ଅନୁଗୋଳ:ଧାନର ‘FAQ’ ମାନକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ । ଯାହାକୁ ନେଇ ମଣ୍ଡିରେ ପଡିରହୁଛି ଧାନ । ଏଭଳି ଏକ ଅଭିଯୋଗ ଆସିଛି ଅନୁଗୋଳ ବ୍ଲକ ଖଲାରୀ କୃଷି ସମବାୟ ସମିତିରେ । ‘FAQ’ ମାନର ଧାନ ନହେଲେ ମିଲର ଧାନ ଉଠାଉ ନଥିବା ବେଳେ FAQ ମାନର ଧାନ ନହେଲେ ୫ପ୍ରତିଶତ କାଟିବାକୁ କହୁଛି । ଯାହାକୁ ନେଇ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ।
- କଟନୀ- ଛଟନୀ ନେଇ ଅସନ୍ତୋଷ ଚାଷୀ:
ଧାନର FAQ ମାନକୁ ନେଇ ଚାଷୀ ଓ ମିଲର ମଧ୍ୟରେ କଥା କଟାକଟି । ମଣ୍ଡିରେ ଧାନ ନଦେଇ ଅସନ୍ତୋଷ ପ୍ରକାଶ କରି ଚାଷୀ ଫେରିଯାଇଛନ୍ତି । ଅଭିଯୋଗ ଅନୁଯାୟୀ, ଧାନର ‘FAQ’ମାନ ଯାଞ୍ଚ ନେଇ ୫ ପ୍ରତିଶତ ଧାନ କାଟିବାକୁ ମିଲର କହିଥିବା ବେଳେ ଏହାକୁ ଚାଷୀମାନେ ବିରୋଧ କରିଥିଲେ । ୫ ପ୍ରତିଶତ ବଦଳରେ ୪ ପ୍ରତିଶତ କାଟିବାରେ ରାଜି ହୋଇଥିଲେ ମଧ୍ୟ ମିଲର ଏଥିରେ ରାଜି ହୋଇନଥିଲା । ଯାହାକୁ ନେଇ ମିଲର ଏବଂ ଚାଷୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଚାଷୀମାନେ ମଣ୍ଡିରେ ଧାନ ନଦେଇ ଫେରିଯାଇଥିଲେ ।
- ମିଲର ଚାଷୀ ମଧ୍ୟରେ ବିବାଦ
ଏନେଇ ନିତ୍ୟାନନ୍ଦ ଦେହୁରୀ ନାମକ ଚାଷୀ କହିଛନ୍ତି," ମିଲର କହୁଛନ୍ତି ଧାନ ୫ପ୍ରତିଶତ କାଟିଲେ ନେବାପାଇଁ କିନ୍ତୁ ଚାଷୀମାନେ ୪ ପ୍ରତିଶତ ଧାନ କାଟିବାକୁ କହିଥିଲେ । ଏହାକୁ କିନ୍ତୁ ମିଲର ରାଜି ହେଲେ ନାହିଁ । ଯେଉଁଥିପାଇଁ ଧାନ ଉଠିପାରିଲା ନାହିଁ । ସରକାର ଧାନ କଟନି ଛଟନୀ ପାଇଁ ମନା କରିଛନ୍ତି । କିନ୍ତୁ ମିଲର ପାଇଁ ଆମେ ୪ ପ୍ରତିଶତ ଧାନ କାଟିବାକୁ ରାଜି ହୋଇଥିଲୁ । କିନ୍ତୁ ମିଲର କହୁଛନ୍ତି ୫ ପ୍ରତିଶତ ନହେଲେ ଧାନ ନେବୁନାହିଁ ।" ସେହିପରି ଛେଳିଆପଡା ସରପଞ୍ଚ କହିଛନ୍ତି,"ଧାନ FAQ ମାନ ଠିକ୍ ରହିଥିଲେ ବି କେବଳ ଧାନରେ ଧୂଳି ରହିବା ଯୋଗୁଁ ରଙ୍ଗ ଖରାପ ଦେଖାଗଲେ ସେ ଧାନ ନେବା ପାଇଁ ମିଲର ରାଜି ହେଉନି । ଧାନ ୪ ପ୍ରତିଶତ କାଟିବାକୁ ଚାଷୀ ରାଜି ହେଲେ ବି ମିଲର ମନମୁଖୀ ଦେଖାଇ ଧାନ ଉଠାଇବାକୁ ମନା କରିଦେଉଛି । ସରକାର ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଆମେ ଦାବି କରୁଛୁ ।"
ଏହାମଧ୍ୟ ପଢନ୍ତୁ... ଚାଷୀଙ୍କଠୁ କେତେ ଧାନ କିଣିଛନ୍ତି ସରକାର ? ବଡ଼ କଥା କହିଲେ ଯୋଗାଣ ମନ୍ତ୍ରୀ |