କଟକ: ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ । ପ୍ରଥମ ଦିନରେ ମାତୃଭାଷାର ପରୀକ୍ଷା ଥିବା ବେଳେ ବେଶ ଉତ୍ସାହର ସହିତ ପିଲାମାନେ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ମାଟ୍ରିକ ଏକଜାମ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବୋର୍ଡ କର୍ତୃପକ୍ଷ କୌଣସି ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା ନ ହେବା ପାଇଁ ଯତ୍ନବାନ ହୋଇଛି । ଏଥର ପରୀକ୍ଷାର ସୁପରିଚାଳନାରେ ବ୍ୟବହାର ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ପ୍ରବେଶ ସମୟରେ ଯାଞ୍ଚ ପ୍ରକ୍ରିୟା ରେ ନିୟମ ଉଲଂଘନ ସମେତ ହଲ ଭିତରେ ବେଞ୍ଚ ଡେସ୍କ ବ୍ୟବସ୍ଥିତ ଢଙ୍ଗରେ ନପଡିବା ଘଟଣାକୁ ମଧ୍ୟ ଠାବ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।
ଏନେଇ ବୋର୍ଡ ସଭାପତି ଅସନ୍ତୋଷ ଜାହିର କରିବା ସହ ଏହା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ସଜାଗ ରହିବାକୁ ସମ୍ପୃକ୍ତ ଜିଲ୍ଲାର DEO ମାନଙ୍କୁ କଡା ଚେତାବନୀ ଦେଇଛି । ପରୀକ୍ଷା ଆରମ୍ଭ ରୁ ବୋର୍ଡ କାର୍ଯ୍ୟାଳୟରେ ଲାଗିଥିବା ଏହି ନୂଆ ବ୍ୟବସ୍ଥାରେ ବିଭିନ୍ନ କେନ୍ଦ୍ରରେ ଚାଲୁଥିବା ପରୀକ୍ଷାର ସମୀକ୍ଷା କରିଥିଲେ ବୋର୍ଡ କର୍ତ୍ତୃପକ୍ଷ । ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ନିଜେ କଣ୍ଟ୍ରୋଲ ରୁମ ରେ ଉପସ୍ଥିତ ରହି ପରୀକ୍ଷାର ଟିକନିକ ତଥ୍ୟ ଏହି ନୂତନ ପଦ୍ଧତି ମାଧ୍ୟମରେ ସମୀକ୍ଷା କରିଥିଲେ । ତେବେ ପ୍ରଥମ ଦିନ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ଚାଲିଛି ମାଟ୍ରିକ ପରୀକ୍ଷା; ଦେଖନ୍ତୁ କେମିତି ରହିଛି ସ୍ଥିତି, କ'ଣ କହୁଛନ୍ତି ପିଲା