ଭୁବନେଶ୍ୱର:ସାମୁହିକ ଦାୟିତ୍ୱ ସହ କାର୍ଯ୍ୟ କଲେ ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ ହେବ । ସବୁ ଆହ୍ୱାନର ମୁକାବିଲା କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ସଫଳତା ହାସଲ କରିବା । ଲୋକସେବା ଭବନରେ ଆଜି ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରି ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
'ପ୍ରତିଶ୍ରୁତି ପୂରଣ କରିଛି ସରକାର'
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି(ବୁଧବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗତ ଛଅରୁ ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି । ଅଧିକାରୀମାନଙ୍କ ସହଯୋଗରେ ବିଭିନ୍ନ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ କରାଯାଇଛି ।"
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମ ପାଖରେ ଅନେକ ଆହ୍ୱାନ ରହିଛି । ସୁଯୋଗ ମଧ୍ୟ ରହିଛି । ସାମୁହିକ ଦାୟିତ୍ୱ ନେଇ ସବୁ ଆହ୍ୱାନର ମୁକାବିଲା କରିପାରିଲେ ସମସ୍ତ କାର୍ଯ୍ୟ ସଫଳତାର ସହ କରାଯାଇ ପାରିବ । ଓଡିଶାରେ ନୌସେନା ଦିବସ, ଡିଜିପି ସମ୍ମିଳନୀ ଆଦି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ପାଳନ କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ପାଳନ କାର୍ଯ୍ୟକ୍ରମକୁ ଆଗକୁ ରହିଛି । ଏହାକୁ ସଫଳତାର ସହ ଆୟୋଜନ କରିବାକୁ ପଡିବ । ଏହା ଦ୍ଵାରା ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ମର୍ଯ୍ୟାଦା ପ୍ରତିଷ୍ଠିତ ହେବ । ଏଥିପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ।"
'ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ରହିଛି ଫୋକସ୍'
ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଫୋକସ ରହିଛି । ଗତ ଛଅ ମାସ ମଧ୍ୟରେ ତିନି ଥର ଆସିବା ସହିତ ଜାନୁଆରୀ ମାସରେ ଦୁଇ ଥର ଆସିବାର କାର୍ଯ୍ୟକ୍ରମ ରହିଛି । ଓଡିଶାକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ଜାରି ରହିଛି । ତେଣୁ ଏହି ସୁଯୋଗର ସଦବ୍ୟବହାର କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ଆଗେଇବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।