ରାୟଗଡ଼ା:ଦାଉ ସାଧୁଛି ଜଳ ସଙ୍କଟ । ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ଜଳ ଅଭାବ ପାଲଟିଛି ଚିନ୍ତାର କାରଣ । ଏହିଭଳି ଅଭିଯୋଗ ରାୟଗଡ଼ା ଜିଲ୍ଲା ଅର୍ପଣ ଗାଁରୁ ଆସିଛି । ସେହି ଗାଁରେ ଜଳ ଯନ୍ତ୍ରଣା ମେଣ୍ଟାଇବା ପାଇଁ ଲୋକ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଯାହାର ସମାଧାନ ପାଇଁ ଗତକାଲି(ଗୁରୁବାର) ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ । ସେମାନେ ନଳକୂପ ମରାମତି ସହିତ ଆଉ ଏକ ନଳକୂପ ଖୋଳିବା ପାଇଁ ଲିଖିତ ଦାବି କରିଛନ୍ତି ।
ଗ୍ରୀଷ୍ମର ପ୍ରକୋପ ବଢ଼ିବା ସହ ରାୟଗଡ଼ା ଜିଲ୍ଲାରେ ଦେଖା ଦେଇଛି ଜଳ ଅଭାବ । ପ୍ରଚଣ୍ଡ ଖରାରେ ନଈ, ନାଳ ସବୁ ଶୁଖିବାକୁ ବସିଛି । ନଳକୂପ ଗୁଡ଼ିକରୁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳୁ ନଥିବାରୁ ଡହଳ ବିକଳ ହେଉଛନ୍ତି ଅର୍ପଣ ଗ୍ରାମବାସୀ । ଏହି ପିଇବା ପାଣି ସମସ୍ୟା ନେଇ ଗ୍ରାମର ୩୦ରୁ ଅଧିକ ମହିଳା ରାୟଗଡା ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ଯାଇଥିଲେ । ଜିଲ୍ଲାପାଳ ବ୍ୟସ୍ତ ଥିବାରୁ ସେମାନେ ଅତିରିକ୍ତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅର୍ପଣ ଗାଁରେ ୬୩ ପରିବାର ବସବାସ କରୁଛନ୍ତି । ୩୫୦ରୁ ଅଧିକ ଜନ ସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ୫ଟି ନଳକୂପ ଏବଂ ଗୋଟାଏ ସୋଲାର ଚାଳିତ ନଳକୂପ ରହିଛି । ସୋଲାର ଚଳିତ ନଳକୂପ ବହୁଦିନ ହେଲା ଅଚଳ ହୋଇଛି । ନଳକୂପର ପାଣି ଗ୍ରାମବାସୀଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବାରେ ବିଫଳ ବୋଲି ଗ୍ରାମର ମହିଳାମାନେ କହିଛନ୍ତି । ଖରାଦିନେ ଅନ୍ୟ ୫ଟି ନଳକୂପର ଜଳସ୍ତର ଶୁଖାଯିବା କାରଣରୁ ଗାଁରେ ଜଳ ସଙ୍କଟ ବଢ଼ିବାରେ ଲାଗିଛି ।