ଭୁବନେଶ୍ବର:ଭଦ୍ରର ଚାନ୍ଦାବାଲିରେ ପ୍ରଚାର ସାରି ଫେରୁଥିବାବେଳେ ବିଜେପି ଯୁବମୋର୍ଚ୍ଚା ନେତାଙ୍କ ଉପରେ ଆକ୍ରମଣ ଘଟଣା । ଏହି ଆକ୍ରମଣ ପାଇଁ ଶାସକ ବିଜେଡି ଦଳକୁ ଦାୟୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅଭିଯୋଗ କରିଛନ୍ତି ଯେ, ପରାଜୟ ଭୟରେ ବିଜେଡି ରକ୍ତମୁଖା ହୋଇପଡିଛି । ହିଂସା ବାତାବରଣ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଛି । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଏବଂ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧିମାନେ ବିଜେପିର ଯୁବ କାର୍ଯ୍ୟକର୍ତ୍ତାଙ୍କ ଉପରେ ଏପରି ମରଣାନ୍ତକ ଆକ୍ରମଣ କରିଛନ୍ତି ।
ମନମୋହନ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ,ଗତ ୪ ଦିନ ତଳେ ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ସାହୁ ଓ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ସେହି ଚାନ୍ଦବାଲିରେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିବା ସହ ଗାଡିକୁ ଭାଙ୍ଗି ଦେଇଥିଲେ । ପରାଜୟର ଭୟରେ ବିଜେଡି ଏଭଳି ଅନୈତିକ ଓ ହିଂସାକାଣ୍ଡ ଭିଆଉଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ଏଭଳି ହିଂସାକାଣ୍ଡ ଘଟାଉଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ରାଜ୍ୟ ବିଜେପି ମୁଖ୍ୟ ଦାବି କରିଛନ୍ତି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରାଯିବା ଆବଶ୍ୟକ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।