ଭୁବନେଶ୍ବର:ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏପଟେ ରାଜ୍ୟରେ ଜଙ୍ଗଲ ନିଆଁ ବନ ବିଭାଗକୁ ଚିନ୍ତାରେ ପକାଇଥିବା ବେଳେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବନ ବିଭାଗ ତ୍ୱରିତ ପଦକ୍ଷେପ ଏବଂ ସମସ୍ତ ବ୍ୟବସ୍ଥା ଯୋଗୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଯଦିଓ ରଜ୍ୟରେ ଜଙ୍ଗଲ ନିଆଁ କମ୍ ରହିଛି କିନ୍ତୁ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା ।
ତେବେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ)ର ତଥ୍ୟା ଅନୁସାରେ, ସାରା ଦେଶରେ ସୋମବାର ୧୫୩ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବା ବେଳେ ଓଡ଼ିଶାରେ ସର୍ବାଧିକ ୨୧ଟି ସ୍ଥାନରେ ଲାଗିଛି । ସେହିପରି ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୨ ତାରିଖରୁ ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି । ତେବେ ଗତବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ କମ୍ ରହିଛି । ଏଫ୍ଏସ୍ଆଇର ଗତ ୫ ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ମଧ୍ୟ କମ୍ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି ।
୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ୨ ହଜାର ୮୬୧, ୨୦୨୨ରେ ୩୧୯ ଓ ୨୦୨୩ରେ ୧ ହଜାର ୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଥିଲା । ତେବେ ଶିମିଳିପାଳରେ ଗତକାଲି ସୁଦ୍ଧା ୧୬ଟି ପଏଣ୍ଟରେ ନିଆଁ ଲାଗିଛି । ଯାହା ରାଜ୍ୟରେ ସମସ୍ତ ଜଙ୍ଗଲ ଅପେକ୍ଷା ଶିମିଳିପାଳରେ ଅଧିକ ରହିଛି ।
ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି, "ରାଜ୍ୟରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁତ କମ ଜଙ୍ଗଲରେ ନିଆଁ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ନିଆଁ କମ ରହିଛି । ଯଦି କୌଣସି ଜଙ୍ଗଲରେ ନିଆଁ ଲାଗେ ତେବେ ତୁରନ୍ତ ଭାବରେ ବନ କର୍ମଚାରୀ ଏବଂ ଓଡରାଫ୍ ଟିମ ନିଆଁକୁ ଆୟତ୍ତ କରୁଛନ୍ତି । ଏହାସହ ଯେଉଁ ଭଳି ଭାବରେ ଉତ୍ତରାଖଣ୍ଡରେ ନିଆଁ ଲାଗିଛି ସେହି ତୁଳନାରେ ଓଡ଼ିଶା ଜଙ୍ଗଲରେ ନିଆଁ ଲାଗିନାହିଁ । ଆଗକୁ ମେ' ମାସ ରହିଥିବା ବେଳେ ଆହୁରି ଖରା ଅଧିକା ହେବାର ସମ୍ଭାବନା ରହିଛି । ତେଣୁ ସେନେଇ ଆମେ ପ୍ରସ୍ତୁତ ରହିଛୁ । ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକଙ୍କୁ ସଚେତନତା କରାଯାଉଛି । ଏହାସହ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।"