ନିଆଳି:ଆଜି ହେଉଛି ପବିତ୍ର ଭୈମୀ ଏକାଦଶୀ । ଚଳଚଞ୍ଚଳ ହୋଇ ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକ ମାଧବ ଗ୍ରାମସ୍ଥିତ ମାଧବାନନ୍ଦ ଜୀଉଙ୍କ ପୀଠ । ଭୈମୀ ଏକାଦଶୀରେ ପ୍ରାଚୀ ନଦୀରେ ବୁଡ ପକାଇ ମାଧବାନନ୍ଦଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ନିଆଳିର ଆରାଧ୍ୟ ଦେବତା ମାଧବାନନ୍ଦଙ୍କ ପୀଠରେ ଭୈମୀ ଏକାଦଶୀ ଯାତ୍ରା ପ୍ରତିବର୍ଷ ପରି ଚଳିତ ବର୍ଷ ଆଜି (ଶନିବାର) ଅନୁଷ୍ଠିତ ହୋଇଯାଇଛି ।
ପ୍ରାଚୀ ନଦୀରେ ବୁଡ଼:
ଆଜି ପ୍ରତ୍ୟୁଷରୁ ମାଧବାନନ୍ଦଙ୍କ ନୀତିକାନ୍ତି ସହକାରେ ପୂଜା ଅର୍ଚ୍ଚନା କରାଯାଇଛି । ଭୈମୀ ଏକାଦଶୀ ଦିନରେ ମାଧବାନନ୍ଦଙ୍କ ପାଖେ ଲାଗି ହୋଇଛି ପ୍ରମୁଖ ଭୋଗ ଚୁଡା, ଗୁଡ, ନଡିଆ ଏବଂ କଦଳୀ । ସକାଳ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରାଚୀ ନଦୀରେ ବୁଡ଼ ପକାଇବା ସହ ମାଧବାନନ୍ଦଙ୍କ ନିକଟରେ ଭୋଗ ଲଗାଇଛନ୍ତି । ପ୍ରାଚୀ ନଦୀରେ ବୁଡ଼ ପକାଇଲେ କୋଟି ଜନ୍ମର ପୁଣ୍ୟ ବିଳେ ବୋଲି ବିଶ୍ବାସ ରହିଛି । ଯାହାକୁ ନେଇ ରାତ୍ର ୩ଟା ଠାରୁ ବୁଡ ପକାଇବା ସହିତ ମାଧବାନନ୍ଦଙ୍କ ଦର୍ଶନ କରିଛନ୍ତି ଭକ୍ତ । ମଧ୍ୟରାତ୍ରରେ ସୁନାବେଶ ପରେ ମହାଦୀପ ଉଠିବାର ବିଧି ରହିଛି । ମାଧବାନନ୍ଦ ଜୀଉ ପୀଠକୁ ଦୁର୍ଗା ମାଧବ ପୀଠ ବୋଲି ମଧ୍ୟ କୁହାଯାଏ ।
ଭୈମୀ ଏକାଦଶୀ କିମ୍ବଦନ୍ତୀ:
ମାଧବାନନ୍ଦ ଜୀଉଙ୍କ ସେବାୟତ ମନୋଜ ପୁଷ୍ପାଳକ କହିଛନ୍ତି, "କିମ୍ବଦନ୍ତୀ ଅନୁସାରେ, ପାଣ୍ଡବମାନେ ସ୍ଵର୍ଗାରୋହଣ ପାଇଁ ପ୍ରାଚୀ ନଦୀତଟ ଦେଇ ଯାଉଥିବା ବେଳେ ଭୈମାସୁର ଓ ଭୀମଙ୍କ ମଧ୍ୟରେ ଯୁଦ୍ଧ ହେଇଥିଲା । ଏଥିରେ ଭୈମାସୁରର ମୃତ୍ୟୁ ଘଟିଥିଲା । ସେହିଦିନ ଅର୍ଥାତ ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବିଷ୍ଣୁଭକ୍ତ ଭୌମାସୁରର ମୃତ୍ୟୁ ପରେ ସେହି ଏକାଦଶୀ ନାମ ଭୈମୀ ଏକାଦଶୀ ଭାବରେ ନାମିତ ହୋଇଛି । ଷଷ୍ଠ ଶତାବ୍ଦୀରୁ ଏଠାରେ ମାଧବ ଉପାସନା ଆରମ୍ଭ ହୋଇଥିବା ଜଣାଯାଏ । ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟରେ ମଧ୍ୟ ମାଧବଙ୍କ ବିଷୟ ବର୍ଣ୍ଣନା ରହିଛି । ବର୍ତ୍ତମାନ ମନ୍ଦିର ଗଙ୍ଗବଂଶୀୟ ରାଜା ଅନଙ୍ଗ ଭୀମଦେବଙ୍କ ଦ୍ବାରା ନିର୍ମାଣ କରାଯାଇଛି । ଏହି ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ସମସାମୟିକ ବୋଲି ମାଦଳା ପାଞ୍ଜିରୁ ଜଣାଯାଏ । ଶ୍ରୀମନ୍ଦିର ପୂଜା ରୀତିନୀତି ଅନୁସାରେ ଏଠାରେ ମାଧବାନନ୍ଦଙ୍କ ପୂଜା କରାଯାଇଥାଏ । ମାଧବାନନ୍ଦ ଜୀଉ ପୀଠ ପ୍ରାଚୀ କୂଳରେ ଅବସ୍ଥାପିତ । ଆଜି ପାଟବସ୍ତ୍ର ବା ଖଣ୍ଡୁଆ ପାଟରେ ଭୂଷଣ କରାଯାଇ ମାଧବାନନ୍ଦଙ୍କ ପୂଜା କରାଯିବାର ବିଧି ରହିଛି ।"