ଭୁବନେଶ୍ବର:ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଜି ପ୍ରଥମ ଥର ଅନୁଷ୍ଠିତ ହୋଇଛି ବିଏମସି କର୍ପୋରେସନ ବୈଠକ । ଏଥିରେ ଏକାମ୍ର ଉତ୍ତର ଓ ଜଟଣୀ ବିଧାୟକ ଉପସ୍ଥିତ ଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଏବଂ ଉନ୍ନୟନ କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କର୍ପୋରେଟରମାନେ ନିଜ ଅଞ୍ଚଳର ସମସ୍ୟାକୁ ଉପସ୍ଥାପନା କରିବା ସହ ମେୟରଙ୍କୁ ପ୍ରଶ୍ନ କରିଥିଲେ । ଆଉ ୩ ବିଧାୟକଙ୍କ ସହ ୬୭ କର୍ପୋରେଟେରଙ୍କୁ ନେଇ ବୈଠକ ଆରମ୍ଭ ହୋଇଥିଲା । ଅନେକ ପ୍ରସଙ୍ଗରେ ପ୍ରଶ୍ନ ଉତ୍ତର ଭିତରେ ରାଜଧାନୀର ଜଳବନ୍ଦୀ ଓ ଡ୍ରେନେଜ ପ୍ରସଙ୍ଗ ଥିଲା ମୁଖ୍ୟ ପ୍ରସଙ୍ଗ । ହେଲେ ଏହି ବୈଠକ ଆରମ୍ଭରୁ ଦେଖିବାକୁ ମିଳିଥିଲା ହଟଗୋଳ ହୋ ହଲ୍ଲା ଓ ଅପ୍ରୀତିକର ପରିସ୍ଥିତି । ଆଉ ଏହି ହଟଗୋଳ ସ୍ଥିତି ପରେ ବିଜେଡି କର୍ପୋରେଟରମାନେ ବୈଠକ ଛାଡ଼ି ଗୃହତ୍ୟାଗ କରିଥିବା ଦେଖିବାକୁ ମିଳିଛି ।
ତେବେ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ନିଜ ମତ ରଖି ନ ପାରି ବିଜେପି କର୍ପୋରେଟରଙ୍କୁ ବିଶୃଙ୍ଖଳିତ ବୋଲି କହି ବିଜେଡି କର୍ପୋରେଟରମାନେ କର୍ପୋରେସନ ବୈଠକରୁ ବାହାରି ବାହାରେ ହୋ ହଲ୍ଲା କରୁଥିବା ଦେଖିବାକୁ ମିଳିଛି । ଏପରିକି ଗୃହରେ 2 ଦଳ ଭିତରେ ହଟଗୋଳ ବଢିବାରୁ ବୈଠକର ଅଧ୍ୟକ୍ଷ ମେୟରଙ୍କୁ ଅବମାନନା କରି ବୈଠକ ତ୍ୟାଗ କରିଥିଲେ କିଛି ବିଜେଡି କର୍ପୋରେଟର । ଲୋକଙ୍କ ସମସ୍ୟାକୁ ଉପସ୍ଥାପନା ପାଇଁ ସୁଯୋଗ ନମିଳିବାରୁ ବୈଠକର କିଛି ସମୟ ପରେ ବାହାରି ଆସିଥିବା କହିଛନ୍ତି ବିଜେଡି କର୍ପୋରେଟର ।
ଆଜିର ବୈଠକକୁ ନେଇ ବିଏମସି ମେୟର ସୁଲଚନା ଦାସ କହିଛନ୍ତି,"ଏଠି ଭୁବନେଶ୍ୱରର ସ୍ୱାର୍ଥ ଓ ବିକାଶକୁ ନେଇ ଆଲୋଚନା ହେଉଛି । ତେଣୁ ଦଳମତରେ ସମସ୍ତେ ସମାନ ସବୁ କର୍ପୋରେଟରଙ୍କ କହିବାର ଅଧିକାର ଅଛି । କିଛିଜଣ ବିଶୃଙ୍ଖଳିତ ହୋଇ ହୋଇ ହଲ୍ଲାକୁ ନେଇ ବୈଠକରୁ ବାହାରିଥିଲେ । ପୁଣି ଆସି ଯୋଗଦେବେ ଆଉ ଭୁବନେଶ୍ୱର ଉନ୍ନୟନରେ ସମସ୍ତେ ସାମିଲ ହେବେ ବୋଲି କହିଛନ୍ତି । ଏହାସହ ୩ରୁ ୪ ଦିନ ଭିତରେ ସହରର ଡ୍ରେନେଜ ସମସ୍ୟାର ସମାଧାନ ହେବ ବୋଲି ଆଲୋଚନା ହୋଇଛି ।"
ସେପଟେ ହୋ ହଲ୍ଲା ହଟଗୋଳ ଭିତରେ ଦଳ ଓ ଚିହ୍ନ ସର୍ବଶେଷରେ ଆଜି ପ୍ରତ୍ୟେକଟି ସଦସ୍ୟଙ୍କ ନଜର ରହିଥିଲା ଡ୍ରେନେଜ ସମସ୍ୟା ଓ ଏହାର ସମାଧାନ ଉପରେ । ମେୟର ସୁଲୋଚନା ଦାସଙ୍କ କହିବା ମୁତାବକ, ଆଜି କର୍ପୋରେସନରେ ବିଶେଷ କରି ଡ୍ରେନେଜ ସମସ୍ୟା ଓ ଯେଉଁ ଗୁଡ଼ିକ କାମ ଚାଲିଛି ତା ଉପରେ ଆଲୋଚନା କରାଯାଇଛି । ସବୁଠାରୁ ଅଧିକ ପ୍ରଶ୍ନ ଡ୍ରେନେଜ ଉପରେ ଥିଲା । କାହିଁକି କାମରେ ବିଳମ୍ବ ହୋଇଛି ତାକୁ ନେଇ ଆଲୋଚନା ହୋଇଛି । ମଝିରେ MCC ଥିଲା ତେଣୁ ସେଥିପାଇଁ ବିଳମ୍ବ ହୋଇଛି । ବିଶେଷ କରି କିଭଳି ଡ୍ରେନ ଗୁଡିକରେ ଯଥାଶୀଘ୍ର ସ୍ଲାବ ପଡ଼ିବ ସେନେଇ ଆଲୋଚନା ହେବ ।