ଭୁବନେଶ୍ବର:ପୁଣି ଆରମ୍ଭ ହେବ ଭୁବନେଶ୍ବର କାହାଣୀ ମହୋତ୍ସବ ବା ଭୁଫେଷ୍ଟୋ । ପାର୍କରେ କାହାଣୀ କହିବେ କାହାଣୀକାର । ଯାହାର ମଜା ନେବେ ବା କାହାଣୀ ଶୁଣିବାର ସୁଯୋଗ ପାଇବେ କୁନିକୁନି ପିଲା । ଏହି ଭୁଫେଷ୍ଟୋ ଆସନ୍ତା ଫେବୃଆରୀ ୩ ତାରିଖରୁ ଆରମ୍ଭ ହୋଇ ତିନିଦିନ ଯାଏଁ ଅର୍ଥାତ ୫ ତାରିଖ ଯାଏ ଚାଲିବ ।
ତେବେ ଚନ୍ଦ୍ରଶେଖରପୁର ବୁଦ୍ଧ ଜୟନ୍ତୀ ପାର୍କ , ୟୁନିଟ-୨ ସ୍ଥିତ ଇନ୍ଦିରାଗାନ୍ଧୀ ପାର୍କ , ସମ ହସ୍ପିଟାଲ ସ୍ଥିତ ଏପିଜି ଅବଦୁଲ କାଲାମ ପାର୍କ ଓ ପୋଖରୀପୁଟ ସ୍ଥିତ କଳାଭୂମି ଠାରେ ଭୁଫେଷ୍ଟୋ ପାଇଁ ଆୟୋଜନ କରାଯାଇଛି । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କାହାଣୀକାର ସାମିଲ ହେବେ ଆଉ ପିଲାଙ୍କୁ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ କାହାଣୀ କହିବେ । ପ୍ରତିଦିନ ଅପରାହ୍ନ ୨ ଟା ୩୦ ରୁ ୭ ଟା ୩୦ ପର୍ଯ୍ୟନ୍ତ ପିଲାମାନେ କାହାଣୀ ଶୁଣିବାର ସୁଯୋଗ ପାଇବେ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ବକୁଳ ଫାଉଣ୍ଡେସନର ସହଭାଗୀତାରେ ଏହି କାହାଣୀ ମହୋତ୍ସବ ହେବାକୁ ଯାଉଛି । ତେବେ ଏନେଇ ବକୁଳ ଫାଉଣ୍ଡେସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।