ଭୁବନେଶ୍ବର:ରସୁଲଗଡରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଆଜି ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଦମ୍ପତି ହୋଇଥିବା ବେଳେ ସେମାନଙ୍କ ନାମ ରାକେଶ ନାୟକ ଓ ଲକି ନାୟକ । ଗତକାଲି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ତାର ପତ୍ନୀ ଲିପିକା ନାୟକ ଓ ସହଯୋଗୀ ରକି ନାୟକ ଗିରଫ ହୋଇଥିବା ବେଳେ ଆଜିର ଗିରଫଦାରୀକୁ ମିଶାଇ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ପୂର୍ବ ଶତ୍ରୁତା ହିଁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
- ୫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଦମ୍ପତି
ଆଜି ଡିସିପି ପିନାକ ମିଶ୍ର ପ୍ରେସମିଟ୍ କରି କହିଛନ୍ତି,‘‘ଏହି ବିଭତ୍ସ ହତ୍ୟାକାଣ୍ଡର ମାତ୍ର ୧୨ ଘଣ୍ଟା ଭିତରେ ପୋଲିସ୍ ଓ ସ୍ପେଶାଲ ସ୍କ୍ବାଡ୍ ତଦନ୍ତ କରି ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାଏକ ଓରଫ ବଣ୍ଟି, ତାର ପତ୍ନୀ ଲିପିକା ନାୟକ, ରକି ନାୟକ, ରାକେଶ ନାୟକ ଓ ତାର ପତ୍ନୀ ଲକି ଓରଫ ଲକ୍ଷ୍ମୀ ନାୟକ । ସମସ୍ତଙ୍କୁ ଷଡଯନ୍ତ୍ର ଓ ହତ୍ୟା ମାମଲାରେ ଗିରଫ କରାଯାଇଛି । ପ୍ରାଥମିକ ଜେରା ପରେ କୋର୍ଟ ଚାଲାଣ କରାଯିବ ।’’
- ପୂର୍ବ ଶତ୍ରୁତାରୁ ଯୋଜନାବଦ୍ଧ ହତ୍ୟା : ଡିସିପି
ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଡିସିପି କହିଛନ୍ତି,‘‘ଏହି ଅଭିଯୁକ୍ତମାନଙ୍କ ସହ ହତ୍ୟାର ଶିକାର ହୋଇଥିବା ସହଦେବଙ୍କ ପୂର୍ବ ଶତ୍ରୁତା ଥିଲା । ତେଣୁ ଏମାନେ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି । ହତ୍ୟାରେ ବ୍ୟବହୃତ ଏକାଧିକ ମାରଣାସ୍ତ୍ର ଓ ୪ଟି ମୋବାଇଲ ଫୋନ, ଅଭିଯୁକ୍ତମାନଙ୍କର ରକ୍ତଲଗା ପୋଷାକ, ଦୁଇଟି ବ୍ୟାଗ, ଦୁଇଟି ମୋଟରସାଇକେଲ ଓ କିଛି ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ୍ । ସେସବୁର ଯାଞ୍ଚ ଜାରି ରହିଛି । ଏଥିରେ ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୋଲିସ୍ ସନ୍ଦେହ କରୁଛି । ସେହି ଦିଗରେ ତଦନ୍ତ ଚାଲିଛି ଓ ସେମାନଙ୍କୁ ଖୁବ ଶୀଘ୍ର ମଧ୍ୟ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’
- ଗଠନ ହୋଇଥିଲା ୩ଟି ଟିମ୍
ଡିସିପି କହିଛନ୍ତି,‘‘ ଏହି ମାମଲାରେ ଭୁବନେଶ୍ବର ପୋଲିସ ପକ୍ଷରୁ 3ଟି ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡିର ନମ୍ବରରୁ ପ୍ରଥମେ ସେମାନଙ୍କ ସମ୍ପର୍କରେ ଜଣାପଡିଥିଲା । ପୋଲିସ ଟିମ୍ ଏକାଧିକ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ସଫଳତା ସହ ଗିରଫ କରିଛି । ପ୍ରଥମ ଦିନରେ ୩ ଜଣ ଓ ଆଜି ଦୁଇଜଣଙ୍କୁ ମିଶାଇ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ୧୨ ଘଣ୍ଟା ମଧ୍ୟରେ ସ୍ପେଶାଲ ସ୍କ୍ବାଡ ଓ ମଞ୍ଚେଶ୍ବର ଥାନା ପୋଲିସର ଟିମ୍ ସମସ୍ତ ୫ ଅଭିଯୁକକ୍ତଙ୍କୁ ଗିରଫ କରିପାରିଛି । ଆହୁରି ମଧ୍ୟ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସେହି ଦିଗରେ ତଦନ୍ତ ଜାରି ରହିଛି ।’’
ଏହା ମଧ୍ୟ ପଢନ୍ତୁ:- BJP ନେତାଙ୍କୁ ଟ୍ରକ ଚଢାଇ ହତ୍ୟା ମାମଲା, 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଡ୍ରାଇଭର |