିକ ଶିଶୁ ବୟସ ତୁଳନାରେ କମ ଉଚ୍ଚତାର ହୋଇଛନ୍ତି । ମୟୂରଭଞ୍ଜରେ ୨୮ ପ୍ରତିଶତରୁ ଅଧିକ ଶିଶୁ ବୟସ ତୁଳନାରେ ଦୁର୍ବଳ ଶରୀରର ଅଟନ୍ତି । ତେବେ ବଲାଙ୍ଗୀର, ଦେବଗଡ, କନ୍ଧମାଳ ଜିଲ୍ଲାରେ ୧୨ ପ୍ରତିଶତରୁ ଅଧିକ ଶିଶୁ ବୟସ ତୁଳନାରେ ଅତିଶୟ ଦୁର୍ବଳ ଶରୀରର ହୋଇଥିବା ବେଳେ ସୋନପୁରରେ ଏହା ୧୧.୭ ଓ ମୟୂରଭଞ୍ଜରେ ୧୦.୪ ପ୍ରତିଶତ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details