ନୂଆଦିଲ୍ଲୀ: ଏକ ରାଷ୍ଟ୍ର-ଏକ ନିର୍ବାଚନ (ଏକକ ନିର୍ବାଚନ) ସମ୍ପର୍କରେ କେନ୍ଦ୍ର ସରକାର ଜାରି ରଖିଥିବା ପ୍ରୟାସ ଉଚିତ୍ ପଦକ୍ଷେପ । ଏହି ସଂସ୍କାର ଶାସନରେ ନିରନ୍ତରତାକୁ ପ୍ରୋତ୍ସାହିତ କରିବ, ନୀତିଗତ ପକ୍ଷାଘାତକୁ ରୋକିବ, ସମ୍ବଳର ବିନିଯୋଗକୁ ହ୍ରାସ କରିବା ସହ ରାଜ୍ୟ ଉପରେ ଆର୍ଥିକ ବୋଝ ହ୍ରାସ କରିବାର କ୍ଷମତା ରଖିଛି । ଏହି ବ୍ୟବସ୍ଥା ଦେଶରେ ସୁଶାସନକୁ ପୁନଃପରିଭାଷିତ କରିବାର ସମ୍ଭାବନା ରଖିଛି । ୭୬ତମ ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ସଂଧ୍ୟାରେ ଦେଶକୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
- ଦେଶକୁ 76ତମ ସାଧାରଣତନ୍ତ୍ରର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ଆସନ୍ତାକାଲି ଦେଶ 76ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ବେଳେ ଆଜି ପୂର୍ବ ସଂଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ନମନ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ଦେଶର ସାମ୍ପ୍ରତିକ ସ୍ଥିତି ସହ କେତେକ ବଡ ରାଜନୈତିକ ଓ ସାମ୍ବିଧାନିକ ସଂସ୍କାର ଉପରେ ଗୁରୁତ୍ବାରୋପ କରିଛନ୍ତି । ବିଶେଷ ଭାବେ ‘ଏକକ ନିର୍ବାଚନ’ ଓ ଭାରତୀୟ ଅପରାଧିକ ନ୍ୟାୟିକ ବ୍ୟବସ୍ଥାରେ ଆସିଥିବା ସଂଶୋଧନ ସପକ୍ଷରେ ସେ ବିସ୍ତୃତ ଭାବେ ନିଜର ଦୃଷ୍ଟିଭଙ୍ଗୀ ରଖିଛନ୍ତି ।
- ଏକକ ନିର୍ବାଚନ ଏକ ପ୍ରଭାବୀ ସୁଧାର
ରାଷ୍ଟ୍ରପତି ଏକକ ନିର୍ବାଚନକୁ ଭାରାତୀୟ ରାଜନୈତିକ ବ୍ୟବସ୍ଥାରେ ବର୍ତ୍ତମାନର ଏକ ଆବଶ୍ୟକତା ବୋଲି ଦର୍ଶାଇଛନ୍ତି । ସାରା ଦେଶରେ ଭିନ୍ନ ଭିନ୍ନ ନିର୍ବାଚନକୁ ବନ୍ଦ କରି ଏକକ ନିର୍ବାଚନ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଯେଉଁ ପ୍ରକ୍ରିୟା ଜାରି ରଖିଛି, ତାହା ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ସ୍ଥାନ ପାଇଥିଲା । ରାଷ୍ଟ୍ରପତି କହିଥିଲେ,‘‘ଏକ ରାଷ୍ଟ୍ର-ଏକ ନିର୍ବାଚନ' ପ୍ରୟାସ ଉତ୍ତମ ଶାସନ ଏବଂ କମ ଆର୍ଥିକ ଚାପ ସହ ଅନେକ ଲାଭ ପ୍ରଦାନ କରିପାରିବ । ଏହା ଏକ ଆବଶ୍ୟକତା । ସେହିପରି 3 ଅପରାଧିକ ଆଇନର ସଂଶୋଧନ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି,‘‘ଦେଶରେ ଦଶନ୍ଧି ଧରି ପ୍ରଚଳିତ ଉପନିବେଶବାଦୀ ମାନସିକତାର ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଜାରି ପ୍ରୟାସ କରାଯାଇଛି । ବ୍ରିଟିଶ ଯୁଗର ଫୌଜଦାରୀ ଆଇନକୁ ତିନୋଟି ନୂତନ ଆଧୁନିକ ଆଇନ ଭାବେ ସଂଶୋଧିତ କରାଯାଇଛି । ଆମେ ସେହି ଏହି ପଦକ୍ଷପକୁ ଉପନିବେଶବାଦୀ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ଏକ ସମନ୍ୱିତ ପ୍ରୟାସ ଭାବେ ଦେଖୁଛୁ ।’’
- ଦିନେ କ୍ଷୁଧା ସହ ଲଢୁଥିବା ଭାରତ ଏବେ ବିଶ୍ବ ଅର୍ଥନୀତିରେ ଅଗ୍ରଣୀ: ରାଷ୍ଟ୍ରପତି
ସମ୍ବିଧାନ ଓ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି ଗତ 75 ବର୍ଷ ମଧ୍ୟରେ ହାସଲ ହୋଇଥିବା ପ୍ରଗତି ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ,‘‘ସ୍ୱାଧୀନତା ସମୟରେ ଦେଶର ଅନେକ ଭାଗ ଅତ୍ୟନ୍ତ ଦାରିଦ୍ର୍ୟ ଏବଂ କ୍ଷୁଧାର ସମ୍ମୁଖୀନ ହେଉଥିଲା । ତଥାପି ଆମେ ନିଜ ଉପରେ ବିଶ୍ୱାସ ରଖିଥିଲୁ ଏବଂ ବିକାଶ ପାଇଁ ସ୍ଥିତି ସୃଷ୍ଟି କରିଥିଲୁ । କୃଷକ ଏବଂ ଶ୍ରମିକଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ । ଭାରତର ଅର୍ଥନୀତି ବର୍ତ୍ତମାନ ବିଶ୍ୱ ଅର୍ଥନୈତିକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଗତ କିଛି ବର୍ଷ ମଧ୍ୟରେ ନିରନ୍ତର ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାର ସାମ୍ନାକୁ ଆସିଛି । ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, କୃଷକ ଏବଂ ଶ୍ରମିକଙ୍କ ଆୟ ବୃଦ୍ଧି ଘଟିଛି ଏବଂ ଅନେକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି ।’’
- ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ହିଁ ଭାରତୀୟ ସଭ୍ୟତା: ରାଷ୍ଟ୍ରପତି
ସେହିପରି ରାଷ୍ଟ୍ରପତି କହିଥିଲେ,‘‘ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ କେବଳ ଆଧୁନିକ ଧାରଣା ନୁହେଁ, ବରଂ ଏଗୁଡ଼ିକ ସର୍ବଦା ଆମର ସଭ୍ୟତା ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ ହୋଇରହିଛି । ଯେଉଁମାନେ ଦିନେ ସମ୍ବିଧାନର ଭବିଷ୍ୟତ ଉପରେ ସନ୍ଦେହ କରୁଥିଲେ, ସେମାନେ ଭୁଲ ପ୍ରମାଣିତ ହୋଇଛନ୍ତି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ଏକ ସୁସଂଗଠିତ ଧାରାରେ ସ୍ୱାଧୀନତା ଆନ୍ଦୋଳନ ମାଧ୍ୟମରେ ଦେଶକୁ ଏକତ୍ରିତ କରିପାରିଥିଲେ । ମହାତ୍ମା ଗାନ୍ଧୀ, ରବିନ୍ଦ୍ରନାଥ ଟାଗୋର ଏବଂ ବାବାସାହେବ ଆମ୍ବେଦକର ପ୍ରମୁଖ ଭାରତକୁ ଏହାର ଗାଣତାନ୍ତ୍ରିକ ମୂଲ୍ୟବୋଧର ପୁନଃଆବିଷ୍କାର କରିବାରେ ସାହାଯ୍ୟ କରିଥିଲେ ।’’
ଇଟିଭି ଭାରତ, ବ୍ୟୁରୋ