ଭୁବନେଶ୍ଵର:ରାଜ୍ୟରେ ବୃଦ୍ଧି ପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ । ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଊର୍ଦ୍ଧ୍ବ ମୃତ୍ୟୁ ଘଟୁଛି । ପୋଲିସ ମାନଙ୍କୁ ସାପ କାମୁଡିବା ପରେ ପ୍ରାଥମିକ ଚିକିତ୍ସା ବିଷୟରେ ଶିକ୍ଷା ଦିଆଯାଇଛି । ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଯେଉଁଥିରେ ସବ ଇନ୍ସପେକ୍ଟର ଏବଂ ଡିଏସପି କ୍ୟାଡେଟ ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଛି । ସ୍ନେକ ହେଲ୍ପ ତରଫରୁ ସକାଳ ସାଢେ ୫ ଟାରୁ ୩୫୦ ଜଣ କ୍ୟାଡେଟ ସବ ଇନ୍ସପେକ୍ଟର ଏବଂ ୫ ଜଣ କ୍ୟାଡେଟ ଡିଏସପିଙ୍କୁ ଦୀର୍ଘ ଦେଢ଼ ଘଣ୍ଟା ଧରି ପ୍ରଶିକ୍ଷଣ ଦିଆଯାଇଛି ।
ପୋଲିସ ଏକାଡେମୀ ଷ୍ଟାଡିୟମରେ ଏକାଡେମୀର ଅନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏବଂ ରାଜେଶ ସୂତାର ଏହି ପ୍ରଶିକ୍ଷଣରେ ସହଯୋଗିତା କରିଛନ୍ତି । ଓଡିଶାରେ ଦେଖା ଯାଉଥିବା ବିଷଧର ଏବଂ ବିଷହୀନ ସାପଙ୍କୁ ଚିହ୍ନିବା ଏବଂ ସେମାନଙ୍କର ଓଡ଼ିଆ ନାମ ଜାଣିବା ପାଇଁ ସ୍ନେକ ହେଲ୍ପ ଲାଇନ ଆଣ୍ଡ୍ରଏଡ ଆପ ଏବଂ ୱେବ ସାଇଟର ସହାୟତା ନେବା ପାଇଁ ଅନୁରୋଧ କରିଛନ୍ତି ଶୁଭେନ୍ଦୁ । ଦୁଇ ଦୁଇ ଜଣ କ୍ୟାଡେଟଙ୍କୁ ଡାକି ସାପ କାମୁଡିବା ପରେ ରକ୍ତ ସଞ୍ଚାଳନ ସମ୍ପୂର୍ଣ୍ଣ ବନ୍ଦ ନକରି, କମ କରିବା ପାଇଁ କିପରି କ୍ରେପ ବ୍ୟାଣ୍ଡେଜ ବା ଗାମୁଛାକୁ କ୍ଷତ ସ୍ଥାନ ଉପରକୁ ଗୁଡେଇ ଗୁଡେଇ ବନ୍ଧା ଯିବ, ସେନେଇ ମକ ଡ୍ରିଲ ମଧ୍ୟ କରାଯାଇଥିଲା ।