କଟକ:ରାଜ୍ୟର ସର୍ବବୃହତ୍ତ ସରକାରୀ ହସ୍ପିଟାଲ ‘ଏସସିବି’ ମେଡ଼ିକାଲରେ ବିକ୍ରି ହେଉଛି ରକ୍ତ । ଟଙ୍କା ନଦେଲେ ରକ୍ତ ମିଳୁନି । ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟ ବ୍ଲଡ଼ବ୍ୟାଙ୍କ ଗଲେ ହଟହଟା ହେବାକୁ ବାଧ୍ୟ ହେଉଛନ୍ତି । ଏପରି କିଛି ଅଭିଯୋଗ ଏବେ ରାଜ୍ୟରେ ସ୍ବାସ୍ଥ୍ୟସେବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ମହିଳାଙ୍କୁ ରକ୍ତ ପାଇଁ ହସ୍ପିଟାଲର କର୍ମଚାରୀ 3 ହଜାର ଟଙ୍କା ମାଗିଥିବା ଅଭିଯୋଗ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି । ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ‘ଏସସିବି’ କୁଳସଚିବ । ତଦନ୍ତ ରିପୋର୍ଟ ଆସିବା ପରେ ଅଭିଯୋଗର ସତ୍ୟତା ଜଣାପଡିବ ଓ ଯଦି ଏପରି ହୋଇଥାଏ, ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ହସ୍ପିଟାଲ କୁଳସଚିବ କହିଛନ୍ତି ।
ଅଭିଯୋଗ ଅନୁସାରେ, ସମ୍ବଲପୁର ଚକଳିଆବାହାଳ ଅଞ୍ଚଳର ଦୁର୍ଯ୍ୟୋଧନ ଖାରସେଲଙ୍କ ଝିଅ ସୁନିତା ଖାରସେଲଙ୍କୁ ସମ୍ବଲପୁର ମେଡ଼ିକାଲରୁ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ସୁନିତାଙ୍କୁ ପ୍ରଥମେ ଆଶୁଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ହେମାଟୋଲୋଜି ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୁନିତାଙ୍କୁ ଦୈନିକ ତିନୋଟି ଲେଖାଏଁ ରକ୍ତ ନେବା ଆବଶ୍ୟକତା ରହିଛି । ରକ୍ତ ପାଇଁ ‘ଏସସିବି’ ରକ୍ତଭଣ୍ଡାରକୁ ସୁନିତାଙ୍କ ବାପା ଯାଇଥିବାବେଳେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ରକ୍ତଦାତା ଖୋଜି ଦେବେ କହି ୩ ହଜାର ଟଙ୍କା ମାଗିଥିଲେ । ବାଧ୍ୟ ହୋଇ ଦୁର୍ଯ୍ୟୋଧନ ଟଙ୍କା ମଧ୍ୟ ଦେଇଥିଲେ । ତେବେ ଘଟଣା ସମ୍ପର୍କରେ ସେ ବାହାରେ ପ୍ରକାଶ କରିବା ପରେ ‘ଏସସିବି’ର ସ୍ବାସ୍ଥ୍ୟସେବା ଏବେ ପ୍ରଶ୍ନଘେରକୁ ଟାଣି ହୋଇଯାଇଛି ।