ଭୁବନେଶ୍ୱର: ଆଜିର ସମୟରେ ଦ୍ରୁତ ଗତିରେ ବଢୁଥିବା ରୋଗ ଭିତରେ କର୍କଟ (କ୍ୟାନ୍ସର) ଅନ୍ୟତମ । ଜୀବନକୁ ବଦଳାଇ ଦିଏ କ୍ୟାନ୍ସର, ମଣିଷର ସବୁ କିଛି ଉଜାଡ଼ି ଦେଇଥାଏ । ମଣିଷକୁ ଶାରିରୀକ ଓ ମାନସିକ ଭାବେ ଦୁର୍ବଳ କରିଦେଇଥାଏ । ପ୍ରତିବର୍ଷ କ୍ୟାନ୍ସର କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । କିନ୍ତୁ ବର୍ତ୍ତମାନ ଚିକିତ୍ସା କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ବିକାଶ ଫଳରେ କ୍ୟାନ୍ସର ରୋଗ ଆଉ ଦୂରାରୋଗ୍ୟ ହୋଇ ନାହିଁ । କ୍ୟାନ୍ସର ସହ ଲଢ଼ି ଏଥିରୁ ବି ଅନେକ ବଞ୍ଚିଛନ୍ତି ଆଉ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଇଛନ୍ତି ।
ତେବେ ଏକ ବର୍ଷ ପୂର୍ବେ ଆସାମର ଜଣେ ମହିଳା ସୋନାକ୍ଷୀ ଭାଗବତୀ କ୍ୟାନ୍ସର ଯାଞ୍ଚ ପରେ ସେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଆକ୍ରାନ୍ତ ପରେ ଅସହ୍ୟ ଯନ୍ତ୍ରଣା ସହିତ ପ୍ରତିଦିନ ଜୀବନ ହାରିବା ଭଳି କଷ୍ଟରେ ରହିଆସୁଥିଲେ । ହେଲେ ଯୋଗ, ମେଡ଼ିଟେସନ କରିବା ସହ ଓ ନିଜକୁ ନିଜେ ଦୃଢ଼ କରିବା ପରେ କ୍ୟାନ୍ସରକୁ ହରାଇପାରିଛନ୍ତି । ନିଜେ ମାନସିକ ଭାବରେ ମାନବଳକୁ ଦୃଢ଼ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେପଟେ ଖୋର୍ଦ୍ଧାର ଜଣେ ବ୍ୟକ୍ତି ମୁଖ କ୍ୟାନ୍ସରରେ ପୀଡ଼ିତ ରହିଥିଲେ । ସଠିକ ସମୟରେ ଚିକିତ୍ସା ହେବା ଫଳରେ ଆଜି କ୍ୟାନ୍ସରକୁ ହରାଇ ଜୀବନଯାପନ କରୁଛନ୍ତି । ତେବେ ଅତ୍ୟାଧିକ ନିଶାଦ୍ରବ୍ୟ ସେବନ କରିବା ଫଳରେ ତାଙ୍କର ଏଭଳି ପରିସ୍ଥିତି ଉପୁଜିଥିଲା । କ୍ୟାନ୍ସର ଜାଣିବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସା ଫଳରେ ଆଜି ବଞ୍ଚିପାରିଛନ୍ତି ବୋଲି କହିଛନ୍ତି ।