ବୌଦ୍ଧ:ଦିନକୁ ଦିନ ମହାନଦୀରେ ବେଆଇନ ବ୍ଲାଷ୍ଟିଙ୍ଗ ତଥା ବିଷ ପ୍ରୟୋଗ ଯୋଗୁଁ ବିପଦରେ ମତ୍ସ୍ୟ ସମ୍ପଦ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପ୍ରଥମ ଥର ପାଇଁ ମହାନଦୀରେ ମାଛ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡିଗଡ ମହାନଦୀର ଉପତ୍ୟକାରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ମହାନଦୀର ମାଛ ପାଇଁ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ମହାନଦୀରେ ମାଛ ଧରି କେଉଟ, ଧିବର ଭଳି କେତେକ ସଂପ୍ରଦାୟର ପରିବାର ଜୀବିକା ନିର୍ବାହ କରି ଆସୁଛନ୍ତି । ଜିଲ୍ଲାର ଖଡଙ୍ଗ, ତେଲନଦୀ, ମହାନଦୀ, ସାଲୁଙ୍କୀ, ବାଘନଦୀ ଭଳି ବିଭିନ୍ନ ନଦୀରୁ ମାଛ ଧରି ଶହ ଶହ ପରିବାର ପ୍ରତିପୋଷଣ ହୋଇଥାନ୍ତି । ହେଲେ ବିଗତ କିଛି ବର୍ଷ ହେଲା ଜିଲ୍ଲାର ବିଭିନ୍ନ ନଦୀରୁ ମାଛ ଧରିବାକୁ ବେଆଇନ ବ୍ଲାଷ୍ଟିଙ୍ଗ ତଥା ବିଷ ପ୍ରୟୋଗ ଯୋଗୁଁ ଅନେକ ମାଛ ପ୍ରଜାତି ଲୋପ ପାଇଗଲେଣି । ଏହାଛଡା ବଡ଼ ବଡ଼ ମାଛ ସହିତ ଛୋଟ ଜାଆଁଳ ମାଛ ବଂଶ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି । ତେଣୁ ବୌଦ୍ଧ ଜିଲ୍ଲାର ମହାନଦୀରେ ବିଭିନ୍ନ ମାଛ ଜାଆଁଳା ବଂଶ ବୃଦ୍ଧି ପାଇଁ ପ୍ରଥମ ଥର ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଗତକାଲି(ବୁଧବାର) ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡିଗଡ ମହାନଦୀର ଉପତ୍ୟକାରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।