ଓଡିଶା

odisha

ETV Bharat / state

ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ବାତ୍ୟା ପରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି । ଜଳବନ୍ଦୀରେ ଭଦ୍ରକର ଅନେକ ଅଞ୍ଚଳ । ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ଭଦ୍ରକ ଜିଲ୍ଲାପାଳ ।

Post Cyclone Dana Situation
Post Cyclone Dana Situation (ETV Bharat Odisha)

By ETV Bharat Odisha Team

Published : 4 hours ago

Updated : 3 hours ago

ଭଦ୍ରକ: ବାତ୍ୟା ଭୟ ଟଳିବା ପରେ ଏବେ ବନ୍ୟା ସ୍ଥିତି । ଯାହାକୁ ନେଇ ଜନଜୀବନ ପ୍ରଭାବିତ ହୋଇଛି । ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ସାଳନ୍ଦୀ, ନାଳିଆ, ରେବ ଏବଂ କପାଳୀ ନଦୀରେ ବନ୍ୟା ପାଣି ଆସିଛି । ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଦ୍ୱାରା ଭଦ୍ରକ ବ୍ଲକର ୫ଟି ପଞ୍ଚାୟତ, ଧାମନଗର ବ୍ଲକର ଛଅ ଗୋଟି ପଞ୍ଚାୟତ, ତିହିଡି ବ୍ଲକର ଛଅ ଗୋଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ଲୋକମାନେ ୩ ଦିନ ଧରି ଜଳବନ୍ଦୀ ହୋଇ ରହିଛନ୍ତି । ସେପଟେ ନାଳିଆ ନଦୀରେ ଘାଇ ମଧ୍ୟ ସୃଷ୍ଟି ହୋଇଛି ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ (ETV Bharat Odisha)

ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ:

ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ ଏବଂ ଜଳମଗ୍ନ ପରିସ୍ଥିତି ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କ୍ଷୟକ୍ଷତି ଆକଳନରେ ନିରପେକ୍ଷତା ପାଇଁ ନିର୍ଦ୍ଦେଶ ଦେବା ସହିତ ଜଳବନ୍ଦୀ ଏବଂ ଆଶ୍ରୟ ସ୍ଥଳୀରେ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରଦାନ ଜାରି ରହିବ ବୋଲି କହିଛନ୍ତି । ତେବେ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ପାଇଁ ଅଳ୍ପ କେତୋଟି ପଞ୍ଚାୟତ ବାକି ରହିଥିବାବେଳେ ତାହା ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଆଜି ସୁଦ୍ଧା ଆଶ୍ରୟସ୍ଥଳୀରେ ସମୁଦାୟ ୨୫ହଜାର ୭ଶହ ୯ଜଣ ଜଣ ଲୋକ ରହିଛନ୍ତି । ୭୦ ହଜାର ହେକ୍ଟରରୁ ଅଧିକ ଚାଷ ଜମି ପ୍ରଭାବିତ ହୋଇଛି । ଜିଲ୍ଲାର ୨୧୮ଟି ପଞ୍ଚାୟତକୁ ରାସ୍ତା ପରିଷ୍କାର ହୋଇଥିବା ବେଳେ ୧୯୧ଟି ପଞ୍ଚାୟତକୁ ବିଦ୍ୟୁତ କ୍ଷତି ଜନିତ ପୁନଃ ଉଦ୍ଧାର, ୨୧୨ଟି ପଞ୍ଚାୟତକୁ ପାନୀୟ ଜଳ ପୂର୍ବବତ୍ ଯୋଗାଣ କରାଯାଉଥ‌ିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପ୍ରଭାବିତ ପ୍ରାଣୀ ସମ୍ପଦ ପାଇଁ ଆଗୁଆ ପ୍ରତି ପଞ୍ଚାୟତକୁ ଗୋଖାଦ୍ୟ ପ୍ରେରଣ କରାଯାଇଛି । ବାତ୍ୟା ସମୟରେ ଭ୍ରାମ୍ୟମାଣ ଚିକିତ୍ସା ପ୍ରଦାନ ପାଇଁ ୨୫ଟି ମେଡ଼ିକାଲ ଟିମ୍ ଏବଂ ୭ଟି ପ୍ରାଣୀଚିକିତ୍ସା ଟିମ୍ ମୁତୟନ କରାଯାଇଥିଲା । ବାତ୍ୟା ପୂର୍ବର, ବାତ୍ୟା ସମୟର ଏବଂ ବାତ୍ୟା ପରର ସ୍ଥିତିକୁ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର SOP ପ୍ରସ୍ତୁତ ହୋଇଥିଲା ।"

Post Cyclone Dana Situation (ETV Bharat Odisha)

ବାତ୍ୟା ପରେ ବନ୍ୟା ଦାଉ:

ବାତ୍ୟା ପ୍ରଭାବରେ ଲଗାଣ ବର୍ଷାରେ ଭଦ୍ରକ ସହର ସମ୍ପୂର୍ଣ୍ଣ ବେହାଲ ହୋଇଛି । ଲୋକଙ୍କ ଘରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥ‌ିବା ବେଳେ ରାସ୍ତା ଘାଟରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ଅଧିକାଂଶ ୱାର୍ଡରେ ଏହିପରି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ୱାର୍ଡ ନମ୍ବର ୬ରେ ଥିବା ମଠସାହି, ୱାର୍ଡ ନମ୍ବର ୭ରେ ଥ‌ିବା ଗବସାହି ହାଉସିଂ କଲୋନୀଠାରୁ ଆରମ୍ଭ କରି ମୋଟଲ ଛକ, ଜଗନ୍ନାଥପୁର, ଅସ୍ତଳ, ନରିପୁର, ଜାନୁଗଞ୍ଜ, ଚାରିଘରିଆ, ସନ୍ଥିଆ, କୁଆଁସ, ଚରମ୍ପା, ପୁରୁଣାବଜାର ଆଦି ଅଞ୍ଚଳରେ ବିପର୍ଯ୍ୟସ୍ତ ପରିସ୍ଥିତି । ତେଣୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ଇଡକୋର ପରିଚାଳନା ନିର୍ଦେଶକ ଭୂପିନ୍ଦର ସିଂ ପୁନିଆ । ସେମାନେ ଆଜି ଭଦ୍ରକ ବ୍ଲକ ଅଧିନସ୍ଥ ଅର୍ଣ୍ଣପାଳ ପଞ୍ଚାୟତର ମୁକୁନ୍ଦପୁର, ଆଙ୍କପଦା, ରାଜୁଆଳିବିନ୍ଧା, ତିହିଡି ବ୍ଲକର ତଳଗୋପବିନ୍ଧା ଆଦି ପଞ୍ଚାୟତ ବୁଲି ବନ୍ୟା ସ୍ଥିତି ଦେଖିବା ସହିତ ଚାଷ ଜମିରେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ଏପରିକି ନାଳିଆ ନଦୀର ସୃଷ୍ଟି ହୋଇଥିବା ବଡ଼ ଘାଇ ବୁଲି ସ୍ଥିତି ଦେଖିଛନ୍ତି।

Post Cyclone Dana Situation (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା କ୍ଷୟକ୍ଷତି ସର୍ଭେ

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ, ଜଳବାହିତ ରୋଗ ଏବଂ ସାପ କାମୁଡା ରୋଗୀଙ୍କ ଉପରେ ନଜର

ଏହା ମଧ୍ୟ ପଢ଼ନ୍ତୁ...ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ

Post Cyclone Dana Situation (ETV Bharat Odisha)

'ଖୁବଶୀଘ୍ର ପୂର୍ବାବସ୍ଥା ଫେରି ଆସିବ'

ଭଦ୍ରକ ଜିଲ୍ଲାପାଳଦିଲ୍ଲୀପ ରାଉତରାୟ କହିଛନ୍ତି, "ଯେଉଁମାନେ ଅସୁରକ୍ଷିତ ଭାବେ ବନ୍ୟା ଘେରରେ ଥିଲେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ଏବଂ କ୍ଷୟକ୍ଷତିର ଆକଳନ କରାଯାଉଛି । ଯେଉଁ ସ୍ଥାନମାନଙ୍କରେ ଛୋଟ ଛୋଟ ଘାଇ ହୋଇଥିଲା ତାହାକୁ ବାଲି ବସ୍ତା ପକାଇ ବନ୍ଦ କରାଯାଇଛି । ଏହାସହ ବନ୍ୟା ପରେ ବଡ଼ ଘାଇ ଗୁଡିକର ମରାମତି କରାଯିବ ।" ସେହିପରି ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ କହିଛନ୍ତି, "ଚାଷ ଜମିରେ ବନ୍ୟା ପାଣି ମାଡି ରହିଥିବାରୁ ଥୋଡ଼ ଧାନ ସବୁ ପାଣିରେ ବୁଡ଼ି ରହିଛି । ଫଳରେ ସେସବୁ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ଥିବାରୁ ଚାଷୀ କୁଳ ହତାଶ ହୋଇ ପଡିଛନ୍ତି । କାହା ଜୀବନ ପ୍ରତି ବିପଦ ନାହିଁ । ଖୁବଶୀଘ୍ର ପୂର୍ବାବସ୍ଥା ଫେରି ଆସିବ । ଯେଉଁଠି ଯାହା ସମସ୍ୟା ସୃଷ୍ଟି ହେଉଛି, ସେଗୁଡିକ ଯୁଦ୍ଧ କାଳୀନ ଭିତ୍ତିରେ ସମାଧାନ ଜାରି ରହିଛି ।"

Post Cyclone Dana Situation (ETV Bharat Odisha)

ଇଟିଭି ଭାରତ, ଭଦ୍ରକ

Last Updated : 3 hours ago

ABOUT THE AUTHOR

...view details