ନିମାପଡ଼ା(ପୁରୀ): କଣାସରେ ଝାଡ଼ାବାନ୍ତି ! ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଅସୁସ୍ଥ । ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୟା ନଦୀ ଜଳ ବ୍ୟବହାର ଦ୍ବାରା ଏଭଳି ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି । ଗାଁରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଔଷଧ ବଣ୍ଟନ କରୁଛନ୍ତି । ପ୍ରଶାସନ ତରଫରୁ ଗାଁରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ନଳକୂପ ଅଭାବ ପାନୀୟ ଜଳ ସଙ୍କଟକୁ ଦ୍ବିଗୁଣିତ କରିଛି । ସେପଟେ ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଅଭିଯାନ କମିଟି ତରଫରୁ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ କଣାସ ଥାନାରେ ଅଭିଯୋଗ କରାଯାଇଛି ।
କଣାସରେ ଝାଡ଼ାବାନ୍ତି !
ପୁରୀ ଜିଲ୍ଲା କଣାସ ବ୍ଲକରେ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । କଣାସ ବ୍ଲକର ବିଭିନ୍ନ ଗ୍ରାମରେ ଝାଡାବାନ୍ତି ବ୍ୟାପୁଥିବାବେଳେ ଏବେ ପ୍ରଶାସନର ନିଦ ହଜାଇ ଦେଇଛି । ଗତକାଲି (ସୋମବାର) 20 ଜଣ ଡାଇରିଆ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେପଟେ ନୂଆଗାଁ ଗ୍ରାମର ଅହଲ୍ୟା ଦଳାଇ, ତାରା ବେହେରା ଓ କବିତା ରାଉତରାୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଆଇସିୟୁରେ ରହିଛନ୍ତି । ସ୍ବାସ୍ଥ୍ୟ ବିଭାଗ ଟିମ୍ ଝାଡାବାନ୍ତି ବ୍ୟାପିଥିବା ଗ୍ରାମକୁ ଯାଇ ସଚେତନା କରାଇବା ସହିତ ଦୟା ନଦୀର ଜଳକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ନୂଆଗାଁ ଗ୍ରାମର ସାରଥୀ ପ୍ରଧାନ ଓ ସଚଳା ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ରାତ୍ରରେ ମାଗି ଦଳାଇ ଏବଂ ନଇକୂଳ ପାଟଣା ଗ୍ରାମର ଗୁରେଇ ସେଠୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ନଦୀ ଜଳ ଝାଡ଼ାବାନ୍ତିର କାରଣ: ସ୍ବାସ୍ଥ୍ୟ ଅଧିକାରୀ
ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବିରଜା ଶଙ୍କର ରଥ କହିଛନ୍ତି, "ଗଙ୍ଗୁଆ ନାଳ ଜଳ ଦୟା ନଦୀରେ ପ୍ରବାହିତ ହେଉଥିବାରୁ ସେହି ଜଳ ନଦୀ କୂଳିଆ ଗ୍ରାମବାସୀମାନେ ବ୍ୟବହାର କରୁଛନ୍ତି । ତେଣୁ ଏଭଳି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଔଷଧ ବଣ୍ଟନ କରୁଛି ଏବଂ ଲୋକଙ୍କୁ ନଦୀ ଜଳ ବ୍ୟବହାର ନକରିବା ପାଇଁ ସଚେତନ କରାଯାଉଛି ।"
ଜଳ ଅଭାବରୁ ଡହଳବିକଳ ଗ୍ରାମବାସୀ:
ପାନୀୟ ଜଳ ଅଭାବରୁ ଡହଳବିକଳ ହେଉଛନ୍ତି ନୂଆଗାଁ ଏବଂ ଜାଗୁଳେଇ ପଦର ଗ୍ରାମବାସୀ । ନୂଆଗାଁରେ ୪ଟି ୱାର୍ଡ, ୧୫୨୦ ଲୋକ ସଂଖ୍ୟା ଏବଂ ୨୩୦ଟି ପରିବାର ରହିଥିବାବେଳେ ଦିନକୁ ଗୋଟିଏ ଟ୍ୟାଙ୍କର ପାଣି ଯୋଗାଇ ଦିଅଯାଇଥିବାରୁ ତାହା ସେମାନଙ୍କୁ ଯଥେଷ୍ଟ ହେଉନାହିଁ । ଦିନକୁ ୪ଟି ଟ୍ୟାଙ୍କର ପାନୀୟଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଜାଗୁଳେଇ ପଦରରେ ୪ଟି ୱାର୍ଡ, ୩୪୦୦ ଲୋକ ସଂଖ୍ୟା ଏବଂ ୮୦୦ ପରିବାର ଟାଙ୍କରେ ଜଳ ଯୋଗାଇବା ପାଇଁ ଦାବି ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଏବଂ ଉପ-ଜିଲ୍ଲାପାଳ ରାଜକିଶୋର ଜେନା ନୂଆଗାଁ ଓ ଜାଗୁଳେଇ ପଦରରେ ୪ଟି ଟ୍ୟାଙ୍କର ପାନୀୟଜଳ ତୁରନ୍ତ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାପାଳଙ୍କ ବିରୋଧରେ ଥାନାରେ ଅଭିଯୋଗ:
ଦୟା ସୁରକ୍ଷା ଅଭିଯାନ ତରଫରୁ ପୁରୀ ଜିଲ୍ଲାପାଳଙ୍କ ନାଁରେ କଣାସ ଥାନାରେ ଅଭିଯୋଗ କରାଯାଇଛି । ମହାନଦୀ ବଞ୍ଚାଅ ଅଭିଯାନ ଆବାହକ ସୁଦର୍ଶନ ଦାସ କହିଛନ୍ତି," ବିଷାକ୍ତ ଜଳ ପିଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଅଭିଯାନ କମିଟି ତରଫରୁ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ କଣାସ ଥାନାରେ ଅଭିଯୋଗ କରାଯାଇଛି । ଜିଲ୍ଲାପାଳଙ୍କ ଅବହେଳା ପାଇଁ ଦୟା ନଦୀ କୂଳରେ ଥିବା କଣାସ ବ୍ଲକରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦୟା ନଦୀରେ ଗଙ୍ଗୁଆ ଜଳ ମିଶି ଦୟା ନଦୀର ଜଳ ବିଶାକ୍ତ ପାଲଟି ଯାଇଛି । ତଳିଆ ଅଞ୍ଚଳର ଲୋକେମାନେ ଏହାକୁ ନିତ୍ୟ ବ୍ୟବହାର କରୁଛନ୍ତି । ବିଭିନ୍ନ ଚାଷ କାର୍ଯ୍ୟରେ ଲଗାଉଛନ୍ତି । ଯାହାଫଳରେ ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଅନେକ ଥର ଜଣାଇବା ପରେ ମଧ୍ୟ ଏହାର କୋୖଣସି ପ୍ରତିକାର ସେ କରିନାହାନ୍ତି । ଜିଲ୍ଲାପାଳଙ୍କ ଅବହେଳା ପାଇଁ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି ।ତେଣୁ ଏହି ଘଟଣା ପାଇଁ ଜିଲ୍ଲାପାଳ ଦାୟୀ ଅଟନ୍ତି । "
ଇଟିଭି ଭାରତ, ନିମାପଡ଼ା