ବ୍ରହ୍ମପୁର: ମହାଶିବରାତ୍ରିରେ ଉତ୍ସବମୁଖର ମହୁରୀ ଅଷ୍ଟଶମ୍ଭୁ ପୀଠ । ଗଞ୍ଜାମ ଜିଲ୍ଲାର ମହୁରୀ ଗଡର ପ୍ରସିଦ୍ଧ ଅଷ୍ଟଶମ୍ଭୁ ପୀଠରେ ପ୍ରତିବର୍ଷ ଜମିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀ ସକଳେଶ୍ୱର ମହାଦେବ, ଶ୍ରୀ ସୁନ୍ଦରେଶ୍ୱର ମହାଦେବ, ଶ୍ରୀ ସୋମେଶ୍ୱର ମହାଦେବ, ଶ୍ରୀ ଖୋଲେଶ୍ୱର ମହାଦେବ, ଶ୍ରୀ ଷଣ୍ଢେଶ୍ୱର ମହାଦେବ, ଶ୍ରୀ ଇଶାଣେଶ୍ୱର ମହାଦେବ, ଶ୍ରୀ ବ୍ରହ୍ମେଶ୍ୱର ମହାଦେବ ଏବଂ ଶ୍ରୀ ଗୋକର୍ଣ୍ଣେଶ୍ୱର ମହାଦେବଙ୍କ ରହିଛି ଅପାର ମହିମା । କେଉଁ ସ୍ଥାନରେ ଅବସ୍ଥିତ ମହୁରୀ ଅଷ୍ଟଶମ୍ଭୁ ପୀଠ ଏବଂ ପ୍ରତ୍ୟେକ ପୀଠର ମହିମା ବିଷୟରେ ଆସନ୍ତୁ ଜାଣିବା ।
ଶ୍ରୀ ସକଳେଶ୍ୱର ମହାଦେବଙ୍କ ପୀଠ (ଭାବିନିପୁର-ବ୍ରହ୍ମପୁର) – ମହୁରୀଗଡର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବ୍ରହ୍ମପୁର ସହରର ଉପକଣ୍ଠ ଭାବିନିପୁର ଗ୍ରାମରେ ରହିଥିବା ଶ୍ରୀ ସକଳେଶ୍ୱର ମହାଦେବଙ୍କ ପୀଠ । ଶ୍ରୀ ସକଳେଶ୍ୱର ମହାଦେବ ମୁଖ୍ୟ ଶମ୍ଭୁ ଭାବେ ମଧ୍ୟ ପରିଚିତ । ମହାଦେବଙ୍କ ପୀଠରେ ଦୁଇଟି ଲିଙ୍ଗ ପୂଜା ପାଇ ଆସୁଥିବା କହିଛନ୍ତି ପୀଠର ମୁଖ୍ୟ ପୂଜକ ରାଜେନ୍ଦ୍ର ରାଉଳ । ଏଠାରେ ବର୍ଷ ତମାମ ଭକ୍ତଙ୍କ ଭିଡ ଜମୁଥିବାବେଳେ ମହାଶିବରାତ୍ରି ଅବସରରେ ଦିନ ତମାମ ଭକ୍ତମାନେ ଲମ୍ୱା ଧାଡିରେ ଆସି ମହାଦେବଙ୍କୁ ଦର୍ଶନ କରିଛନ୍ତି । ଜାଗରର ଚାରି ପ୍ରହରର ପୂଜାର୍ଚ୍ଚନା ଏଠାରେ କରାଯାଉଛି । ମୁଖ୍ୟ ପୂଜକ କହିଛନ୍ତି, "ହଜାର ହଜାର ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବାବେଳେ ଏଠାରେ ବହୁତ ଭିଡ ଜମିଥାଏ । ଏପରିକି ଅଞ୍ଚଳର ୫୦ରୁ ୬୦ ଖଣ୍ଡ ଗ୍ରାମବାସୀ ଏଠାରେ ରହି ମହାଦେବଙ୍କୁ ଆରାଧନା କରିଥାନ୍ତି । ମହାଦେବଙ୍କ ପୀଠର କିମ୍ୱଦନ୍ତୀ ଅତ୍ୟନ୍ତ ପ୍ରାଚୀନ ରହିଥିବାବେଳେ ମହୁରୀ ରାଜାଙ୍କ କିମ୍ୱଦନ୍ତୀ ମଧ୍ୟ ମଧ୍ୟରେ ଏଠାରେ ରହିଛି । ଏପରିକି ମହାଦୀପ ଉଠିବା ପ୍ରକ୍ରିୟା ରାତ୍ର ୧୧ଟା ୩୦ ରୁ ଆରମ୍ଭ ହୋଇ ୧୨ଟା ୩୦ ମଧ୍ୟରେ ଶେଷ ହେବ ବୋଲି କୁହାଯାଇଛି ।
ଶ୍ରୀ ସୁନ୍ଦରେଶ୍ୱର ମହାଦେବଙ୍କ ପୀଠ-( ସୁନ୍ଦରପୁର- ଛତ୍ରପୁର )- ମହୁରୀଗଡର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ଶ୍ରୀ ସୁନ୍ଦରେଶ୍ୱର ମହାଦେବଙ୍କ ପୀଠ ଅନ୍ୟତମ । ପଶ୍ଚିମାଭିମୁଖି ପୀଠ ଭାବରେ ଏହାର ରାଜ୍ୟରେ ରହିଛି ସ୍ୱତନ୍ତ୍ର ପରିଚୟ । ମହାଶିବରାତ୍ର ଅବସରରେ ହଜାର ହଜାର ଭକ୍ତଙ୍କ ଜନସମାଗମ ହୋଇଛି । "ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି" ବୋଲି କହିଛନ୍ତି ସିନ୍ଦରପୁର ପଞ୍ଚାୟତର ସରପଞ୍ଚ ଗଗନ ବେହେରା। ଶ୍ରୀ ସୁନ୍ଦରେଶ୍ୱର ମହାଦେବଙ୍କ ପୀଠରେ ଭକ୍ତମାନେ ଯାହା ମାନସିକ କରିଥାନ୍ତି ତାହା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ପୀଠର ମହିମା ମଧ୍ୟ ସ୍ୱତନ୍ତ୍ର । ପୀଠର ଇତିହାସ ଅତ୍ୟନ୍ତ ପୁରାତନ । ଭୋର ସମୟରୁ ଆରମ୍ଭ ହୋଇଥିବା ପଜାର୍ଚ୍ଚନା ମଧ୍ୟରାତ୍ରର ମହାଦୀପ ଉଠିବା ଏବଂ ତାର ପରବର୍ତ୍ତୀ ସମୟରେ ସମସ୍ତ ପ୍ରକାର ପୁଜାର୍ଚ୍ଚନା ଯେପରି ହେବ ସେ ନେଇ ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶ୍ରୀ ସୋମେଶ୍ୱର ମହାଦେବଙ୍କ ପୀଠ (ଗଉଞ୍ଜୁ ) - ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକର ଗଉଞ୍ଜୁରେ ରହିଥିବା ଶ୍ରୀ ସୋମେଶ୍ୱର ମହାଦେବଙ୍କ ପୀଠ ଅନ୍ୟତମ । ମୁଖ୍ୟତଃ ମହୁରୀଗଡର ରାଜା ଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ଏହି ଅଷ୍ଟଶମ୍ଭୁ ପୀଠ ଗୁଡିକୁ ସେହି ସମୟରେ ରାଜା ନିୟମିତ ଭାବେ ଆସି ମହାଦେବଙ୍କୁ ଦର୍ଶନ କରି ଯାଉଥିବା ଜଣାଯାଏ । ସେପଟେ ମନ୍ଦିରର ପୂଜକସନ୍ତୋଷ ରଣାଙ୍କ କହିଛନ୍ତି, "ଭକ୍ତମାନେ ବର୍ଷ ତମାମ ସୋମେଶ୍ୱର ମହାଦେବଙ୍କ ପୀଠକୁ ଆସି ଦର୍ଶନ କରୁଥିବାବେଳେ ମହାଦେବଙ୍କ ନିକଟରେ ଯିଏ ଯାହା ମାନସିକ କରେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମହାଶିବରାତ୍ରୀ ଅବସରରେ ଏଠାରେ ଭୋର ୩ ଟା ସମୟରେ ମଙ୍ଗଳ ଆଳତି କରାଯିବା ସହିତ ମହାଦେବଙ୍କ ପୂଜାର୍ଚ୍ଚନା, ମାର୍ଜଣା, ଅଭିଶେକ କରାଯାଉଥିବାବେଳେ ସକାଳ ୬ଟାରୁ ଆରମ୍ଭ କରି ମୋଟ 8 ଟି ପ୍ରହରରେ ପୂଜାର୍ଚ୍ଚନା କରାଯାଇଥାଏ । ସେପଟେ ରାତ୍ର ୧୨ଟା ମଧ୍ୟରେ ମହାଦୀପ ଉଠିବା କାର୍ଯ୍ୟ ହୋଇଥାଏ ।
ଶ୍ରୀ ଖୋଲେଶ୍ୱର ମହାଦେବଙ୍କ ପୀଠ (କୋଳଥିଗାଁ )- ମହୁରୀ ଗଡର ପ୍ରସିଦ୍ଧ ପୀଠ ଭାବରେ ଶ୍ରୀ ଖୋଲେଶ୍ୱର ମହାଦେବଙ୍କ ପୀଠ ଅନ୍ୟତମ । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାର ବ୍ଲକର କୋଳଥିଗାଁ ଠାରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ଶ୍ରୀ ଖୋଲେଶ୍ୱର ମହାଦେବ । ମନ୍ଦିରର ପୂଜକ ଉମାକାନ୍ତ ରଣା କହିଛନ୍ତି, "ଏହି ପୀଠ ଅତ୍ୟନ୍ତ ପୁରାତନ ହୋଇଥିବାବେଳେ ମହୁରୀ ରାଜାଙ୍କ ଶାସନ ସମୟରେ ଏଠାରେ ଥିବା ଗୁପ୍ତେଶ୍ୱର ମନ୍ଦିର ପାଇଁ ଆବଶ୍ୟକ ରହିଥିବା ଏକ କୂଅ ଖୋଳାଯାଉଥିବାବେଳେ ସେହି ସମୟରେ ବାହାରିଥିବା ମହାଦେବଙ୍କୁ ଖୋଲେଶ୍ୱର ନାମରେ ନାମିତ କରାଯାଇଥିଲା । ସେପଟେ ଚଳିତବର୍ଷର ମହାଶିବରାତ୍ର ଅବସରରେ ଭୋର ୨ ଟାରୁ ମନ୍ଦିର ଖୋଲାଯାଇ ସମସ୍ତ ପ୍ରକାର ପାରମ୍ପରିକ ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା ।
ଶ୍ରୀ ଷଣ୍ଢେଶ୍ୱର ମହାଦେବଙ୍କ ପୀଠ(ରାଳବ )- ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକର ରାଳବ ଅଞ୍ଚଳରେ ରହିଥିବା ଶ୍ରୀ ଷଣ୍ଡେଶ୍ୱର ମହାଦେବଙ୍କ ପୀଠ ଅନ୍ୟତମ । ପୀଠର ପୂଜକ ରମାରଞ୍ଜନ ରଣା କହିଛନ୍ତି, "କାହିଁ କେଉଁ କାଳରୁ ମହାଦେବ ରାଳବ ଅଞ୍ଚଳରେ ପୂଜା ପାଇ ଆସୁଥିବାବେଳେ ମହୁରୀ ରାଜା ତାଙ୍କ ଶାସନ ସମୟରେ ପ୍ରାତଃ ଭ୍ରମଣ କରି ଅଷ୍ଟଶମ୍ଭୁ ଦର୍ଶନ କରି ଯିବାର ପରମ୍ପରା ରହିଥିଲା । ଏହାପରେ ହିଁ ରାଜା ଦେବକାର୍ଯ୍ୟ କରି ନିଜର ରାଜକାର୍ଯ୍ୟ କରି ଆସୁଥିଲେ । ପବିତ୍ର ମହାଶିବରାତ୍ର ଅବସରରେ ମନ୍ଦିର କମିଟିର ସହଯୋଗରେ ସମସ୍ତ କାର୍ଯ୍ୟ ସୂଚାର ରୂପେ ପରିଚାଳନା ହେଉଥିବା କହିଛନ୍ତି । ସେପଟେ ମନ୍ଦିରର ପୂଜକସୁରେଶ କୁମାର ରଣାଙ୍କ କହିବା କଥା, "ମହୁରୀ ତାଲୁକାରେ ରହିଥିବା ଏହି ପୀଠରେ ମନ୍ଦିରରେ ଭୋର ୩ ଟା ସମୟରୁ ସମସ୍ତ ପ୍ରକାର ପୂଜାର୍ଚ୍ଚନା ହୋଇଥିବାବେଳେ ରାତ୍ର ୧୧ଟା ୪୫ରେ ମହାଦୀପ ଉଠିବା ପାଇଁ ସମୟ ସ୍ଥିର କରାଯାଇଛି ।"