କଟକ: ରାଜ୍ୟରେ ବିଜେପି ସରକାରଶପଥ ଗ୍ରହଣ ସମାରୋହର କିଛି ଘଣ୍ଟା ପୂର୍ବରୁ ନିୟମିତ ବେଲ ପାଇଲେ ନିର୍ବାଚନୀ ହିଂସା ମାମଲାରେ ଗିରଫ ହୋଇଥିବା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପୂର୍ବରୁ ତାଙ୍କୁ ଅନ୍ତରୀଣ ଭାବେ ତିନି ଦିନିଆ ଜାମିନ ମିଳିଥିଲା । ସେ ଏବେ ବେଲରେ ଅଛନ୍ତି । ଆଜି ତାଙ୍କୁ ହାଇକୋର୍ଟରୁ ନିୟମିତ ବେଲ ମିଳିଥିବା ତାଙ୍କ ଓକିଲ ତଥା ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।
ମତଦାନ ଦିନ ବୋଲଗଡ଼ ବ୍ଲକ କାଉଁରିପାଟଣା 114-ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫ ହୋଇ ଜେଲରେ ଯାଇଥିଲେ । ପରେ ପ୍ରଶାନ୍ତଙ୍କୁ ତିନିଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ସେ ଖୋର୍ଦ୍ଧା ଜେଲରୁ ବାହାରିଥିଲେ । ଖୋର୍ଦ୍ଧାବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ସେଦିନ ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ଖୋର୍ଦ୍ଧା ଜେଲ ଆଗରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ସହର ପରିକ୍ରମା କରାଇଥିଲେ । ଏହି ଅବସରରେ ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ କହିବା ସହ ନ୍ୟାୟାଳୟ ଉପରେ ତାଙ୍କର ଭରଷା ଅଛି ବୋଲି କହିଥିଲେ । ଏଥିସହ ଖୋର୍ଦ୍ଧା ମାନଚିତ୍ରରେ ଏକ ବ୍ୟାପକ ପରିବର୍ତ୍ତନ କରି ଖୋର୍ଦ୍ଧାର ବିକାଶ ଶିଖର ଛୁଇଁବ ବୋଲି କହିଥିଲେ ପ୍ରଶାନ୍ତ ।