କେନ୍ଦ୍ରାପଡ଼ା:ଆଜିଠାରୁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ପ୍ରତିବର୍ଷ ଭଳି ଚଳିତବର୍ଷ କୁମ୍ଭୀର ଗଣନା ପାଇଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଆଜି ଅର୍ଥାତ ଜାନୁଆରୀ ୧୪ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ । ଜାନୁଆରୀ ୧୯,୨୦ ଓ ୨୧ ତାରିଖ 3ଦିନ ଧରି ଗଣନା କାର୍ଯ୍ୟ ଚାଲିବ ।
କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ :
ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକମାନେ ବୁଲି ନଆସିବା ପାଇଁ ନିବେଦନ କରିଛି ରାଜନଗର ବନ ବିଭାଗ ।ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ପାଣି ସ୍ଥିର ରହିବା ପରେ ହଁ କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।
3ଦିନ ଧରି ଚାଲିବ ଗଣନା କାର୍ଯ୍ୟ:
ସେ ଆହୁରି ମଧ୍ୟ କହିଛନ୍ତି," ଭିତରକନିକାକୁ ସଲଗ୍ନ ଥିବା ନଦୀ, ନାଳଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ବିଶାରଦ ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ କୁମ୍ଭୀର ଗଣନା କରିବେ । ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ । ଗତବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛୁ । ୧୪ ତାରିଖରୁ ୨୨ ତାରିଖ ଭିତରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ଟୁରିଷ୍ଟ ମାନଙ୍କର ପ୍ରବେଶ ବନ୍ଦ ରହିବ । ୧୯,୨୦ ଓ ୨୧ ତାରିଖରେ ଗଣନା କାର୍ଯ୍ୟ ଚାଲିବ ।"