ବ୍ରହ୍ମପୁର:ରାଜ୍ୟର ବିଭିନ୍ନ ସ୍ଥାନରୁ ଆରମ୍ଭ କରି ଅନ୍ୟ ରାଜ୍ୟଗୁଡିକରେ ପ୍ରାୟ ୯୧ଟି ଡକାୟତି ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ । ଏପରିକି ଏହି ଗ୍ୟାଙ୍ଗ ବ୍ରହ୍ମପୁର ସହରରେ ଘର ଭଡ଼ା ନେଇ ରହି ଏକ ଗହଣା ଦୋକାନରୁ ଲୁଟ କରିବା ପରେ ବ୍ରହ୍ମପୁରରୁ ଫେରାର ହୋଇଯାଇଥିଲା । ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଅନ୍ୟ ଏକାଧିକ ସ୍ଥାନରେ ଚଢାଉ କରି ବ୍ରହ୍ମପୁର ପୋଲିସ ଗତକାଲି 3 ଅଭିଯୁକ୍ତଙ୍କୁ ଧରି ବ୍ରହ୍ମପୁର ଆଣିଛି । ସେମାନଙ୍କଠାରୁ ୧୦କେଜି ଓଜନର ରୂପା ସମେତ ରୂପା ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ୭୫ ହଜାର ଟଙ୍କା ଜବତ କରିବାରେ ପୋଲିସ ସଫଳ ହୋଇଛି ।
- କିଭଳି ଥିଲା ପୋଲିସର ଅପରେସନ:
ଗତମାସ (ସେପ୍ଟେମ୍ବର)୪ ତାରିଖରେ ବ୍ରହ୍ମପୁର ସହରର ଟାଟାବେଞ୍ଚ ଛକରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ଡକାୟତି ହୋଇଥିଲା । ଦୁର୍ବୃତ୍ତମାନେ ଦୋକାନ ଭାଙ୍ଗି ଏକାଧିକ ଅଳଙ୍କାର ଲୁଟ କରିନେଇଥିଲେ । ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଅପରେସନରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମାୟାଧର ବେହେରା ସହ 6 ଜଣଙ୍କୁ ପୋଲିସ ଗିରଫ କରିଥିଲା । ଗତକାଲି ଆଉ ତିନିଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ କାବୁ କରିପାରିଛି ପୋଲିସ । ସେମାନଙ୍କ ଠାରୁ ୧.୫୭ ଲକ୍ଷ ଟଙ୍କା ସମେତ ୫ କେଜି ରୂପା ସହିତ ୫ କେଜି ରୂପା ଗହଣା, ଘର ତାଲା ଭାଙ୍ଗିବା ପାଇଁ ବ୍ୟବହାର ହେଉଥିବା ଗ୍ୟାସ କଟର ମେସିନ ସହିତ ସିଲିଣ୍ଡର, ଏକାଧିକ ମୋବାଇଲ ଫୋନ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି ।
ଆନ୍ତଃରାଜ୍ୟ ଗାଙ୍ଗକୁ ଧରିଲା ବ୍ରହ୍ମପୁର ପୋଲିସ, ରହିଛି 90ରୁ ଅଧିକ ଡକାୟତି ମାମଲା (ETV Bharat Odisha)
କିଭଳି ରହିଥିଲା ପୋଲିସର ତଦନ୍ତ -
ଲୁଟ ନେଇ ଜଣାପଡିବା ପରେ ସୁନା ଦୋକାନରେ ରହିଥିବା ସିସିଟିଭି କ୍ୟାମେରା ଭିଡିଓକୁ ନେଇ ତଦନ୍ତ କରିଥିଲା ପୋଲିସ । ଘଟଣାର ହିଞ୍ଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମର ମାୟାଧର ବେହେରା ନାମକ ଜଣେ ବ୍ୟକ୍ତି ଏହି ଅପରାଧର ମାଷ୍ଟରମାଇଣ୍ଡ ଥିବା ବେଳେ ଏଥିରେ ଦିଲ୍ଲୀ, ହରିଆଣା, ପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶର କୁଖ୍ୟାତ ଲୁଟେରାମାନେ ସାମିଲ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା ।
- ଅପରାଧ ପାଇଁ ଏହି ଗ୍ୟାଙ୍ଗ ଭଡ଼ା ଘରେ ରହିଥିଲେ
ଅପରାଧ ଘଟାଇବାକୁ ଅପରାଧୀମାନେ ସହର ମଧ୍ୟରେ ଘର ଭଡ଼ା ନେଇ ରହିବା ଏବଂ ଅପରାଧର ଷଡ଼ଯନ୍ତ୍ର କରି ତାହାକୁ ସଫଳ କରାଇବା ଭଳି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ ହୋଇଥିବା ଜଣାପଡିଛି । ପୂର୍ବରୁ ଏହି ଅନ୍ତଃରାଜ୍ୟ କୁଖ୍ୟାତ ଲୁଟେରା ଗ୍ୟାଙ୍ଗରେ ରହିଥିବା ୬ଜଣ ଅପରାଧୀ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ତିନି ଜଣ ଗିରଫ ହୋଇଛନ୍ତି । ପୋଲିସ ଟିମ୍ ରାଜ୍ୟ ବାହାରରେ ଚଢ଼ାଉ କରି ଏପରି ସଫଳତା ପାଇଥିବା ଜଣାଯାଇଛି ।
21 ରେ ଗିରଫ ହୋଇଥିଲେ 6 ଜଣ
ପୂର୍ବରୁ 21 ତାରିଖରେ ଏହି ଗ୍ୟାଙ୍ଗର 6 ସଦସ୍ୟଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ଏମାନଙ୍କ ମଧ୍ୟରେ ମାୟାଧର ଏକମାତ୍ର ସ୍ଥାନୀୟ ଅଭିଯୁକ୍ତ ଥିବା ବେଳେ ଅନ୍ୟ 5 ଜଣ ବାହାର ରାଜ୍ୟର ଲୁଟେରା ଥିଲେ । ସେହିପରି ଗତକାଲି ଗିରଫ ତିନିଜଣ ଅଣଓଡିଆ ଅଭିଯୁକ୍ତମାନେ ହେଉଛନ୍ତି ଉତ୍ତର ପ୍ରଦେଶ ୱହାଜିଦ୍ଦିନ, ଉତ୍ତରାଖଣ୍ଡର ସଞ୍ଜୟ ଘିଲ୍ ଦୟାଲ, ଉତ୍ତର ପ୍ରଦେଶ ରାଜ୍ୟର ଥାପାକା ବାଗ୍ ଅଞ୍ଚଳର ହିମାଂଶୁ ବର୍ମା ବୋଲି ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. ସର୍ବଣା ବିବେକ୍ ଏମ୍ ।
ଇଟିଭି ଭାରତ, ବ୍ରହ୍ମପୁର