ନିଆଳି: ରୁଗ୍ଣ ଅବସ୍ଥାରେ କଂସା ଓ ପିତ୍ତଳ ଶାଳ । ଶଙ୍କଟରେ କାରିଗର ଓ ଶ୍ରମିକ । କୂଳ ବେଉସା ବୁୁଡିବାକୁ ବସିଛି । ଦିନ ଥିଲା କଂସା ଓ ପିତ୍ତଳ ପାଇଁ ପ୍ରସିଦ୍ଧି ଲାଭ କରିଥିଲା ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ବାଳକାଟି ଅଞ୍ଚଳ । ମୁଖ୍ୟତଃ କଞ୍ଚାମାଲ ଅଭାବ ଓ ସରକାରୀ ପ୍ରୋତ୍ସାହନ ଅଭାବ କାରଣରୁ କଂସା ଓ ପିତ୍ତଳ କାରିଗର ଏହି ବେଉସାରୁ ମୁହଁ ଫେରାଉଥିବା କୁହାଯାଉଛି ।
ଶତାଧିକ ଗାଁରେ ଥିଲା କଂସା ଓ ପିତ୍ତଳ ଶାଳ:
ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବାଳକାଟି ଅଞ୍ଚଳର ୧୦୦ରୁ ଊର୍ଦ୍ଧ୍ୱ ଗାଁରେ ଥିଲା କଂସା ଓ ପିତ୍ତଳ ଶାଳ । ଏବେ ଏସବୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର । ରଥିଜେମା ଗାଁର ସୁଧାକର ସାହୁ କଂସା ଓ ପିତ୍ତଳ କାରିଗର କହିଛନ୍ତି,"ବାଳକାଟି, ରଥିଜେମା, କଣ୍ଟିଲୋ, ବଇଁଚୁଆ, ଘଣ୍ଟି ଏମିତି ଅନେକ ଗାଁରେ କଂସା ଓ ପିତ୍ତଳରେ ଥାଳି, ଗିନା , ଗ୍ଲାସ, କଂସା, ଗରା ,ଥାଳିଆ, ଢାଳ ଆଦି ଆମ ଜେଜେବାପା ଅମଳରୁ କରିଆସିଛୁ । ଏବେ ଏହା ଚାହିଦା କମିଯାଉଛି । ରାଜ୍ଯ ବାହାରୁ କଞ୍ଚାମାଲ ଆସୁଥିଲା ଏବେ ଆସୁନଥିବାରୁ ଅସୁବିଧା ହେଉଛି । ପୂର୍ବ ଭଳି ଆଉ ଶାଳ ଚାହୁଁନାହିଁ । ସରକାରୀ ସାହାଯ୍ୟ ନାହିଁ, କାଁ ଭାଁ ଚାଲିଛି ଶାଳ ।" ସେହିପରି ଆଉ ଜଣେ କାରିଗର କହିବା କଥା,"ପୂର୍ବରୁ ୫୦୦ ଥିଲା ଏବେ ୪୦ ରୁ ୫୦ ଶାଳ ଅଛି । ଆଉ ସବୁ ବନ୍ଦ ହୋଇଗଲାଣି । କଞ୍ଚାମାଲ ଅଭାବ ଓ ଦରବୃଦ୍ଧି ମୁଖ୍ଯ କାରଣ।"
ଏହା ବି ପଢନ୍ତୁ...ଆଧୁନିକ ଯୁଗରେ କମୁଛି ଶିଳପୁଆର ଆଦର, ଲୋପ ପାଇବାକୁ ବସିଛି କୌଳିକ ବୃତ୍ତି - Stone Made Products