ଭବାନୀପାଟଣା:ନୂଆ ରୂପ ପାଇବାକୁ ଯାଉଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଐତିହାସିକ ପୁଷ୍କରିଣୀ "ଆଶା ସାଗର"। ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଆଶା ସାଗରର ହେବ ପୁନରୁଦ୍ଧାର । ଆଶା ସାଗରକୁ କରାଯିବ ସୌନ୍ଦର୍ଯ୍ୟକରଣ । ଆଉ ଏହି କାମ କରିବେ ସହରର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ତେବେ ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୬ କୋଟି ୬୮ ଲକ୍ଷ ୬୧ହଜାର ଟଙ୍କା ଅନୁମୋଦନ କରିଛନ୍ତି । ଯାହାକି ନିକଟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
କଳାହାଣ୍ଡିର ଐତିହ୍ୟ ସମ୍ପନ୍ନ ‘ଆଶା ସାଗର' ପୁନରୁଦ୍ଧାର କାର୍ଯ୍ୟ ପାଇଁ ବହୁଦିନ ଧରି ଦାବି ହୋଇ ଆସୁଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ‘୫T’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ୨୦୨୩ ମସିହା ମେ ୨୦ ତାରିଖରେ ଭବାନୀପାଟଣା ଗସ୍ତ କରି ‘ଆଶା ସାଗର'ର ନବୀକରଣ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ମୋଟ ୬ କୋଟି ୬୮ ଲକ୍ଷ ୬୧ହଜାର ଟଙ୍କା ବ୍ୟୟ ଅଟକଳକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ତଥା ‘ଆମ ପୋଖରୀ’ ଯୋଜନା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ଆଶା ସାଗରର ନବୀକରଣ ପାଇଁ ଆସିଥିବା ଅର୍ଥ ବିନିମୟରେ ପ୍ରାଥମିକ ପର୍ଯ୍ୟାୟରେ ଆଶା ସାଗରରୁ ପଙ୍କ ଉଦ୍ଧାର, ଜଳ ନିଷ୍କାସନ, ଘାସ ଦଳ ସଫା କରିବା, ବନ୍ଧ ସୁଦୃଢ଼ୀକରଣ, ଗଭୀର ପ୍ରାଚେରୀ, ପ୍ରାକୃତିକ ସମାଧାନ ଜଳାଶୟରେ ଆର୍ଦ୍ରଭୂମି ପ୍ରସ୍ତୁତ କରାଯିବ । ପରେ ଲେକ ମଡେଲ ନିର୍ମାଣ ପଦ୍ଧତି ପ୍ରତି ଗୁରୁତ୍ୱ ଦିଆଯିବ।
ସେପେଟେ ପରବର୍ତ୍ତୀ ସମୟରେ ଆଶା ସାଗରର ସୌନ୍ଦର୍ଯ୍ୟକରଣ ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି ପୌରପରିଷଦ ପକ୍ଷରୁ ସୂଚନ ମିଳିଛି । ଏହି ସମସ୍ତ କାର୍ଯ୍ୟର କରିବା ପାଇଁ ମିଶନ ଶକ୍ତି ସହଯୋଗ କରିବେ । ଭବାନୀପାଟଣା ପୌରପାଳିକା ଅଧୀନରେ ଥିବା ୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆଶା ସାଗର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି ପୁନରୁଦ୍ଧାର କାର୍ଯ୍ୟରେ ଆଶା ସାଗରର ଜଳ ଧାରଣ କ୍ଷମତାକୁ ବୃଦ୍ଧି କରାଯିବ । ଏହାସହ ଆଶାସାଗରର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ, ପାର୍କ ନିର୍ମାଣ, ମର୍ଣିୱାକ ଟ୍ରାକ୍ ଭଳି ଅନେକ ଯୋଜନା କରାଯିବାକୁ ଯୋଜନା ରଖାଯାଇଛି ।