ବ୍ରହ୍ମପୁର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ଚାଲିଛି ଦଳ ଡିଆଁ ନୀତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମର 4 ଜଣ ବିଜେପି କର୍ପୋରେଟର ବିଜେଡିରେ ସାମିଲ ହୋଇଛନ୍ତି । ଦଳରେ ସେମାନଙ୍କୁ ଅବହେଳା କରାଯଉଥିବାରୁ ଦଳୀୟ ନେତାଙ୍କ ଉପରେ ଅସନ୍ତୁଷ୍ଟ କର୍ପୋରେଟରମାନେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ବିଜେଡିରେ ସାମିଲ ହୋଇଥିବା 4 କର୍ପୋରେଟରଙ୍କୁ ବ୍ରହ୍ମପୁରରେ ବିଜେଡି ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ।
ଗତ ସୋମବାର ବ୍ରହ୍ମପୁର ମହାନଗର ନିଗମର 4 ବିଜେପି କର୍ପୋରେଟର ନିଜ ଦଳରୁ ଇସ୍ତଫା ଦେଇ ଭୁବନେଶ୍ୱରରେ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଥିଲେ । ଏହି 4 କର୍ପୋରେଟର ଶଙ୍ଖ ଭବନରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ବିଜେଡିରେ ସାମିଲ ହୋଇଥିଲେ । ଏହାକୁ ନେଇ ବ୍ରହ୍ମପୁରରେ ଦଳରେ ଯୋଗଦାନ କରିଥିବା ନୂତନ କର୍ପୋରେଟର ଏବଂ ସେମାନଙ୍କର ସମର୍ଥକଙ୍କୁ ସ୍ବାଗତ କରାଯାଇଛି । ବିଜେଡିରେ ସାମିଲ ହେବା ପରେ ୫T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ନୂଆ ଭାବେ ବିଜେଡିରେ ସାମିଲ ହୋଇଥିବା କର୍ପୋରେଟର ।
ରାଜଧାନୀରୁ ବ୍ରହ୍ମପୁର ସହରକୁ ଆସିବା ପରେ ପୁଣି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନେତୃତ୍ବରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ବ୍ରହ୍ମପୁର ୨୧ ନମ୍ବର ଓ୍ବାର୍ଡ଼ କର୍ପୋରେଟର ଡ଼ି.କରୁଣାକର, ୨୨ ନମ୍ବର ଓ୍ବାର୍ଡ଼ କର୍ପୋରେଟର ପ୍ରଦୀପ ଶତପଥି, ୨୭ ନମ୍ବର ଓ୍ବାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁ ଓ ୨୦ ନମ୍ବର ଓ୍ବାର୍ଡ଼ କର୍ପୋରେଟର ରଞ୍ଜିତା ବେହେରାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯିବା ସହିତ ତାଙ୍କର ସମର୍ଥକମାନେ ବିଜେଡିରେ ସାମିଲ ହୋଇଥିଲେ । ସମସ୍ତ କର୍ପୋରେଟର ମିଳିମିଶି ବ୍ରହ୍ମପୁର ସହରର ଉନ୍ନତିମୂଳକ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଜନ ହିତକର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ମଧ୍ୟ କାମ କରିବେ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ।