ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଧିକାରୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ଭୟ ସୃଷ୍ଟି କରିଛି । ପୂର୍ବରୁ ଅନେକ ସମୟରେ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିଲେ ମଧ୍ୟ ଅଧିକାରୀଙ୍କ ଉପରେ ଏଭଳି ସଶସ୍ତ୍ର ଆକ୍ରମଣ ସମ୍ଭବତଃ ପ୍ରଥମ ବୋଲି କୁହାଯାଉଛି । ଏହି ଘଟଣାରେ ବନ ବିଭାଗକୁ ଶକ୍ତ ଧକ୍କା ଲାଗିଛି । ମଙ୍ଗଳବାର ସକାଳେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ନନ୍ଦନକାନନ ଯାଇ ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି । ତାଙ୍କ ପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ପହଞ୍ଚି ଜରୁରୀକାଳୀନ ଭାବେ ଅନୁଧ୍ୟାନ କରିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି । ନନ୍ଦନକାନନ ସୁରକ୍ଷା ପାଇଁ ଆଗକୁ ବହୁ ପଦକ୍ଷେପ ନିଆଯାଉଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ସୁରକ୍ଷା ଦୃଷ୍ଟିରୁ ଚିଡ଼ିଆଖାନା ଭିତର ରାସ୍ତା ଖୁବଶୀଘ୍ର ବନ୍ଦ କରାଯିବ । ଏହା ସ୍ଥାନୀୟ ଅଧିବାସୀଙ୍କ ସହଯୋଗରେ ହେବ । କର୍ମଚାରୀମାନଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଯୋଗଇ ଦିଆଯିବ । ଏକ୍ସ ସର୍ଭିସମ୍ୟାନମାନଙ୍କୁ ଆଗରୁ ମୁତୟନ କରାଯାଉଥିଲା । ଆଗକୁ ବନ୍ଧୁକଧାରୀ ସୁରକ୍ଷାକର୍ମୀ ମୁତୟନ ହେବା ନେଇ ପଦକ୍ଷେପ ନିଆଯାଉଛି । ଏହାସହ ପାରାମିଲିଟାରୀ ସେନାକୁ (ସିଆଇଏସ୍ଏଫ୍ଙ୍କ ଭଳି) ନନ୍ଦନକାନନ ସୁରକ୍ଷା ଦାୟିତ୍ୱ ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସେପଟେ ଏହି ଘଟଣାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ସୋମବାର ନନ୍ଦନକାନନ ବନ୍ଦ ଥିବାବେଳେ ମାରଣାସ୍ତ୍ର ଧରି ଦୁଇ ଯୁବକ ପଶିବା ବେଳେ ସୁରକ୍ଷାକର୍ମୀ କାହିଁକି ଅଟକାଇଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଦୁଇ ଯୁବକ ଏସିଏଫ ସୁଦୀପ୍ତ ପଣ୍ଡାଙ୍କୁ ଖୋଜୁଥିଲେ । ସେ ସିଧା ଚିଡ଼ିଆଖାନାର ଭେଟେରିନାରୀ ହସ୍ପିଟାଲର ଭିତରେ ପଶି ଡା. ଶରତ ସାହୁଙ୍କ ବେକରେ କଟୁରୀ ଲଗେଇଥିଲେ । ସେ ଏସିଏଫ ସୁଦୀପ୍ତ ପଣ୍ଡା ନୁହେଁ ବୋଲି ଜାଣିବା ପରେ ସେଠାରୁ ଉପନିର୍ଦ୍ଦେଶକଙ୍କ ଅଫିସକୁ ଯାଇଥିବା କଥା ଶୁଣିବାକୁ ମିଳୁଛି । ନିକଟରେ ବନ୍ୟଜନ୍ତୁ ଛୁଆଙ୍କ ଲାଳନପାଳନ କରିବାରେ ଅବହେଳା ଯୋଗୁଁ ଗୋଟିଏ ଛୁଆ ମୃତ୍ୟୁ ଘଟିଥିଲା । ଏଥିପାଇଁ ଦାୟିତ୍ୱରେ ଥିବା ଯୁବକକୁ କାର୍ଯ୍ୟରୁ ବାହାର କରାଯାଇଥିଲା । ଯାହାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।