ଭୁବନେଶ୍ୱର: ଜଗନ୍ନାଥଙ୍କ ନାଁକୁ ବିକି ଭୋଟ ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବିଜେଡ଼ି । ଭୁଲ ଲୁଚେଇବାକୁ ଯାଇ ଗୋଟିଏ ପରେ ଗୋଟିଏ ଭୁଲ କରି ଚାଲିଛି । ଅର୍ପଣ ରଥର କେତେ ଟଙ୍କା ଆସିଥିଲା ତାହା ହିସାବ କିଏ ଦେବ ? ଆଇପିସି 292-ଏରେ ଏମାନଙ୍କୁ ଗିରଫ କରି ଜେଲ ପଠାଯାଉ । ବିଜେଡିରେ ଯେଉଁମାନେ ସ୍ୱାଭିମାନୀ ଅଛନ୍ତି ଏହି କଥାକୁ ବିରୋଧ କରନ୍ତୁ । ସାରା ଓଡ଼ିଶାର ଲୋକ ବିରୋଧ କରିବା ଦରକାର । ପୁରୀରେ ଅର୍ପଣ ରଥରେ ଚାଉଳ କାନିକା ବାଣ୍ଟିବା ଘଟଣା ପ୍ରସଙ୍ଗରେ ଆଜି ପ୍ରେସମିଟ କରି ଏହି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ମନମୋହନ ସାମଲ କହିଛନ୍ତି, ‘‘ଗତ ଦୁଇ ଦିନ ଧରି ପୁରୀ ଶ୍ରୀମନ୍ଦିରରେ ଚାଞ୍ଚଲ୍ୟକର ବିଷୟ ସମସ୍ତଙ୍କ ସାମ୍ନାକୁ ଆସିଛି । ସେଇ କଥା ନେଇ ଓଡ଼ିଆଙ୍କ ମନ ବ୍ୟଥିତ ହୋଇଛି, ଚିନ୍ତା ବଢ଼ିଛି । ଶହ ଶହ ବର୍ଷ ଧରି ଜଗନ୍ନାଥ ସଂସ୍କୃତିରେ ଜଗନ୍ନଥଙ୍କୁ ରାଜନୀତିରେ ସମ୍ପୃକ୍ତି କରାଯାଇନି । ଜଗନ୍ନାଥଙ୍କୁ ସମସ୍ତେ ମାନନ୍ତି । ଅର୍ପଣ ଚାଉଳ ସଂଗ୍ରହ ହେଲା ତାକୁ ନେଇ ପ୍ରଶ୍ନ କଲେ ସାଧାରଣ ଲୋକେ । ଶ୍ରୀମନ୍ଦିରକୁ ଉଷୁନା ଚାଉଳ ଯିବା ଦୁର୍ଭାଗ୍ୟଜନକ ବିଷୟ । ଏହାକୁ ଆମେ ବିରୋଧ କରୁଛୁ । ଜଗନ୍ନାଥ ମନ୍ଦିରକୁ ନିୟନ୍ତ୍ରଣ କରିବା ଆମ ସଂସ୍କୃତିକୁ ନଷ୍ଟ କରିବା ଅଧିକାର କାହାର ନାହିଁ । ମହାପ୍ରସାଦରେ ଉଷୁନା ଚାଉଳ ହେବ ତାକୁ କେହି କଳ୍ପନାରେ ଭାବି ନଥିଲେ । ଏହା ସମସ୍ତଙ୍କୁ ଚିନ୍ତା ଘାରିଛି । ଗୋ ମାଂସ ଭକ୍ଷଣ କରୁଥିବା ଲୋକକୁ ମନ୍ଦିର ଭିତରକୁ ପ୍ରବେଶ କରାଗଲା । ଗୋଟେ ଭୁଲ ପାଇଁ 100ଟା ଭୁଲ କାମ ବିଜେଡି କରୁଛି । ଯେଉଁମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ବିଭିନ୍ନ ଜାଗାରେ ଜଗନ୍ନାଥଙ୍କୁ ଅପମାନ କରାଗଲା । କେଉଁଠି ଅର୍ପଣ ନାମରେ ଭୋଜି ଭାତ କଲେ ଲୋକେ । ମନ୍ଦିର ପରିଚାଳନା କମିଟି କହିଲା 50 ହଜାର ଟଙ୍କା ଜମା ହୋଇଛି । ସେ ଟଙ୍କାର ରିସିଭ ଅଛିକି ? ଏନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଆଲୋଚନା ମାଧ୍ୟମରେ ଲୋକଙ୍କୁ ବୁଝାଇବୁ । ସବୁଆଡ଼େ ଅର୍ପଣ ରଥ ନାମରେ ରାଜନୀତି ହୋଇଛି ଏମାନଙ୍କୁ ଆଇପିସି 292-ଏରେ ଗିରଫ କରି ଜେଲ ପଠାଯାଉ ।’’