ଭୁବନେଶ୍ବର/ରାଇରଙ୍ଗପୁର:ବ୍ୟବସାୟୀ ଦାଦାଠୁ ଟଙ୍କା ନେବା ପାଇଁ ଅପହରଣ ନାଟକ ରଚିଥିଲା ପୁତୁରା । ହେଲେ ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସିଗଲା । ଅପହରଣ ନାଟକରେ ହତ୍ୟାର ଶିକାର ଯେ ହେବ ଜାଣିନଥିଲା ପୁତୁରା । କାରଣ ନାଟକ ଭିତରେ ଧୋକା ଦେଲା ସାଙ୍ଗ । ବୁଢାବଳଙ୍ଗ ନଦୀ ପଠାରୁ ମୃତଦେହ ଉଦ୍ଧାର ଘଟଣା ଉପରୁ ରହସ୍ୟ ଉଠାଇଛି ପୋଲିସ । ସାଙ୍ଗ କିପରି ସାଙ୍ଗକୁ ହତ୍ୟାକଲା... ଅପହରଣ ପଛର ରହସ୍ୟ ଉପରୁ ପରଦା ହଟାଇଲା ଓଡ଼ିଶା ପୋଲିସ । ଦୁଇ ହତ୍ୟାକାରୀକୁ ଗିରଫ କରିଛି ପୋଲିସ ।
ବେଙ୍ଗାଲୁରୁ ବ୍ୟବସାୟୀକୁ ଯାଇଥିଲା ଅପହରଣ କଲ୍:
ବାରିପଦା ସଦର ଥାନା ଅଞ୍ଚଳର ବୁଢାବଳଙ୍ଗ ନଦୀ ପଠାରୁ ମିଳିଥିବା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଫିଟିଛି । ଦୁଇ ହତ୍ୟାକାରୀଙ୍କୁ ଗିରଫ ସହ ଘଟଣା ପଛର ମିଛ ଅପହରଣରୁ ସତ ସୁଚିନ୍ତିତ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। । ବେଙ୍ଗାଲୁରୁରେ ରହୁଥିବା ବ୍ୟବସାୟୀ ଦାଦାଠୁ ଟଙ୍କା ନେବା ଉଦ୍ଦେଶ୍ୟରେ ଅପହରଣ ନାଟକ କରିଥିଲା ପୁତୁରା । ହେଲେ ଯେଉଁ ସାଙ୍ଗ ସହ ମିଶି କରିଥିଲା ଯୋଜନା ସେହି ସାଙ୍ଗ ଦେଲା ଧୋକା । ଟଙ୍କା ଲୋଭରେ ହତ୍ୟା କଲା । ପୂରା ଘଟଣା ପର୍ଦ୍ଦାଫାସ କଲା ପୋଲିସ ।
ଅପହରଣ ନାଟକ:
2 ଅଭିଯୁକ୍ତ ଗିରଫ:
ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ପ୍ରେସ ନୋଟରେ ଦିଆଯାଇଥିବା ସୂଚନା ମୁତାବକ, ବୁଢ଼ାବଳଙ୍ଗ ନଦୀର ପଠାରେ ଗତ ୨୬ ତାରିଖରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ମୃତକଙ୍କ ପକେଟରୁ ମିଳିଥିବା ଏକ କାଗଜରୁ ମୃତକର ପରିଚୟ ସ୍ପଷ୍ଟ ହୋଇଥିଲା । ମୃତକ ଜଣଙ୍କ ଚନ୍ଦନ କୁମାର ସ୍ବାଇଁ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡିଥିଲା । ହେଲେ ତାଙ୍କୁ ଅପହରଣ କରାଯାଇଛି କହି ତାଙ୍କର ଦାଦା ତଥା ବେଙ୍ଗାଲୁରୁ କପଡା ବ୍ୟବସାୟୀଙ୍କୁ ୫୦ ଲକ୍ଷ ଡିମାଣ୍ଡ କରିଥିଲେ ହତ୍ୟାକାରୀ । ମିଛ ନାଟକରୁ ହତ୍ୟାକାଣ୍ଡ କରାଯାଇଥିବା ଉନ୍ମୋଚନ କରି ଦୁଇ ହତ୍ୟାକାରୀ ଆଶିଷ ସିଂ ଓ କରମା ସିଂ ଗିରଫ କରିଛି ଓଡ଼ିଶା ପୋଲିସ ।
ଘଟଣା କ୍ରମ ଏମିତି ଥିଲା...
ବେଙ୍ଗାଲୁରୁର ଜଣେ ବ୍ୟବସାୟୀଙ୍କୁ ଗତ ୨୩ରେ ଭୁବନେଶ୍ୱରରୁ ଧମକପୂର୍ଣ୍ଣ କଲ ଯାଇଥିଲା । ଯେଉଁଠି ତାଙ୍କ ପୁତୁରା ଚନ୍ଦନ ସ୍ବାଇଁକୁ ଅପହରଣ କରି ବନ୍ଧକ ରଖାଯାଇଥିବା କହିଥିଲେ ଅପହରଣକାରୀ । ପ୍ରତି ବଦଳରେ ୫୦ ଲକ୍ଷ ଟଙ୍କା ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ ଦେଲେ ତାକୁ ଛାଡ଼ିଦେବେ ବୋଲି କହିଥିଲେ । ଏନେଇ ଘଟଣାକୁ ଗୁରୁତ୍ବର ନେଇନଥିଲେ ତାଙ୍କ ଦାଦା ।
ପରେ ଗତ ୨୪ ତାରିଖରେ ଅପହରଣକାରୀ କହି ଚନ୍ଦନର ମୋବାଇଲରୁ ଏକ ଲାଇଭ ଲୋକେସନ ମଧ୍ୟ ପଠାଇଥିଲେ । ଭୁବନେଶ୍ୱରରୁ ଆସିଥିବା ସତସତିକା ଲାଇଭ ଲୋକେସନ ଦେଖି ଦାଦା ବେଙ୍ଗାଲୁରୁ ପୋଲିସକୁ ଯୋଗାଯୋଗ କରିଥିଲେ । ପରେ କଲ୍ଟି ଭୁବନେଶ୍ବରରୁ ଯାଇଥିବାରୁ ଖାରବେଳ ନଗର ପୋଲିସକୁ ଲାଇଭ ଲୋକେସନ ପଠାଇବା ସହ ଅଭିଯୋଗ ଜଣାଇଥିଲେ । ଏନେଇ ଖାରବେଳ ନଗର ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।
ଏନେଇ ପୋଲିସ ଏକ କେସ କରି ଅପହରଣକାରୀଙ୍କ ମୋବାଇଲ ନମ୍ବର ଓ କଲ ଡିଟେଲ ଯାଞ୍ଚ କରିଥିଲା । ଏନେଇ ବାରିପଦା ଅଞ୍ଚଳର ଜଣେ ଯୁବକଙ୍କୁ ସନ୍ଦେହ କରିଥିଲେ । ପରେ ବେଙ୍ଗାଲୁରୁ ବ୍ୟବସାୟୀଙ୍କୁ ୨୬ ତାରିଖରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଏକ ଫୋନ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଏକ ମୃତଦେହ ମିଳିଛି ବୁଢାବଳଙ୍ଗ ନଦୀ ପଠାରୁ । ଏବଂ ମୃତଦେହ ପକେଟରୁ ଏକ କାଗଜରେ ମୋବାଇଲ ନମ୍ବର ମିଳିଛି ବୋଲି କୁହାଯାଇଥିଲା । ମୃତଦେହ ଫଟୋକୁ ଦେଖି ଯାଞ୍ଚ ବେଳେ ତାଙ୍କର ପୁତୁରା ଅର୍ଥାତ୍ ଚନ୍ଦନ ସ୍ବାଇଁ ବୋଲି ସ୍ପଷ୍ଟ ହୋଇଥିଲା । ଚନ୍ଦା ମୁଣ୍ଡ ଯୋଗୁଁ ସହଜରେ ଚିହ୍ନି ପାରିଥିଲେ ତାଙ୍କ ଦାଦା । ପରେ କଲ୍ ଆସୁଥିବା ନମ୍ବରକୁ ଟ୍ରାକ କରିଥିଲା ପୋଲିସ । ଟ୍ରାକ କରୁ କରୁ ଅଭିଯୁକ୍ତ ଆଶିଷ ସିଂ ନିକଟରେ ପହଞ୍ଚି ଥିଲା ପୋଲିସ ।