ଭୁବନେଶ୍ବର:ବ୍ୟସ୍ତ ବହୁଳ ଜୀବନ ଭିତରେ ଯେତେବେଳେ ନିଜ ପାଇଁ ମଣିଷ ସମୟ ବାହାର କରିପାରେନା, ସେତେବେଳେ ଅନ୍ୟମାନଙ୍କ କଥା ପଚାରେ କିଏ । ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ସମସ୍ତେ ନିଜ ନିଜ କଥା ଭାବିବା ଭିତରେ ପଶୁପକ୍ଷୀଙ୍କ କଥା କିଏ ବା ଭାବୁଛି ? ଆଉ ଏବେ ଡହଡହ ଖରାରେ ମଣିଷ ଯେତେବେଳେ ଘରୁ ବାହାରକୁ ବାହାରି ପାରୁନି, ତ ଥରେ ଭାବନ୍ତୁ ବାହାରେ ଥିବା ପଶୁପକ୍ଷୀଙ୍କ ଅବସ୍ଥା କ'ଣ ହେଉଥିବ । ମଣିଷ ସିନା ଏସି ଆଉ ଫ୍ୟାନ ଲଗାଇ ରହିଯାଉଛନ୍ତି, ହେଲେ ପଶୁପକ୍ଷୀଙ୍କ କଥା ଭାବିବାକୁ କାହା ପାଖରେ ସମୟ ନାହିଁ । ସେମିତି କହିହେବନି ଯେ, ଏ ସମାଜରେ ପଶୁପ୍ରେମୀ ନାହାନ୍ତି ବୋଲି । ଏମତି ବି ହୃଦୟବାନ ମଣିଷ ଅଛନ୍ତି ଯିଏ ଖରା ଦିନେ ପକ୍ଷୀମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ଆଉ ସେ ପକ୍ଷୀପ୍ରେମୀ ମଣିଷ ହେଉଛନ୍ତି ରାଜଧାନୀର ଶୁଭ୍ରାଂଶୁ ଶତପଥୀ ।
ଖରା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ପ୍ରଚଣ୍ଡ ଖରା ତାତିରେ ଲୋକେ ଆଉଟୁପାଉଟୁ ହୋଇଗଲେଣି । ଗ୍ରୀଷ୍ଣ ପ୍ରକୋପ ପ୍ରଭାବରେ ଚାରିଆଡେ ସୁଖିଯାଇ ମରୁଭୂମି ସଦୃଶ ଦଖାଯାଉଛି । ପଥଚାରୀଙ୍କ ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ଅନେକ ସ୍ଵେଚ୍ଛାସେବୀମାନେ ବୁଲି ବୁଲି ଥଣ୍ଡା ପାଣି ହେଉ ବା ଦହି ପାଣି ବଣ୍ଟନ କରୁଛନ୍ତି । ହେଲେ ପଶୁପକ୍ଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ପାଣି ଟିକେ ପାଇଁ ସେମାନେ ମଧ୍ୟ ଡହଳ ବିକଳ ହେଉଛନ୍ତି । ଯେହେତୁ ପଶୁପକ୍ଷୀଙ୍କ ପାଟି ଖୋଲୁନି ସେମାନେ କହିପାରୁନାହାନ୍ତି କି କାହା ପାଖରେ ଦାବି ମଧ୍ୟ ଜଣାଇ ପାରୁନାହାନ୍ତି । ତେବେ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଭୁବନେଶ୍ବରର ଶୁଭ୍ରାଂଶୁ ଶତପଥୀ, ଯିଏ ଖରା ଦିନେ ପକ୍ଷୀମାନଙ୍କ ପାଇଁ ଚିନ୍ତା ସେମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିଛନ୍ତି । ନିଜେ ବୁଲି ବୁଲି ଗଛ ଉପରେ ଏବଂ ଗଛ ମୂଳରେ ମାଟି ପାତ୍ରରେ ପାଣି ରଖିବା ପାଇଁ ବ୍ୟବସ୍ଥା କରିଥାନ୍ତି । ଏନେଇ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ସହ ବର୍ତ୍ତମାନ ସୁଦ୍ଧା ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ୪୦ ହଜାର ମାଟି ପାତ୍ର ପଶୁପକ୍ଷୀମାନଙ୍କ ଉଦେଶ୍ୟରେ ବଣ୍ଟନ କରିସାରିଛନ୍ତି ଶୁଭ୍ରାଂଶୁ ।