କଟକ:ସିଲଭରସିଟିରେ ଆରମ୍ଭ ହେଲା ମିନି ବାଣିଜ୍ୟ ମେଳା ତଥା ବୈଶାଖୀ ବାଣିଜ୍ୟ ମେଳା । କଟକ ବାଲିଯାତ୍ରା ପଡିଆ ଠାରେ 20 ତମ ବୈଶାଖୀ ବାଣିଜ୍ୟ ମେଳା ଶୁଭାରମ୍ଭ ହୋଇଛି । ଏହି ମେଳା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ କଟକର ଦ୍ଵିତୀୟ ବାଲିଯାତ୍ରା ବୋଲି କୁହାଯାଏ । ରାତି ଯେତେ ହେଉଛି ଲୋକଙ୍କ ଭିଡ ସେତେ ଜମୁଛି । ରାମ ଦୋଳି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଖାଦ୍ୟର ମଜା ଉଠାଉଛନ୍ତି ଲୋକେ । ଏଥି ସହ ଭଳିକି ଭଳି ଘରକରଣା ଜିନିଷ ମଧ୍ୟ କିଣି ନେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଆସନ୍ତା 14ରୁ ବୈଶାଖୀ ବାଣିଜ୍ୟ ମେଳା, ମିନି ବାଲିଯାତ୍ରାରେ ଝୁମିବେ ଦର୍ଶକ
ଚଳିତ ବର୍ଷ ଏହି ମେଳାର 500ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲା ଯାଇଛି । ଏଥି ସହିତ ବିଦେଶରୁ କେତେକ ଶିଳ୍ପଦ୍ୟୋଗୀ ଷ୍ଟଲ୍ ଖୋଲିଛନ୍ତି । ଭାରତର 22ଟି ରାଜ୍ୟରୁ ବ୍ୟବସାୟୀ ମାନେ ଏଠାରେ ବ୍ୟବସାୟ କରୁଛନ୍ତି । ଖୁବ୍ ଭଲ ବ୍ୟବସାୟ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଆଫଗାନସ୍ତାନ, ଥାଇଲାଣ୍ଡ, ବାଂଲାଦେଶ, ମାଲେସିଆ, ଦୁବାଇ, ଇରାନ ଓ ତୁର୍କୀର ଉଦ୍ୟୋଗୀମାନଙ୍କ ବିଭିନ୍ନ ସୌଖୀନ ଓ ଘରକରଣା ସାମଗ୍ରୀ ଏସି ହ୍ୟାଙ୍ଗର ଷ୍ଟଲରେ ସ୍ଥାନ ପାଇଛି । ସେହିଭଳି ଦିଲ୍ଲୀ, ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମ୍ମୁ କାଶ୍ମୀର ଇତ୍ୟାଦି ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କ କୁଶଳୀ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ବିକ୍ରୟ ହେଉଛି । ଏହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ବ୍ୟବସାୟୀମାନେ ଅଂଶଗ୍ରହଣ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଆସନ୍ତା 9 ତାରିଖରୁ କଟକରେ ଆୟୋଜିତ ହେବ କଳିଙ୍ଗ ମାରିଟାଇମ ଏକ୍ସପୋ
ମେଳାରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ପୋଷାକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ରହିଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ମୁଢ଼ି ମାଂସ, ଛେନାଝିଲି, ରସାବଳୀ ଠାରୁ ନେଇ ରାଜସ୍ଥାନୀ ଖାଦ୍ୟ ଓ ସମସ୍ତ ପ୍ରକାର ଫାଷ୍ଟଫୁଡ ମଧ୍ୟ ବିକ୍ରି ହେଉଛି । କଟକ ବୈଶାଖୀ ବାଣିଜ୍ୟ ମେଳା ପରିସରରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି । କଟକ ବୈଶାଖୀ ବାଣିଜ୍ୟ ମେଳା ପରିସରରେ ଥିବା ମଞ୍ଚରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବ ।
ଇଟିଭି ଭାରତ, କଟକ