ନବରଙ୍ଗପୁର:ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ଗଞ୍ଜେଇ ଚାଷ କରିବା ନେଇ ଭିନ୍ନ ଭିନ୍ନ ପନ୍ଥା ଆପଣଉଛନ୍ତି ମାଫିଆ । ତେବେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଧିନରେ ଧୁଙ୍ଗିଆଡିହୀ ଗ୍ରାମରେ ମକା ଓ ପନିପରିବା ଚାଷ ଭିତରେ ହୋଇଥିଲା ଚୋରା ଗଞ୍ଜେଇ ଚାଷ । ୧୦ ହଜାରରୁ ଅଧିକ ଗଞ୍ଜେଇ ଗଛକୁ ପୋଡ଼ିଦେଲା ଜିଲ୍ଲା ପ୍ରଶାସନ । ଯାହାର ଅନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ।
ତେବେ ଜିଲ୍ଲାର ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଧିନରେ ଥିବା କାଉଡୋଳା ପଞ୍ଚାୟତର ଧୁଙ୍ଗିଆଡିହୀ ଗ୍ରାମ ନିକଟରେ ପ୍ରାୟ 7 ଏକର ଜଙ୍ଗଲ ଓ ସରକାରୀ ଜମି ମଧ୍ୟରେ ମକା ଗଛ ଓ ପନିପରିବା ଚାଷ ଦୀର୍ଘ ଦିନରୁ ହୋଇ ଆସୁଥିବା ଦେଖିବାକୁ ମିଳିଥିଲା l କିନ୍ତୁ କିଛି ବ୍ୟକ୍ତି ତା ମଧ୍ୟରେ ଗଞ୍ଜେଇ ଗଛ ଲଗାଯାଇଥିଲା । ଏନେଇ କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଭାବେ ରାଇଘର ତହସିଲଦାର୍ ଜନ୍ମେଜୟ ବେହେରା, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ମଧୁସିକ୍ତା ମିଶ୍ର,IRBN ଓ DVF ଫୋର୍ସ ମିଳିତ ଭାବେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଏଥିସହ ସେଠାରେ ପ୍ରାୟ 7 ଏକର ଜମିରେ ଲାଗିଥିବା ୧୦ ହଜାରରୁ ଊର୍ଦ୍ଧ୍ବ ଗଛ ଉପାଡ଼ିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ନଷ୍ଟ କରିଥିଲା ପୋଲିସ ।