ଭୁବନେଶ୍ବର:ରାଜ୍ୟରେ କୃଷି ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିରୋଧୀ ଦଳ ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳର ସମସ୍ତ ବିଧାୟକ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜଭବନରେ ରାଜ୍ୟପାଳଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ଦିଆଯାଇଛି । ଅନ୍ୟପଟେ ବିଜେଡି ପଳାୟନ ପନ୍ଥୀ ସାଜିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ।
BJD MEETS GOVERNOR (ETV BHARAT ODISHA) ରାଜ୍ୟପାଳଙ୍କୁ ଭେଟିଲା ବିଜେଡି:
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ବିଜେଡିର ସମସ୍ତ ବିଧାୟକ ଆଜି ରାଜଭବନ ଆସିଛୁ । ରାଜ୍ୟପାଳଙ୍କୁ ଭେଟିଛୁ । ରାଜ୍ୟପାଳଙ୍କୁ ଆମେ ଏକ ଦାବିପତ୍ର ଦେଇଛୁ । ରାଜ୍ୟର ଚାଷୀକୂଳ ଦାରୁଣ ଦୁଃଖର ସମ୍ମୁଖୀନ ହେଉଛନ୍ତି । ଗତ ଡିସେମ୍ବର ମାସରେ ଅଦିନିଆ ବର୍ଷାରେ ଲକ୍ଷ ଲକ୍ଷ ଏକ ଚାଷ ଜମି ନଷ୍ଟ ହୋଇଗଲା । ସବୁ ଫସଲ ନଷ୍ଟ ହେଲା । ଚାଷୀ ହାହାକାର କଲେ । କ୍ଷତି ସହି ନପାରି ଅନେକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନେକ ଚାଷୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଏକଥା ସାରା ଦେଶ ଜାଣିଛି । ଦୁର୍ଦ୍ଦଶା ଗ୍ରସ୍ତ ଚାଷୀଙ୍କ ଦୁଃଖ କଷ୍ଟକୁ ରାଜ୍ୟ ସରକାର ଜାଣିପାରୁ ନାହାନ୍ତି । ଚାଷୀଙ୍କୁ ସରକାରଙ୍କ ସାହାଯ୍ୟ ଓ ସହଯୋଗ ମିଳିପାରିନାହିଁ । ଅନେକ ଚାଷୀ ସେମାନଙ୍କ କ୍ଷତିପୂରଣ ପାଇନାହାନ୍ତି । ଉପଯୁକ୍ତ ପରିମାଣରେ କ୍ଷତିପୂରଣ ଦିଅଯାଉଛି ବୋଲି ସରକାର ବାରମ୍ବାର ଘୋଷଣା କରିଛନ୍ତି । କିନ୍ତୁ ଅନେକ ସ୍ଥାନରେ କ୍ଷତିର ଆକଳନ ସରକାର କରିପାରିନାହାନ୍ତି । ''
ଏହା ମଧ୍ୟ ପଢନ୍ତୁ-କାହିଁକି ଚାଲି ପାରୁନି ଗୃହ ? କାରଣ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ - ODISHA ASSEMBLY BUDGET SESSION
ଏହା ମଧ୍ୟ ପଢନ୍ତୁ-ଜୟ ନାରାୟଣଙ୍କ ବିସ୍ଫୋରଣ: ‘ପାଣ୍ଡିଆନଙ୍କ ଇଙ୍ଗିତରେ ଗୃହ ଅଚଳ’, ଜବାବ ଦେଲା ବିଜେଡି - ODISHA ASSEMBLY BUDGET SESSION 2025
ଆତ୍ମହତ୍ୟା କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି:
''ଯେଉଁ ଚାଷୀ ଆତ୍ମହତ୍ୟା କରିଛନ୍ତି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରୁଛୁ । ସେହିପରି ହୃଦଘାତ ଓ ଅନ୍ୟାନ୍ୟ କାରଣରୁ ଚାଷୀଙ୍କର ହୋଇଥିବା ମୃତ୍ୟୁକୁ ଗ୍ରହଣ କରି ଆର୍ଥିକ ବ୍ୟବସ୍ଥା ହେଉ । ଆଗାମୀ ଦିନରେ ଚାଷୀ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ଋଣ ପ୍ରଦାନ କରନ୍ତୁ । ଫଳରେ ସେମାନେ ଅଣ୍ଟା ସଳଖି ଛିଡା ହୋଇପାରିବେ । ''
'କଟନୀ ଛଟନୀ ନା ରେ ଶୋଷଣ କରାଯାଉଛି'
ସେ ଆହୁରି ମଧ୍ୟ କହିଛନ୍ତି, ''ଆଉ ଅନ୍ୟ ଏକ ପ୍ରକାର ଚାଷୀଙ୍କୁ ମାରୁଛନ୍ତି ସରକାର । ଧାନ ସଂଗ୍ରହ ସମୟରେ ବ୍ୟାପକ ପରିମାଣର କଟନୀ ଛଟନୀ ହେଉଛି । ପ୍ରତି ବସ୍ତାରୁ ପ୍ରାୟ 10 କେଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଛି । କଟନୀ ଛଟନୀ ନା ରେ ଶୋଷଣ କରାଯାଉଛି । ସରକାର ଓ ବିଭାଗୀୟ ମନ୍ତ୍ରୀ ବାରମ୍ବାର କଟନୀ ଛଟନୀ ହେବ ନାହିଁ ବୋଲି ଘୋଷଣା କରିଥିଲେ । କିନ୍ତୁ ସରକାରଙ୍କ କଥା ପାଣିର ଗାର ହୋଇଛି । 800 ଟଙ୍କା ଇନପୁଟ ସବ୍ସିଡି ଦିଆଯାଉଛି ବୋଲି ସରକାର ବହାଦୁରୀ ମାରୁଛନ୍ତି । କିନ୍ତୁ ବାମ ହାତରେ ଦେଉଛନ୍ତି, ଡାହାଣ ହାତରେ ଦେଉଛନ୍ତି । ଯେଉଁମାନେ ଆଜି ସରକାରରେ ଅଛନ୍ତି । ସେମାନେ ବିରୋଧୀ ଦଳରେ ଥିଲେ । ବିଜେଡି ପଳାୟନ ପନ୍ଥୀ ନୁହେଁ । ବିଧାନସଭା ଛାଡି ରାଜ୍ୟର ଶାସନ ମୁଖ୍ୟ ରାଜ୍ୟପାଳଙ୍କୁ ଭେଟିବାକୁ ଆସିଛୁ । ଅନୁରୋଧ କରିବାକୁ ଆସିଛୁ ।''
'ବିଜେଡି ପଳାୟନ ପନ୍ଥୀ':
ସେପଟେ ବିଜେଡି ରାଜ୍ୟପାଳଙ୍କୁ ଭେଟିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, "ବିରୋଧୀ ଦଳ ବିଜେଡି ଭୟଭୀତ ଓ ପଳାୟନ ପନ୍ଥୀ । ବିଜେଡି କେବେ ବିରୋଧୀ ଦଳରେ ବସି ନଥିଲା । ତେଣୁ ସେମାନଙ୍କର ଅଭ୍ୟାସ ନାହିଁ, ଟ୍ରେନିଂର ଅଭାବ । ତେଣୁ ସେମାନେ ବିରୋଧୀ ଦଳର କାର୍ଯ୍ୟ ସଠିକ ଭାବେ ନିର୍ବାହ କରିପାରୁନାହାନ୍ତି । ବିଗତ 24 ବର୍ଷରେ ସେମାନେ ଯାହା କରିଛନ୍ତି, ତାହା ତାଙ୍କୁ ଭୋଗିବାକୁ ପଡ଼ିବ । ତେଣୁ ଗୃହରେ ଆଲୋଚନାର ଭାଗ ନନେଇ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ''
ଇଟିଭି ଭାରତ, ଭୁବନେଶ୍ବର