ଅନୁଗୋଳ:ଏବେବି ଡିବିରି ଆଲୁଅ ଭରସା । ବିଜୁଳି ଆଲୁଅ ସେମାନଙ୍କ ପାଇଁ ସାତସପନ । ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ବଣୁଆ ହାତୀ ଓ ହିଂସ୍ର ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଭୟ ଆତଙ୍କରେ ଅନ୍ଧାରୀ ଜୀବନ ବିତାଉଛନ୍ତି ଲୋକେ । ପ୍ରାୟ ୫ବର୍ଷ ହେଲା ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତା ଯାଇଛି, ତାର ଲାଗିଛି । ହେଲେ ବିଦ୍ୟୁତ ସଂଯୋଗ ନାହିଁ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଥିବା ବାଘୁଆପାଟ ଗ୍ରାମରେ ।
ଅନୁଗୋଳ-ଟିକରପଡା ପୂର୍ତ୍ତ ବିଭାଗ ରାସ୍ତାର ଚନ୍ଦନପୁର ଠାରୁ ଘଞ୍ଚ ଜଙ୍ଗଲ ଭିତରେ ଅଣଓସାରିଆ ମାଟି ରାସ୍ତାରେ ପ୍ରାୟ ୫କିମି ଗଲେ ପଡେ ବାଘୁଆପାଟ ଗାଁ । ଚାରିପଟେ ଜଙ୍ଗଲରେ ପରିପୂର୍ଣ୍ଣ ପାହାଡ଼ା ଦିନ ଦ୍ବିପହରେ ବଣୁଆ ହାତୀଙ୍କ ବିଚରଣ ଦେଖିବାକୁ ମିଳେ । ଏଭଳି ଏକ ଗାଁରେ କାହିଁ କେଉଁ କାଳରୁ ବସବାସ କରି ଆସୁଛନ୍ତି ପ୍ରାୟ ୫୦ଟି ପରିବାର । ସମସ୍ତେ ଝାଟିମାଟି ଘରେ ରୁହନ୍ତି । ବାହାରେ ମୂଲ ମଜୁରୀ କଲେ ପରିବାର ଚାଲେ । କାରଣ ହାତୀ ଓ ଅନ୍ୟ ଜଙ୍ଗଲୀ ଜନ୍ତୁ ଦୌରାତ୍ମ୍ୟ ପାଇଁ କୌଣସି ଫସଲ ହୁଏ ନାହିଁ । ଏସବୁ ଭିତରେ ଅନ୍ଧାର ସେମାନଙ୍କ ଜୀବନରେ ସବୁଠାରୁ ଅଧିକ ବାଧକ ସାଜିଛି ।
ପ୍ରାୟ ୨୦/୨୫ବର୍ଷ ପୂର୍ବରୁ ବିଜୁଳି ଆଲୁଅ ଥିଲା । କିନ୍ତୁ ହୁକ ପକାଇ ଜନ୍ତୁ ଶିକାର ହେବାରୁ ବନ ବିଭାଗର କଟକଣା ଲାଗିଲା । ମାତ୍ର କିଛି ମାସ ବିଜୁଳି ଆଲୁଅ ଜଳିବା ପରେ ପୁଣି ବନ୍ଦ ହୋଇଗଲା । ସେପଟେ ତାର ଓ ଖୁଣ୍ଟି ସବୁ ଚୋରି ହୋଇଗଲା । ଏହାର କିଛି ବର୍ଷ ପରେ ଅର୍ଥାତ ୫ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଯୋଜନାରେ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତା ହୋଇ ତାର ଟଣା ଗଲା । ଗାଁ ମୁଣ୍ଡରେ ଟ୍ରାନ୍ସଫର୍ମର ମଧ୍ୟ ବସା ଗଲା । ଏପରିକି ଘରେ ଘରେ ମିଟର, ସୁଇଚ ବୋର୍ଡ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କରାଗଲା । ହେଲେ ଏଯାଏଁ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଏବେ ଖୁଣ୍ଟରେ ଗଛ ଲତା ମାଡି ଗଲାଣି । ଟ୍ରାନ୍ସଫର୍ମର ନଷ୍ଟ ହେବାକୁ ବସିଲାଣି । ଘରେ ଘରେ ଲାଗିଥିବା ମିଟର ଓ ସୁଇଚ ବୋର୍ଡ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି । ବିଦ୍ୟୁତ ସଂଯୋଗ ହୋଇ ନପାରିବା କାରଣ ମଧ୍ୟ ନା ବିଦ୍ୟୁତ ବିଭାଗ କହୁଛି ନା ଲୋକେ ଜାଣି ପାରୁଛନ୍ତି । ଏମିତି ଅନ୍ଧାରୀ ମୂଳକରେ ଅନ୍ଧାରୀ ଜୀବନ ଅତିବାହିତ କରୁଛନ୍ତି ବାଘୁଆପାଟ ଗ୍ରାମବାସୀ ।