ଭୁବନେଶ୍ୱର:ନୂଆବର୍ଷରେ ଆୟୁଷ୍ମାନ ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଚଳିତ ବର୍ଷ ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଯୋଜନା । ରାସନ କାର୍ଡ E-KYC କରିଥିଲେ ମିଳିବ ଆୟୁଷ୍ମାନ କାର୍ଡ । ଏହି କାର୍ଡରୁ କେହି ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଯୋଜନା:
ନୂଆବର୍ଷ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି," ସରକାରଙ୍କ ପାଇଁ ଚଳିତ ବର୍ଷ ଗୁରୁତ୍ବପୂର୍ଣ୍ଣ ବର୍ଷ । ୨୦୨୫ ଶେଷ ବେଳକୁ ଦେଶ ତଥା ରାଜ୍ୟ ଟିଭି ଓ ଯକ୍ଷ୍ମା ମୁକ୍ତ କରିବା ନେଇ ସରକାର ସଂକଳ୍ପବଦ୍ଧ । ନୂଆ ମେଡିକାଲ କଲେଜ ଖୋଲିବା, ଡାକ୍ତର ନିଯୁକ୍ତି ଓ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁ ହେବାକୁ ନେଇ ଚଳିତ ବର୍ଷ ସ୍ୱାସ୍ଥ୍ୟ ବିଭାଗ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ନିକଟରେ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି । ଆଇଟି ଇଣ୍ଟିଗ୍ରେସନ ଉପରେ ବିଭାଗ କାର୍ଯ୍ୟ କରୁଛି ।"
ସାଢେ ୩ କୋଟିଙ୍କୁ ମିଳିବ ନୂଆ ଆୟୁଷ୍ମାନ କାର୍ଡ:
ସେ ଆଉ ମଧ୍ୟ କହିଛନ୍ତି, "ଲୋକମାନଙ୍କ ପାଖରେ କେମିତି ସ୍ୱାସ୍ଥ୍ୟ ସେବା ପହଞ୍ଚିବ ତାକୁ ଧ୍ୟାନ ଦିଆଯାଇଛି । ନୂଆ ଆୟୁଷ୍ମାନ କାର୍ଡ ଏବେ ପାଖାପାଖି ସାଢେ ତିନି କୋଟି ଲୋକମାନଙ୍କୁ ଦିଆଯିବ । ସେମାନଙ୍କ ଚିକିତ୍ସା ନିମନ୍ତେ କୌଣସି ଅସୁବିଧା ନ ହେବ ତାକୁ ଧ୍ଯାନ ରଖାଯିବ । ଭାରତ ବର୍ଷରେ ୩୦ ହଜାର ହସ୍ପିଟାଲ ଅନୁବନ୍ଧିତ ହେବ । ପ୍ରତି ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।"
E-KYC ଆଧାରରେ ମିଳିବ ଆୟୁଷ୍ମାନ କାର୍ଡ:
ଏହି ଆୟୁଷ୍ମାନ କାର୍ଡ E-KYC ଡାଟାବେସକୁ ଆଧାର କରି ଦିଆଯିବ । ଏହି କାର୍ଡରୁ କେହି ବଞ୍ଚିତ ହେବେ ନାହିଁ । ଯେଉଁମାନେ ରାସନ କାର୍ଡର ଇ-କେଓ୍ବାଇସି କରିଛନ୍ତି ସେମାନେ କାର୍ଡ ପାଇପାରିବେ। ଯେଉଁମାନେ ଇ-କେଓ୍ବାଇସି କରିନାହାନ୍ତି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ସେମାନଙ୍କୁ ମଧ୍ୟ ସାମିଲ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।