ଭୁବନେଶ୍ବର:ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି ଦୈନିକ ୨୦-୨୫ ଅଂଶୁଘାତ ପ୍ରଭାବିତ ରୋଗୀ । ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । କିଛି କିଛି ସ୍ଥାନରେ ହିଟ୍ ୱେଭ ସ୍ଥିତି ଦେଖିବାକୁ ମିଳୁଛି । ତାପମାତ୍ରା ୪୪ ଛୁଇଁଲାଣି । ପ୍ରତ୍ୟେକ ଦିନ ୨୦ରୁ ୨୫ ଜଣ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କୁ ଉତ୍ତମ ଚିକିତ୍ସା କରାଯାଉଥିବା ସହ ଓଆରଏସ ମଧ୍ୟ ଯୋଗାଇ ଦିଆଯାଉଛି । ଅଂଶୁଘାତ ଦ୍ଵାରା ପ୍ରଭାବିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବା ପୂର୍ବାରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟକ୍ତିଙ୍କ ଶରୀରକୁ ଓଦା କପଡ଼ାରେ ଗୁଡ଼ାଇ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଆସିବା ଜରୁରୀ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।
ଏପଟେ ରାଜ୍ୟରେ ଅଂଶୁଘାତରେ ଗତକାଲି ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ଵରର ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିଲା । ଏହା ସହ ଗତକାଲି ସୁଦ୍ଧା ଅଂଶୁଘାତ ଓ ହିଟ୍ ରିଲେଟେଡ ଇଲନେସରେ ୭୧ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ ୭, ଅନୁଗୋଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍ ରିଲେଟେଡ ଇଲନେସ ପାଇଁ ଆଡ଼ମିଶନ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ....ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି ମେଡିକାଲ - SCB Medical