ଭୁବନେଶ୍ବର:ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ ହେବ ଓ 60 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗଙ୍କୁ ସରକାର ଅନୁରୋଧ କରିଛନ୍ତି । ସେହିପରି ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତଦାରଖରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ମଧ୍ୟ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଗତକାଲି (ରବିବାର) ରାତିରେ କେନ୍ଦୁଝର ଗସ୍ତରୁ ଫେରି ଭୁବନେଶ୍ୱରରେ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଚ୍ଚସ୍ତରୀୟ ବୈଠକରେ ଘଟଣାର ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଥିବା ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
- ସତ୍ୟର ଅନୁଷ୍ବଣ କରିବୁ
ପ୍ରଥମ ପ୍ରତିକ୍ରିୟାରେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ କହିଛନ୍ତି,‘‘ସତ୍ୟର ଅନୁଷ୍ବଣ କରିବୁ, ଟର୍ମ ଅଫ ରେଫରେନ୍ସ ଦେଖିବା ପରେ ଯାହା କିଛି କହିହେବ । ଘଟଣାର ପୁନରାବୃତ୍ତି ନଘଟିବା ପାଇଁ କମିଶନ କାମ କରିବ । ଦୋଷ ଥିଲେ କମିଶନ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିବ । ମେଜର ବାନ୍ଧବୀ, ପୋଲିସ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବୟାନ ରେକର୍ଡ ହେବ । ସମସ୍ତେ ପକ୍ଷ ରଖିବେ । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନ ।’’
- ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ !
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି,"ମୁଖ୍ୟମନ୍ତ୍ରୀ ଆଇନର ଶାସନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଆସିଛନ୍ତି । ଏହା ସହିତ ଭାରତୀୟ ସେନା ପ୍ରତି ମଧ୍ୟ ରାଜ୍ୟ ସରକାରଙ୍କ ସମ୍ମାନ ରହିଛି । ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଯତ୍ନବାନ ଅଛନ୍ତି । ଏହି ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀ ମାନଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ସେମାନଙ୍କ ବିରୁଦ୍ଧରେ କେସ ମଧ୍ୟ କରାଯାଇଛି । ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଇନ ଅନୁଯାୟୀ ଦେଷୀ ସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଛନ୍ତି ।
- ଗତକାଲି ରାତିରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଉପସ୍ଥିତ ଥିଲେ ।