ହାଇଦ୍ରାବାଦ: ବର୍ଷ 2024ର ପ୍ରଥମ ଦିନରୁ ହିଁ ନିଜ ନାଁରେ ସଫଳତାର ଫର୍ଦ୍ଦ ଯୋଡ଼ିଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ମାସ ପରେ ମାସ ଗୋଟିଏ ପରେ ଗୋଟିଏ ଇତିହାସ ରଚି ଇସ୍ରୋ ଭାରତୀୟଙ୍କୁ ଗର୍ବିତ କରିଥିଲା । ବିଦାୟୀ ବର୍ଷ 2024 ଇସ୍ରୋ ପାଇଁ ବାସ୍ତବରେ ଉପଲବ୍ଧିର ବର୍ଷ ଥିଲା । ଜାନୁଆରୀ 1ରୁ XPOSAT ଉତକ୍ଷେପଣଠାରୁ ଡିସେମ୍ବରରେ ପ୍ରୋବା-3 ମିଶନ ପର୍ଯ୍ୟନ୍ତ ଅନେକ ଐତିହାସିକ ଘଟଣା ଭାରତର ମହାକାଶ ଜଗତରେ ଘଟିଛି । ଏକାଧିକ ଐତିହାସିକ ଲଞ୍ଚ୍ର ସାକ୍ଷୀ ସାଜିଛି ଆନ୍ଧ୍ର ପ୍ରଦେଶର ସତୀଶ ଧାୱନ ସ୍ପେଶ ସେଣ୍ଟର । ନୂଆବର୍ଷ 2025କୁ ଆମେ ସ୍ବାଗତ କରିବାକୁ ଯାଉଥିବା ବେଳେ 2024ରେ ଇସ୍ରୋର ସଫଳତା ଉପରେ ଗୋଟିଏ ନଜର ପକାଇବା ।
PSLV-C58/XPoSat Mission:
— ISRO (@isro) January 1, 2024
The PS4 stage is successfully brought down to a 350 km orbit.
Here are the PSLV-C58 tracking images pic.twitter.com/KXDVA2UnpX
- ନୂଆବର୍ଷରେ XPOSAT ଉତକ୍ଷେପଣ
ନୂଆ ବର୍ଷରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନୂଆ ଅଭିଯାନ ଆରମ୍ଭ ହୋଇଥିଲା । ପୂର୍ବରୁ ନିର୍ଦ୍ଧାରିତ ସମୟରେ 2024 ଜାନୁଆରୀ 1 ସକାଳ 9ଟା 10 ମିନିଟରେ ଏକ୍ସ-ରେ ପୋଲାରିମିଟର ସାଟେଲାଇଟକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଲଞ୍ଚ କରାଯାଇଥିଲା । PSLV ସି85 ରକେଟ ସାହାଯ୍ୟରେ ଏହାର ଉତକ୍ଷେପଣ କରାଯାଇଥିଲା । ଏହି ସାଟେଲାଇଟ୍ରେ ଦୁଇଟି ପେ-ଲୋଡ୍ ପୋଲିକ୍ସ ଏବଂ ଏକ୍ସସ୍ପେକ୍ଟ ରହିଥିବା ବେଳେ ଏହା ପୃଥିବୀର ନିମ୍ନ କକ୍ଷରେ ଅବସ୍ଥାପିତ ହୋଇଛି । ଏହି ମିଶନ ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଏହା ଦ୍ବାରା ବ୍ଲାକ ହୋଲ୍ର ରହସ୍ୟ ଉନ୍ମୋଚନ ହେବା ସହ ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅଧିକ ଗବେଷଣା କରାଯାଉଛି । ଏହି ଅଭିଯାନର କାର୍ଯ୍ୟକାଳ 5 ବର୍ଷ ।
𝐈𝐧𝐝𝐢𝐚, 𝐈 𝐝𝐢𝐝 𝐢𝐭. 𝐈 𝐡𝐚𝐯𝐞 𝐫𝐞𝐚𝐜𝐡𝐞𝐝 𝐭𝐨 𝐦𝐲 𝐝𝐞𝐬𝐭𝐢𝐧𝐚𝐭𝐢𝐨𝐧!
— ISRO InSight (@ISROSight) January 6, 2024
Aditya-L1 has successfully entered the Halo orbit around the L1 point.#ISRO #AdityaL1Mission #AdityaL1 pic.twitter.com/6gwgz7XZQx
- ହାଲୋ ଅର୍ବିଟରେ ପହଞ୍ଚିଲା Aditya-L1
ଜାନୁଆରୀ 6 ତାରିଖରେ ଇସ୍ରୋକୁ ମିଳିଥିଲା ବଡ଼ ସଫଳତା । ଗନ୍ତବ୍ୟସ୍ଥଳ ଏଲ 1 ପଏଣ୍ଟରେ(ହାଲୋ ଅର୍ବିଟରେ) ପହଞ୍ଚିଥିଲା ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-L1 । ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ 2023 ସେପ୍ଟେମ୍ବର 2 ତାରିଖରେ ଆଦିତ୍ୟ ଏଲ1କୁ ମହାକାଶକୁ ଉତକ୍ଷେପଣ କରାଯାଇଥିବା ବେଳେ ଧାର୍ଯ୍ୟ ସମୟ ଅନୁସାରେ 2024 ଜାନୁଆରୀ 6 ତାରିଖରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ହାଲୋ ଅର୍ବିଟରେ ପହଞ୍ଚିଥିଲା ଆଦିତ୍ୟ ଏଲ 1 । ଏହି କକ୍ଷପଥରେ ଘୂରି ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶ ପାଣିପାଗ ସମ୍ପର୍କରେ ଅଧ୍ୟୟନ କରୁଛି ଆଦିତ୍ୟ ଏଲ1 ।
- INSAT-3DS ସାଟେଲାଇଟ୍ ଲଞ୍ଚ
ପାଣିପାଗ ଉପଗ୍ରହ INSAT-3DSକୁ ଫେବୃଆରୀ 17 ତାରିଖ ନିର୍ଦ୍ଧାରିତ ସମୟ ସଂଧ୍ୟା 5ଟା 35 ମିନିଟରେ ଆନ୍ଧ୍ର ଉପକୂଳରେ ଥିବା ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଇସ୍ରୋ ଲଞ୍ଚ କରିଥିଲା । ଏହି ଉପଗ୍ରହକୁ ଉତକ୍ଷେପଣ କରିବା ପାଇଁ GSLV ରକେଟ ବ୍ୟବହାର କରାଯାଇଥିଲା । ଏହି ଉପଗ୍ରହର ନାମ ରଖାଯାଇଛି ‘ନଟି ବୟ’ । ଏହି ଉପଗ୍ରହର ଓଜନ ରହିଛି 2,274 କିଲୋଗ୍ରାମ । ଏଥିରେ ଏକାଧିକ ପେ-ଲୋଡ ବ୍ୟବହୃତ ହୋଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକାଧିକ ବିଭାଗ ଏହି ଉପଗ୍ରହ ମାଧ୍ୟମରେ ଲାଭବାନ ହେବେ । ପାଣିପାଗ ସମ୍ପର୍କିତ ପୂର୍ବାନୁମାନ ଓ ସୂଚନା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏହି ଉପଗ୍ରହ କାର୍ଯ୍ୟପ୍ରଣାଳୀର ପ୍ରମୁଖ ଭୂମିକା ଗ୍ରହଣ କରିବ ।
- ଗଗନ ଯାନ ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା
ଭାରତର ପ୍ରଥମ ମାନବ ମିଶନ ଗଗନ ଯାନରେ କିଏ ଯିବେ ମହାକାଶ ? ଫେବୃଆରୀ 27 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସସପେନ୍ସର ଅନ୍ତ ଘଟାଇଥିଲେ । ଗ୍ରୁପ କ୍ୟାପ୍ଟେନ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଅଜିତ୍ କ୍ରିଷ୍ଣନ, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳାଙ୍କ ନାମ ଘୋଷଣା ହୋଇଥିଲା । ଏହି 4 ଜଣ ମନୋନୀତ ମହାକାଶଚାରୀ ବାୟୁସେନାର ଓ୍ବିଙ୍ଗ କମାଣ୍ଡର କିମ୍ବା ଗ୍ରୁପ କ୍ୟାପଟେନ ଭାବେ କାର୍ଯ୍ୟ କରୁଥିଲେ । ନାମ ଘୋଷଣା ହେବା ପରେ ଏମାନେ ମହାକାଶର ପାଣିପାଗ ସହିତ ଖାପଖୁଆଇବା ଲାଗି ତାଲିମ ନେଉଛନ୍ତି । ନିକଟରେ ଗଗନ ଯାନ ମିଶନର ପ୍ରାଥମିକ କ୍ରୁ ସଦସ୍ୟ ଗ୍ରୁପ୍ କ୍ୟାପଟେନ୍ ଶୁଭାନ୍ସୁ ଶୁକ୍ଲା ଏବଂ ବ୍ୟାକଅପ୍ କ୍ରୁ ସଦସ୍ୟ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ଆମେରିକାରେ ସେମାନଙ୍କର ପ୍ରାରମ୍ଭିକ ତାଲିମ ସମାପ୍ତ କରିଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହରୁ ଆମେରିକାରେ ସେମାନେ ତାଲିମ ଆରମ୍ଭ କରିଥିଲେ । 2026ର ଶେଷ ଭାଗରେ ଗଗନ ଯାନ ମିଶନକୁ ଲଞ୍ଚ କରାଯାଇପାରେ ।
- ପୁଷ୍ପକ (RLV LEX-02)ର ପରୀକ୍ଷଣ ସଫଳ
ମାର୍ଚ୍ଚ 22 ତାରିଖରେ ଇସ୍ରୋକୁ ଆଉ ଏକ ସଫଳତା ମିଳିଥିଲା । ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପୁଷ୍ପକର ସଫଳ ପରୀକ୍ଷଣ କରିଥିଲା ଇସ୍ରୋ । ଆଉ ଏକ କୀର୍ତ୍ତିମାନ ଭାବେ ଏହି ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଭେହିକଲ ସ୍ବୟଂଚାଳିତ ଭାବେ ମାର୍ଚ୍ଚ 22 ସକାଳ 7ଟା 10 ମିନିଟ ସମୟରେ କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନେଟିକାଲ୍ ଟେଷ୍ଟ ରେଞ୍ଜରେ ସ୍ବୟଂଚାଳିତ ଭାବରେ ରନୱେରେ ଅବତରଣ କରିଥିଲା । ଏହା ପୂର୍ବରୁ ଇସ୍ରୋ 2 ଥର ରିୟୁଜେବଲ ଲଞ୍ଚ ଭେହିକଲର ସଫଳ ଲ୍ୟାଣ୍ଡିଂ କରିଥିଲା । ଗତ ବର୍ଷ ଏହାର ଲଞ୍ଚ ଟେଷ୍ଟିଂ କରାଯାଇଥିବା ବେଳେ ରିୟୁଜେବଲ ଲଞ୍ଚ ଭେହିକଲକୁ ବାୟୁସେନା ଚିନୁକ ହେଲିକପ୍ଟରରୁ RLVକୁ ପ୍ରାୟ ସାଢେ 4 କିମି ଉଚ୍ଚତାରୁ ଉତକ୍ଷେପଣ କରାଯାଇଥିଲା । ପରୀକ୍ଷଣ ସମୟରେ ଆରଏଲଭି ସଫଳତା ପୂର୍ବକ ରନଓ୍ବେରେ ଅବତରଣ କରିଥିଲା ।
#ISRO has successfully completed #RLV LEX-03 - the last milestone for RLV before its Reentry Experiment!! 🔥
— ISRO Spaceflight (@ISROSpaceflight) June 23, 2024
It was dropped from 4.5 km alt. & glided 4.5 km downrange & 500m crossrange to reach the runway & was ONLY 11 cm off from the runway's centerline when it stopped! 🤯 pic.twitter.com/qVaQ2bT5i3
- RLV LEX-03 ସ୍ବୟଂଚାଳିତ ଲ୍ୟାଣ୍ଡିଂ ସଫଳ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଯାନ (ଆରଏଲଭି) ଲ୍ୟାଣ୍ଡିଂ ଏକ୍ସପେରିମେଣ୍ଟ (LEX)ରେ କ୍ରମାଗତ ତୃତୀୟ ସଫଳତା ହାସଲ କରିଥିଲା ଜୁନ 23 ତାରିଖରେ । ଯେଉଁଥିରେ RLV LEX -03 ସଫଳତାର ସହିତ ରନୱେରେ ସ୍ବୟଂଚାଳିତ ଭାବେ ଅବତରଣ କରିବାରେ ସଫଳ ହୋଇଥିଲା । ଏହାଦ୍ବାରା ଇସ୍ରୋ ବିକଶିତ କରିଥିବା ଟେକ୍ନୋଲୋଜି ନାଭିଗେସନ୍, କଣ୍ଟ୍ରୋଲ୍ ସିଷ୍ଟମ୍, ଲ୍ୟାଣ୍ଡିଙ୍ଗ୍ ଗିଅର୍ ମଧ୍ୟ ଏକ ପ୍ରକାର ସଫଳ ହୋଇଥିଲା ।
- ATV D03ର ଦ୍ବିତୀୟ ସଫଳ ପରୀକ୍ଷଣ
ଜୁଲାଇ 22 ତାରିଖରେ ଇସ୍ରୋ ଦ୍ବିତୀୟ ଥର ଲାଗି ଏୟାର ବ୍ରିଦିଂ ପ୍ରପୁଲସନ୍ ଟେକ୍ନୋଲୋଜିର ସଫଳ ପରୀକ୍ଷଣ କରିଥିଲା । ପ୍ରପୁଲସନ୍ ସିଷ୍ଟମଗୁଡିକ RH-560 ସାଉଣ୍ଡିଂ ରକେଟର ଉଭୟ ପାର୍ଶ୍ବରେ ସମାନ୍ତରାଳ ଭାବରେ ସ୍ଥାପନ କରାଯାଇଥିଲା ଏବଂ ଶ୍ରୀହାରିକୋଟା ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା । କହି ରଖୁଛୁ କି, ଏୟାର ବ୍ରିଦିଂ ପ୍ରପୁଲସନ୍ ସିଷ୍ଟମ ଅନୁଯାୟୀ ରକେଟରେ କେବଳ ଇନ୍ଧନ ବହନ କରେ, କିନ୍ତୁ ଅନ୍-ବୋର୍ଡ ଅକ୍ସିଡାଇଜର ବହନ କରେ ନାହିଁ । ଏହା ପରିବର୍ତ୍ତେ ଇନ୍ଧନ ଜାଳିବା ପାଇଁ ବାୟୁମଣ୍ଡଳୀୟ ଅମ୍ଳଜାନକୁ ଅକ୍ସିଡାଇଜର ଭାବରେ ବ୍ୟବହାର କରାଯାଏ ଏହା ରକେଟଗୁଡ଼ିକୁ ଯଥେଷ୍ଟ ହାଲୁକା ଏବଂ ଅଧିକ ଦକ୍ଷ କରିଥାଏ । ରକେଟ ହାଲୁକା ହେଲେ ଏଥିରେ ଅଧିକରୁ ଅଧିକ ପେଲୋଡ୍ ପଠାଯାଇପାରିବ । ଏହି ଲକ୍ଷ୍ୟରେ ଇସ୍ରୋ ପକ୍ଷରୁ ପରୀକ୍ଷଣ କରାଯାଇଥିଲା ।
- SSLV-D3ର ସଫଳ ଉତକ୍ଷେପଣ
ଇସ୍ରୋ ଅଗଷ୍ଟ 16ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ 9ଟା 17ରେ ସଫଳତାର ସହିତ ଛୋଟ ସାଟେଲାଇଟ୍ ଲଞ୍ଚ ଯାନ (SSLV) -D3 କୁ ଲଞ୍ଚ କରିଥିଲା । SSLV-D3ର ମିଶନ ଥିଲା EOS-08 ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ କକ୍ଷପଥରେ ରଖିବା । SSLV ପାଇଁ ଏହା ତୃତୀୟ ତଥା ଅନ୍ତିମ ବିକାଶମୂଳକ ବିମାନ ଥିଲା । କମ ଖର୍ଚ୍ଚରେ ଏକାଧିକ ସାଟେଲାଇଟ ଲଞ୍ଚ ପାଇଁ SSLVକୁ ବିକଶିତ କରାଯାଇଛି । 2022 ଅଗଷ୍ଟ 7ରେ SSLV-D1/EOS-02କୁ ଲଞ୍ଚ କରାଯାଇଥିବା ବେଳେ 2023 ଫେବୃଆରୀ 10ରେ SSLV-D2/EOS-07କୁ ଲଞ୍ଚ କରାଯାଇଥିଲା ।
➣ #Cabinet approves mission to moon, named #Chandrayaan4 to develop and demonstrate the technologies to come back to Earth after successfully landing on the Moon and also collect moon samples and analyse them on Earth#Chandrayaan3 was a big success and based on that the next… pic.twitter.com/m0bVHiwENs
— PIB India (@PIB_India) September 18, 2024
- ଶୁକ୍ର ଓ ଚନ୍ଦ୍ରଯାନ-4କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ
ସେପ୍ଟେମ୍ବର 18ରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଶୁକ୍ର ବା ଭେନସ ଅର୍ବିଟ ମିଶନ (VOM) ଓ ଚନ୍ଦ୍ରଯାନ-4 ମିଶନକୁ ମିଳିଥିଲା ଅନୁମୋଦନ । ଚନ୍ଦ୍ର ଓ ମଙ୍ଗଳ ଗ୍ରହ ପରେ ଶୁକ୍ର ଗ୍ରହର ଅନୁସନ୍ଧାନ ଲାଗି ସରକାର ମୋଟ ୧୨୩୬ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଥିବା ବେଳେ ସେଥିରୁ ୧.୨୧ କୋଟି ଟଙ୍କା ମହାକାଶଯାନରେ ଖର୍ଚ୍ଚ କରାଯିବ। ଶୁକ୍ରର ପୃଷ୍ଠ ଏବଂ ଉପପୃଷ୍ଠ, ବାୟୁମଣ୍ଡଳୀୟ ପ୍ରକ୍ରିୟା ଏବଂ ଶୁକ୍ରର ବାୟୁମଣ୍ଡଳ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ନେଇ ଅନୁସନ୍ଧାନ କରାଯିବ । ପୃଥିବୀର ସବୁଠାରୁ ନିକଟତମ ଗ୍ରହ ତଥା ପୃଥିବୀ ଭଳି ପରିସ୍ଥିତିରେ ସୃଷ୍ଟି ହୋଇଥିବା ବିଶ୍ବାସ କରାଯାଉଥିବା ଶୁକ୍ର ଗ୍ରହ ପରିବେଶ କିପରି ବଦଳିଲା ତାହା ଉପରେ ମଧ୍ୟ ଅନୁସନ୍ଧାନ କରିବ ଇସ୍ରୋ । ସେହିପରି ଚନ୍ଦ୍ରଯାନ-4 ମିଶନରେ 2104.06 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଏହି ମିଶନରେ ଚନ୍ଦ୍ରର ଚଟାଣ ଓ ମାଟିର ନମୁନା ସଂଗ୍ରହ କରି ଅଣାଯାଇ ଏହା ଉପରେ ଗବେଷଣା କରାଯିବ ।
- ଚନ୍ଦ୍ରଯାନ-3କୁ ବିଶ୍ବ ସ୍ପେଶ୍ ପୁରସ୍କାର
ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରି ଇତିହାସ ରଚିଥିବା ଭାରତର ମୁନ୍ ମିଶନ 'ଚନ୍ଦ୍ରଯାନ-3'କୁ ବିଶ୍ବ ମହାକାଶ ପୁରସ୍କାର ପ୍ରଦାନ କରିବାକୁ ଅନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଙ୍ଘ (IAF) ଘୋଷଣା ହୋଇଥିଲା । ଯାହା ଥିଲା ଇସ୍ରୋ ପାଇଁ ଏକ ଐତିହାସିକ ସଫଳତା । ଅକ୍ଟୋବର 14ରେ ଇଟାଲୀର ମିଲାନଠାରେ ଅନୁଷ୍ଠିତ 75ତମ ଅନ୍ତର୍ଜାତୀୟ ମହାକାଶ ଯାତ୍ରୀ ସମ୍ମିଳନୀରେ ଚନ୍ଦ୍ରଯାନ-3କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାରକୁ ଇସ୍ରୋ ମୁଖ୍ୟ ଏସ. ସୋମନାଥନ ଗ୍ରହଣ କରିଥିଲେ । 20 ଅଗଷ୍ଟ 2023ରେ ଚନ୍ଦ୍ରଯାନ-3 ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଏହା ପୂର୍ବରୁ ଚନ୍ଦ୍ରଯାନ-1 ଓ ଚନ୍ଦ୍ରଯାନ-2 ଲଞ୍ଚ ହୋଇଥିଲେ ମଧ୍ୟ ଇସ୍ରୋକୁ ସଫଳତା ମିଳିନଥିଲା ।
- ଭାରତର ପ୍ରଥମ ଏନାଲଗ ମହାକାଶ ମିଶନ ଲଞ୍ଚ
ଇସ୍ରୋ ନଭେମ୍ବର ପହିଲାରୁ ଲେହଠାରେ ଦେଶର ପ୍ରଥମ ଏନାଲଗ ସ୍ପେଶ ମିଶନ (Analog Space Mission) ଆରମ୍ଭ କରିଥିଲା । ଯାହାକୁ ନେଇ ବିଶ୍ବରେ ବେଶ ଚର୍ଚ୍ଚା ହେଉଛି । ଏନାଲଗ ସ୍ପେଶ ମିଶନ ହେଉଛି ଏକ ଟେକନିକ୍ ଯେଉଁଥିରେ ପୃଥିବୀରେ ସ୍ପେଶ୍ ପରି ପରିବେଶ ସୃଷ୍ଟି କରାଯିବ । ଯାହା ଦ୍ବାରା ମହାକାଶଚାରୀମାନେ ମହାକାଶରେ ସାମ୍ନା କରିବାକୁ ଥିବା ଚ୍ୟାଲେଞ୍ଜଗୁଡ଼ିକ ସହିତ ଆଗରୁ ପରିଚିତ ହୋଇପାରିବେ । ଏହି ମିଶନରେ ISRO 'ଲେହ' କ୍ଷେତ୍ର ବାଛିଛି ଯାହା ଚନ୍ଦ୍ର କିମ୍ବା ମଙ୍ଗଳ ପୃଷ୍ଠ ସହିତ ସମାନ । ସେଠାରେ ମହାକାଶଚାରୀମାନେ ସୀମିତ ଉତ୍ସ ସହିତ ରହିବେ, ଯାହାଦ୍ବାରା ଚ୍ୟାଲେଞ୍ଜିଂ ଓ ବିଚ୍ଛିନ୍ନ ପରିବେଶରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିବେ ।
- ୟୁରୋପ ସାଟେଲାଇଟ Proba-3 ଲଞ୍ଚ କଲା ଇସ୍ରୋ
ବର୍ଷ 2024ରେ ଶେଷ ମାସ ଡିସେମ୍ବର 5 ତାରିଖରେ ଇସ୍ରୋ PSLV-C59 ଲଞ୍ଚ୍ ଭେହିକଲରୁ ଐତିହାସିକ ଲଞ୍ଚ କରିଥିଲା । ୟୁରୋପୀୟ ସ୍ପେଶ୍ ଏଜେନ୍ସି (ESA)ର ପ୍ରୋବା-3 ମିଶନକୁ ଅପରାହ୍ନ 4:04ଟାରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ ସେଣ୍ଟରରୁ ଲଞ୍ଚ୍ କରାଯାଇଥିଲା । ସୂର୍ଯ୍ୟଙ୍କ କରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବା ଏହି ମିଶନର ଲକ୍ଷ୍ୟ । ଭାରତ ପାଇଁ ଏହା ଥିଲା ଗର୍ବର ବିଷୟ । କାରଣ ଇସ୍ରୋ ୟୁରୋପର ସାଟେଲାଇଟ୍କୁ ଲଞ୍ଚ କରୁଥିଲା । ଯାହାକି ଭାରତର ନିର୍ଭରଯୋଗ୍ୟ ଏବଂ ବଢୁଥିବା ମହାକାଶ କ୍ଷମତା ପ୍ରଦର୍ଶନ କରିଛି । ଏହା ପୂର୍ବରୁ ଇସ୍ରୋ ପ୍ରୋବା-1 ମିଶନକୁ 2001ରେ ଓ ପ୍ରୋବା-2 ମିଶନକୁ 2009ରେ ଲଞ୍ଚ କରିଥିଲା ।
ଏହା ବି ପଢନ୍ତୁ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ