ଆସିକା(ଗଞ୍ଜାମ):ଅ ନ୍ତର ବେଦନା ବଖାଣୁ ବଖାଣୁ ବାଷ୍ଫରୁଦ୍ଧ ହୋଇଯାଉଛି କଣ୍ଠ । ଲୋତକକୁ ସିନା ଚାପି ଦେଇଛନ୍ତି ପେଟର ଭୋକକୁ ବୁଝିବ କିଏ ? 'ବର୍ଷସାରା ଖଟି ଯଦି ଦି ପଇସା ପାଇବୁନି ଆମେ କରିବୁ କଣ ?' ଏହା କେବଳ ଆପଣମାନଙ୍କୁ କିଛି ଶବ୍ଦ ଲାଗିପାରେ । କିନ୍ତୁ ମନରେ ଅଜସ୍ର ବେଦନା କ୍ୟାମେରା ଆଗରେ ବଖାଣିବା ବେଳେ କଣ୍ଠ ଥରି ଉଠୁଛି । ଏ ହେଉଛି ଜଣେ ଆଖୁ ଚାଷୀ ଅନ୍ତର କଥା । ଏସିଆ ମହାଦେଶର ପ୍ରଥମ ଚିନି କଳ ବୋଲାଉଥିବା ଆସିକା ସମବାୟ ଚିନି ଶିଳ୍ପ ଦୁରବସ୍ଥା ଭିତରେ ଗତି କରୁଥିବା ବେଳେ ଏଇଠି କାମ କରି ଦୁଇ ପଇସା ପାଉଥିବା ଆଖୁ ଚାଷୀଙ୍କୁ ଘାରିଛି ପେଟପାଟଣା ଚିନ୍ତା । ବିଗତ ବର୍ଷ ଧରି ଆସିକା ଚିନି କଳ ଭବିଷ୍ୟତ ଏକ ପ୍ରକାର ଅନ୍ଧାର ଭିତରେ ଗତି କରୁଥିବା ବେଳେ ଏହାକୁ ଆଲୋକ ଦେଖାଇବାକୁ ଅଣ୍ଟା ଭିଡିଛନ୍ତି ମୋହନ ମାଝୀ ସରକାର । ସରକାରଙ୍କ ଉଦ୍ୟମରେ ବଦଳିବ କି ଚିନି ଶିଳ୍ପର ଭାଗ୍ୟ ? ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ....
ଆସିକା ଚିନି କଳ ସମ୍ପର୍କରେ...
ଗଞ୍ଜାମ ଜିଲ୍ଲାର ଆସିକା ସହର । ଏକ ବ୍ୟସ୍ତ ବହୁଳ ଅଞ୍ଚଳ ଭାବେ ଜଣାଶୁଣା । ଏଇଠି ରହିଛି ଆସିକା ସମବାୟ ଚିନି ଶିଳ୍ପ । ୧୯୫୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ୧୯୬୩ ମସିହାରୁ ଏଠାରେ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା । ଏହାକୁ ଏସିଆ ମହାଦେଶର ପ୍ରଥମ ଚିନି ଶିଳ୍ପ ଭାବରେ ବେଶ ପ୍ରସିଦ୍ଧି ଲାଭ କରିଛି । ଏହା କେବଳ ଏକ ଚିନି କଳ ନୁହେଁ ଶ୍ରମିକ, ଚାଷୀ ଏବଂ ହଜାର ହଜାର ଲୋକଙ୍କର ପେଟପାଟଣା ବୁଝିଥିବା ଏକ କଳ ଅଟେ । ଆଖୁ ଚାଷୀଙ୍କଠୁ ନେଇ ଶ୍ରମିକ ଶ୍ରେଣୀ, ସମସ୍ତେ ଏହା ଉପରେ ନିର୍ଭର କରନ୍ତି । ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ରୋଜଗାର ମାଧ୍ୟମ । ଆଗରୁ ଏଠାରେ 6ରୁ 7 ମାସ ଧରି କାମ ପାଉଥିଲେ ଶ୍ରମିକ । ଆଉ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ । କିନ୍ତୁ ସମୟ କ୍ରମେ ଉପରକୁ ଉଠିବା ପରିବର୍ତ୍ତେ ଧିରେ ଧିରେ ନିମ୍ନମୁଖୀ ହେବାରେ ଲାଗିଛି । 1963 ମସିହାରୁ ଠିକ୍ ଠାକ୍ ଚାଲିଥିବା ବେଳେ 2012 ମସିହା ବେଳେକୁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ଫଳରେ ଏବେ କୋଟି କୋଟି ଟଙ୍କା କରଜରେ ବୁଡିଛି ଏହି ଚିନି ଶିଳ୍ପ ।
୨୦୧୨ ସୁଦ୍ଧା ଆସିକା ସମବାୟ ଚିନି ଶିଳ୍ପ ସ୍ଥିତି ଭଲ ରହିଥିଲା:
୨୦୧୨ ମସିହା ପର୍ଯ୍ୟନ୍ତ ଆସିକା ସମବାୟ ଚିନି ଶିଳ୍ପର ସ୍ଥିତି ଭଲ ରହିଥିଲା । ବାର୍ଷିକ ୧ ଲକ୍ଷ ୯୦ ହଜାର ଟନ୍ ଆଖୁକୁ ଏହି ଶିଳ୍ପରେ ପେଡ଼ା ଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ଆଖୁ ଚାଷୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏହାକୁ ନେଇ ଗତବର୍ଷ ୨୦୨୧-୨୨ରେ ଆଖୁ ବହୁ ମାତ୍ରାରେ ହ୍ରାସ ପାଇ ୩୮ ହଜାର ଟନରେ ପହଞ୍ଚିଥିବା ବେଳେ ଗତବର୍ଷ ଏହା କିଛି ପରିମାଣରେ ବୃଦ୍ଧି ପାଇଥିବା ୧୧ ହଜାର ଟନ୍ ବୃଦ୍ଧି ପାଇ ୪୯ ହଜାର ଟନରେ ପହଞ୍ଚିଥିଲା । ହେଲେ ଚଳିତବର୍ଷ ଚାଷ ଜମିକୁ ପାଣି ଅଭାବ ସାଙ୍ଗକୁ ବିଭିନ୍ନ କାରଣରୁ ଏହି ପରିମାଣ ବହୁ ମାତ୍ରାରେ ହ୍ରାସ ପାଇବ ବୋଲି କୁହାଯାଇଛି ।
କୋଟି କୋଟି କରଜରେ ବୁଡ଼ିଛି ଶିଳ୍ପ:
ଆଖୁ ଚାଷ ପ୍ରତି ପ୍ରୋତ୍ସାହନ ଅଭାବରୁ ଧିରେ ଧିରେ ଆଖୁ ଚାଷ ପ୍ରତି ବିମୁଖ ହେବାରେ ଲାଗିଛନ୍ତି ଚାଷୀ । ଯାହାର ସିଧାସଳଖ ପ୍ରଭାବ ପଡିଛି ଚିନି ଶିଳ୍ପ ଉପରେ । କଳକୁ ଆଖୁ ପରିମାଣ କମ ଆସିବାରୁ କମ୍ ଉତ୍ପାଦନ ହେଉଛି । ଫଳରେ ଲାଭ ବଦଳରେ କ୍ଷତି ସହୁଛି କଳ । ଧିରେ ଧିରେ ଏହି ସମସ୍ୟା ବଢିବାରୁ ଏବେ କୋଟି କୋଟି ଟଙ୍କା କରଜରେ ବୁଡି ରହିଛି କଳ । ଅଦ୍ୟାବଧି କରଜ ୨୨ କୋଟି ଟଙ୍କା ରହିଥିବା ବେଳେ ତାହାକୁ ହିସାବ କରି ପ୍ରତେକ ମାସରେ ରଣ ବାବଦକୁ ୫୦ ଲକ୍ଷ ଟଙ୍କା ରଣ ପାଇଁ EMI ପରିଶୋଧ କରାଯାଉଛି ।
ଚିନି ଶିଳ୍ପ କ୍ଷତି ସହିବାର ଏସବୁ ପ୍ରମୁଖ କାରଣ:
- ଆଖୁ ଚାଷ ପ୍ରତି ବିମୁଖ
- ଚାଷୀଙ୍କୁ ମିଳୁନି ସବସିଡି ତଥା ପ୍ରୋତ୍ସାହନ ରାଶି
- ଧାନ ଚାଷୀଙ୍କୁ ସବସିଡି ମିଳୁଛି, ଆଖୁ ଚାଷୀଙ୍କୁ ନୁହେଁ
- ବର୍ଷର 10 ମାସ ସମୟ ଆଖୁ ଚାଷ ପାଇଁ ଦେବାକୁ ପଡୁଛି
- ବଣୁଆ ଜନ୍ତୁ ନଷ୍ଟ କରୁଛନ୍ତି ଆଖୁ ଫସଲ
- ଆଖୁ ଉତ୍ପାଦନ କମ ହେବାରୁ ଚିନି ଉପରେ ପଡୁଛି ପ୍ରଭାବ
ଆସିକା ସମବାୟ ଚିନି ଶିଳ୍ପର ରଣ:
ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନି ଶିଳ୍ପର ବିକାଶ ପାଇଁ ସୁଗାର ଡେଭଲପମେଣ୍ଟ ଫଣ୍ଡରୁ ଯେଉଁ ରଣ ଅଣାଯାଇଥିଲା ତାହାର ବକେୟା ଅଦ୍ୟାବଧି ୨୨ କୋଟି ଟଙ୍କା ରହିଥିବା ବେଳେ ତାହାକୁ ହିସାବ କରି ପ୍ରତେକ ମାସରେ ରଣ ବାବଦକୁ ୫୦ ଲକ୍ଷ ଟଙ୍କା ରଣ ପାଇଁ ଇ.ଏମ୍.ଆଇ(EMI) ପରିଶୋଧ କରାଯାଉଥିବା କହିଛନ୍ତି ପରିଚାଳନା ନିର୍ଦ୍ଦେଶକ ଡ.ସୁଶାନ୍ତ କୁମାର ପଣ୍ଡା । ଯାହା ଆସିକା ସମବାୟ ଚିନି ଶିଳ୍ପ ପାଇଁ ଏକ ବଡ ବୋଝ । ଯାହାକୁ ନେଇ ସରକାରଙ୍କ ନିକଟରେ ଅନ୍ୟ ରାଜ୍ୟମାନଙ୍କ ଭଳି ଆମ ରାଜ୍ୟରେ ମଧ୍ୟ ତାହାକୁ ଛାଡ କରାଯିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏପରିକି ଆସିକା ସମବାୟ ଚିନି ଶିଳ୍ପର ଜଳକର ବକେୟା ୪୨ କୋଟି ଟଙ୍କା ରହିଥିବା ବେଳେ ଅବକାରୀ ବକେୟା ୮ କୋଟି ରହିଥିବା ଯୋଗୁଁ ଏହାକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଛାଡ କରିବାକୁ ପ୍ରସ୍ତାବ ଉପସ୍ଥାପନା କରାଯାଇଛି ।
କର୍ମଚାରୀଙ୍କୁ ନିୟମିତ ମିଳୁନି ଦରମା:
ଗତ କିଛି ବର୍ଷ ମଧ୍ୟରେ ଯେପରି ବକେୟା ଓ ରଣ ଭାରରେ ବୁଡି ରହିଛି ଆସିକା ସମବାୟ ଚିନି ଶିଳ୍ପ, ତାହାକୁ ନେଇ ଏଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିୟମିତ ଏବଂ ସଠିକ୍ ସମୟରେ ଦରମା ଦିଆଯାଇ ପାରୁନାହିଁ । ଏଠାରେ ବର୍ଷ ତମାମ ପ୍ରାୟ ପାଞ୍ଚ ଶହ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ କରିବାରେ ନାନା ସମସ୍ୟା ଦେଖାଦେଉଛି । ଏଠାରେ ନିୟମିତ କର୍ମଚାରୀଙ୍କଠାରୁ ଆରମ୍ଭ କରି ଆଉର୍ଟସୋର୍ସ, ସିଜନାଲ ଏବଂ ବିଭିନ୍ନ କ୍ୟାଡର ଭାବେ ଏଠାରେ କାର୍ଯ୍ୟରତ ରହିଥିବା ବେଳେ ସେମାନଙ୍କୁ ଦରମା ଦେବାରେ ଅର୍ଥର ଅଭାବ ରହିଥିବା କୁହାଯାଇଛି ।
ଆଖୁ ଚାଷୀଙ୍କ ବେଦନା :
ଆଖୁଚାଷୀ ବିଶେଶ୍ବର ପ୍ରଧାନ କହିଛନ୍ତି, ‘ଗୋଟିଏ ପଟେ ବନ୍ୟଜନ୍ତୁଙ୍କ ଉପଦ୍ରବ ସହିତ ନିୟମିତ ଭାବରେ ଆଖୁଚାଷୀଙ୍କ ପାଇଁ ଆବଶ୍ୟକ ରହିଥିବା ଶ୍ରମିକଙ୍କ ଅଭାବ ସହିତ ଚାଷୀଙ୍କୁ ସଠିକ୍ ଭାବରେ ମୂଲ୍ୟ ମିଳୁନି । ପୂର୍ବରୁ ଯେଉଁ ସାର ଓ ପିଡ଼ିଆ ଯୋଗାଇ ଦିଆଯାଉଥିଲା ତାହାକୁ ବର୍ତ୍ତମାନ ଆଉ କରାଯାଉ ନାହିଁ । ଧାନର ମୂଲ୍ୟ ସହିତ ଆଖୁ ଚାଷର ମୂଲ୍ୟ ମିଳିପାରୁନାହିଁ । ଏଣୁ ଚାଷୀ ବଞ୍ଚିଲେ ଶିଳ୍ପ ବଞ୍ଚିବ । ଏଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ ।’
ପୁନରୁଦ୍ଧାର ପାଇଁ ଆଗେଇ ଆସିଲେ ମୋହନ ମାଝୀ ସରକାର:
ଋଗ୍ଣ ଅବସ୍ଥାକୁ ଚାଲି ଆସିଥିବା ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଏହି ସମବାୟ ଶିଳ୍ପର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ସହ ସମସ୍ୟା ଓ ଭବିଷ୍ୟତରେ କିପରି ଉନ୍ନତି କରାଯିବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଆଖୁ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ବର ସହ ନେଇଛନ୍ତି ମୋହନ ସରକାର ।
ରାଜ୍ୟ ସରକାରଙ୍କୁ କଣ କଣ ପ୍ରସ୍ତାବ ଦିଆଯାଇଛି ?
ଆଖୁ ଶିଳ୍ପର ବିକାଶ ଓ ଅଧିକ କର୍ମ ନିଯୁକ୍ତି ପାଇଁ ପ୍ରସ୍ତାବ:
ଆସିକା ସମବାୟ ଚିନି ଶିଳ୍ପର ବିକାଶ ସହିତ ଅଧିକରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି ପାଇଁ ସରକାରଙ୍କ ନିକଟରେ ରଖାଯାଇଛି ପ୍ରସ୍ତାବ । ଯାହାକି ଆସିକା ସମବାୟ ଚିନି ଶିଳ୍ପ ମଧ୍ୟରେ ଇଥାନାଲ ପ୍ଲାଣ୍ଟର ପ୍ରତିଷ୍ଠା କରାଯିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି । ଯାହାକି ଏହାକୁ ପ୍ରତିଷ୍ଠା କରିବା ପାଇଁ ପାଖାପାଖି ଦୁଇ ଶହ କୋଟି ଟଙ୍କା ଅଟକଳ ରହିବ । ଏହା ସହ ଅନ୍ୟ ଏକ ବୋତଲ ପ୍ଲାଣ୍ଟ (ବଟଲିଂ ପ୍ଲାଣ୍ଟ) ସହିତ କାର୍ଡ ବୋର୍ଡ ପ୍ଲାଣ୍ଟ ଯଦି ସେଠାରେ ପ୍ରତିଷ୍ଠା କରାଯାଏ ତାହା ହେଲେ ଏହା ଆସିକା ସମବାୟ ଚିନି ଶିଳ୍ପ ପାଇଁ ସହାୟକ ହେବା ସହିତ ଗଞ୍ଜାମ ଜିଲ୍ଲାରେ ଅଧିକରୁ ଅଧିକ ନୂତନ କର୍ମନିଯୁକ୍ତି କ୍ଷେତ୍ରରେ ଏହା ସହାୟକ ହେବ ବୋଲି କୁହାଯାଇଛି ।
ପୁରୁଣା ଯନ୍ତ୍ରାଂଶର ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ପ୍ରସ୍ତାବ:
ଆସିକା ସମବାୟ ଚିନି ଶିଳ୍ପର ବିକାଶ ପାଇଁ ରାଜ୍ୟର ମୋହନ ମାଝୀ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏଠାକାର ରହିଥିବା ପୁରୁଣା ଯନ୍ତ୍ରାଂଶ ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଛି ।
ଆଖୁ ଚାଷୀଙ୍କ ଆଗ୍ରହ ରହିଛି ସରକାରଙ୍କ ପକ୍ଷରୁ ସବସିଡି ମିଳିବ:
ଏନେଇଆସିକା ସମବାୟ ଚିନି ଶିଳ୍ପର ସଭାପତି ରବୀନ୍ଦ୍ର କୁମାର ପଣ୍ଡାକହିଛନ୍ତି, ‘ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷ କରି ଆସୁଥିବା ଚାଷୀ ମାନଙ୍କ ପକ୍ଷରୁ ବର୍ତ୍ତମାନ ବଜାରର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସବସିଡି ତଥା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ବୋଲି ଆଶା । ଇତିମଧ୍ୟରେ ରାଜ୍ୟର ଧାନ ଚାଷୀ ମାନଙ୍କର ଦାବିକୁ ଦୃଷ୍ଟିରେ ରଖି ସବସିଡି ଅର୍ଥ ମିଶାଯାଇ ୩୧ ଶହ ଟଙ୍କା ପ୍ରଦାନ କରିବାକୁ ସ୍ଥିର କରାଯାଇଥିବା ବେଳେ ଏଭଳି ସ୍ଥିତିରେ ଆଖୁ ଚାଷୀଙ୍କ ଆଗ୍ରହ ରହିଛି ସରକାରଙ୍କ ପକ୍ଷରୁ ସେମାନଙ୍କୁ କିଛି ସବସିଡି ମିଳିବ । ସେପଟେ ଧାନ ଚାଷୀମାନେ ସେମାନଙ୍କ ଚାଷ ପାଇଁ ତିନିରୁ ଚାରି ମାସ କାର୍ଯ୍ୟ କରୁଥିବା ବେଳେ ଆଖୁଚାଷୀଙ୍କ ପକ୍ଷରେ ଏହା ପ୍ରାୟ ଦଶ ମାସ ଧରି ଉଦ୍ୟମ ଜାରି ରହିଥାଏ ।