ଓଡିଶା

odisha

ଚାଲିଛି ତିନି ରଥର ତୁମ୍ବ ଓ ଅର କଣ୍ଟା କାର୍ଯ୍ୟ - Chariot Making

By ETV Bharat Odisha Team

Published : May 14, 2024, 7:03 AM IST

Chariot Making: ତିନି ରଥର ଚାଲିଛି ତୁମ୍ବ ଓ ଅର କଣ୍ଟା କାର୍ଯ୍ୟ । ଆଉ ତିନିଦିନ ପରେ ତୁମ୍ବରେ ଦାଗ ଦିଆଯାଇ ବିନ୍ଧ ଅନୁକୂଳ କରାଯିବ। ଅଧିକ ପଢନ୍ତୁ

Chariot Making
Chariot Making (ETV Bharat Odisha)

Chariot Making (ETV Bharat Odisha)

ପୁରୀ: ଚଳଚଞ୍ଚଳ ହୋଇ ପଡ଼ିଛି ଶ୍ରୀନଅର ସମ୍ମୁଖ ରଥଖଳା। ତିନି ରଥର ଚାଲିଛି ତୁମ୍ବ ଓ ଅର କଣ୍ଟା କାର୍ଯ୍ୟ । ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ବିଶ୍ବକର୍ମା, କରତି, ମାର ଓ ଭୋଇ ସେବକ। ରଥ ଚକ ପାଇଁ ଆବଶ୍ୟକ ଥିବା ସମୁଦାୟ ୪୨ଟି ତୁମ୍ବରୁ କରତି ସେବାୟତମାନେ ବଡ଼ ବଡ଼ କାଠଗଣ୍ଡିକୁ କରତ ସାହାଯ୍ୟରେ କାଟି ୧୭ଟି ତୁମ୍ବ ବିଶ୍ଵକର୍ମା ମହାରଣାଙ୍କୁ ଯୋଗାଇଛନ୍ତି। ବିଶ୍ବକର୍ମାମାନେ ରଥ ନିର୍ମାଣ କାର୍ଯ୍ୟର ତୃତୀୟ ଦିନରେ ୭ଟି ତୁମ୍ବ ନିର୍ମାଣ କାର୍ଯ୍ୟ ସାରିଛନ୍ତି। ତେବେ ଆଉ ତିନିଦିନ ପରେ ତୁମ୍ବରେ ଦାଗ ଦିଆଯାଇ ବିନ୍ଧ ଅନୁକୂଳ କରାଯିବ।

ଏହାପରେ ବିନ୍ଧରେ ଅର ଖଞ୍ଜାଯିବା ସହ ପହି ଯୋଡା ଯାଇ ଚକ ତିଆରି ହେବ। ଗୋଟିଏ ତୁମ୍ବରେ ଚାରି ଗୋଟି ପହି ଲାଗିବ। "ନୃସିଂହ ଚତୁର୍ଦ୍ଦଶୀରେ ରୂପକାର ସେବକମାନେ ଗୁଜ ଅନୁକୂଳ କରିବେ । ଏହାସହ ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଜନ୍ତାଗାଡ ଖୋଳି ଅର ଭୁଞ୍ଜିବା ପାଇଁ ସିଙ୍ଗଡ଼ା ବାଡିଆ କାର୍ଯ୍ୟର ମଧ୍ୟ ଅନୁକୂଳ କରିବେ" ବୋଲି କହିଛନ୍ତି ଭୋଇ ସର୍ଦ୍ଦାର । ସେପଟେ ରଥଖଳା ଭଳି ଦୋଳବେଦୀ କମାରଶାଳ ମଧ୍ୟ ଚଳଚଞ୍ଚଳ ହୋଇପଡିଛି। ଦୋଳବେଦୀର ଅସ୍ଥାୟୀ କମାରଶାଳରେ ବେଶ ନିଷ୍ଠାର ସହ କମାର ସେବକମାନେ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ ସମସ୍ତ କଣ୍ଟା ନିର୍ମାଣରେ ଲାଗି ପଡ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ତୁମ୍ୱ ନିର୍ମାଣ କାର୍ଯ୍ୟ - Tumba Construction Work

ଏହା ମଧ୍ୟ ପଢନ୍ତୁ...ଫାଶୀ କାଠ ଅଭାବକୁ ନେଇ ବଢ଼ୁଛି ଚିନ୍ତା, ସଂରକ୍ଷଣ ନହେଲେ ରଥ ନିର୍ମାଣରେ ଉପୁଜିବ ସମସ୍ୟା - Wood Shortage For Chariot

ସୂଚନା ଅନୁସାରେ, ୩ଟି କମାରଶାଳରେ ପ୍ରାଥମିକ ଭାବେ ଅର କଣ୍ଟା ତିଆରି କରାଯାଉଛି। ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟରେ ପ୍ରାୟ ୭୦ ପ୍ରକାରର କଣ୍ଟା ବ୍ୟବହାର ହୋଇଥାଏ। ଅର, ପନ୍ଦାରୀ, ଦଣ୍ଡା ବିଡିଆ, ବଳା, ଘଡି ମୁହଁ, ଗରଗରା, ଗୟଳ, ଯୋଖା, ପ୍ରଭା ଆଦି ବିଭିନ୍ନ ପ୍ରକାର କଣ୍ଟା କମାରଶାଳରେ କମାର ସେବକମାନେ ପ୍ରସ୍ତୁତ କରିଥାନ୍ତି । ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ୬ ଟି ଚକ ସହ ୩ ଟି ଅଖ ଡେରାଯିବାର ବିଧି ରହିଛି। ତେବେ ଏହାକୁ ଆଖି ଆଗରେ ରଖି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ନିର୍ମାଣକାରୀମାନେ ବେଶ ନିଷ୍ଠାର ସହ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details