ଭୁବନେଶ୍ବର:ଅବକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଭିଜିଲାନ୍ସ ହାତରେ ଲାଗିଲାଣି ପୁଳା ପୁଳା ଟଙ୍କା ସୁନା ଗହଣା ସହ ୫୨ଟି ପ୍ଲଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ବର ଭିଜିଲାନ୍ସ ତରଫରୁ ଅବକାରୀ ବିଭାଗର ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ କରାଯାଇଥିଲା । ସେ ଲୋକ ଦେଖାଣିଆ ପାଇଁ ଭଡା ଘରେ ରହୁଥିଲେ । ଏପରିକି ପୁଳା ପୁଳା ଫ୍ଲାଟ ଥାଇ ମଧ୍ୟ ରାଜଧାନୀର ଧର୍ମ ବିହାରରେ ଏକ 2BHK ଘରେ ପରିବାର ସହ ରହୁଥିଲେ ।
ବିପୁଳ ସୁନା ଏବଂ ଟଙ୍କା ଜବତ:ଅବକାରୀ ବିଭାଗର ଏହି କର୍ମଚାରୀ ଜଣକ ଏତେ ଆୟ ବହିର୍ଭୂତ ସମ୍ପତ୍ତି ରଖିଛନ୍ତି । ଯେ ଯାହାର ହିସାବ ପାଇବା ପାଇଁ ଭିଜିଲାନ୍ସ ନାକେଦମ ହେଲାଣି । ତେବେ ଏଯାବତ୍ ୫୨ଟି ପ୍ଲଟ ସହ ଏକାଧିକ ଘର ଓ ଫ୍ଲାଟ ତାଙ୍କ ନାଁରେ ରହିଥିବା ଜଣାପଡ଼ିଛି । ସେହିପରି ଘରର ଆଲମାରି ଚାବି ହଜିବା କହି ବାହାନା କରୁଥିବାବେଳେ ଭିଜିଲାନ୍ସ ଚାବି ତଡାଳିକୁ ଡାକି ଖୋଲିବା ପରେ ମିଳିଛି ୨୩୦ଗ୍ରାମରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର,ବିପୁଳ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ।
ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ: ସେ ପେନଡ୍ରାଇଭରେ ରଖୁଥିଲେ ସବୁ ପ୍ଲଟର ତଥ୍ୟ । ଇନକମ ଟାକ୍ସ ବା କାହା ନଜରରୁ ବର୍ତ୍ତିବା ପାଇଁ ପ୍ଲଟ ଯାହାକି ସୁବର୍ଣ୍ଣପୁର ଭଳି ଉପାନ୍ତ ଜିଲ୍ଲାରେ ରଖୁଥିଲେ । ଭୁବନେଶ୍ୱରରେ ଏକ ଫ୍ଲାଟ ଖାରବେଳ ନଗରରେ ଚନ୍ଦ୍ରମା ଆପାର୍ଟମେଣ୍ଟରେ ଥାଇ ବି ନିଜେ ଏକ ଘରେ ଭଡାରେ ରହୁଥିଲେ । ଭିଜିଲାନ୍ସ ରେଡ୍ ସମୟରେ ମିଳିଛି ୫୨ଟି ପ୍ଲଟ ସହ ୬ଟି ଘର ଓ 2ଟି ଫ୍ଲାଟର ସୁରାକ । ଅବକାରୀ ବିଭାଗର ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ରଙ୍କର ସମ୍ପତ୍ତି ପେଡି ଦେଖି ଭିଜିଲାନ୍ସ ତାଜୁବ ।