ଓଡିଶା

odisha

ETV Bharat / state

୭ BJD ରାଜ୍ୟସଭା ସାଂସଦଙ୍କ ଦମ୍ଭୋକ୍ତି 'ଆମେ ନବୀନଙ୍କ ସହ ଅଛୁ, ଛାଡିବୁନି ଦଳ’ - BJD RAJYA SABHA MPS

ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଏକତାର ଦମ୍ଭ ଦେଖାଇଲେ BJDର ୭ ରାଜ୍ୟସଭା ସାଂସଦ । କହିଲେ 'ନବୀନ ଧ୍ରୁବତାରା, ଆମେ ସପ୍ତର୍ଷି ମଣ୍ଡଳ' ।

‘ଆମେ ନବୀନଙ୍କ ସାଙ୍ଗରେ ଅଛୁ, କୌଣସି ସ୍ଥିତିରେ ଦଳ ଛାଡିବୁନାହିଁ’ -BJD MPs Press meet
‘ଆମେ ନବୀନଙ୍କ ସାଙ୍ଗରେ ଅଛୁ, କୌଣସି ସ୍ଥିତିରେ ଦଳ ଛାଡିବୁନାହିଁ’ -BJD MPs Press meet (ETV Bharat Odisha)

By ETV Bharat Odisha Team

Published : Dec 18, 2024, 8:03 AM IST

Updated : Dec 18, 2024, 9:25 AM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ‘ବିଜେଡି’ର ଦୁଇ ଜଣ ସାଂସଦ ଦଳ ଛାଡି ‘ବିଜେପି’ରେ ସାମିଲ ହୋଇଛନ୍ତି । ବିଜେଡିର ଆଉ କିଛି ସାଂସଦ ‘ବିଜେପି’ ସହ ଯୋଗାଯୋଗରେ ଥିବା ଦଳ ଛାଡିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ଲାଗି ରହିଛି । ଯାହାକୁ ନେଇ ଗତ କିଛି ଦିନ ହେବ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏନେଇ ଗତକାଲି (ମଙ୍ଗଳବାର) ବିଜେଡିର ସମସ୍ତ 7 ରାଜ୍ୟସଭା ସାଂସଦ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧ୍ରୁବ ତାରା ବୋଲି କହିବା ସହ ସେମାନେ ସପ୍ତର୍ଷି ମଣ୍ଡଳ ବୋଲି କହିଛନ୍ତି ।

  • ଏମିତି ଚର୍ଚ୍ଚା ଆମକୁ ମର୍ମାହତ କରୁଛି : ମାନସ

ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି, "ସାଢେ 4 କୋଟି ଓଡ଼ିଆଙ୍କୁ ଆମେ ରାଜ୍ୟସଭାରେ ପ୍ରତିନିଧିତ୍ଵ କରୁଛୁ । ଗତ କିଛିଦିନ ହେବ ଆମର ଚରିତ୍ର ସଂହାର କରିବା ଭଳି ଖବର ପରିବେଷଣ ହେଉଛି । ବିଜେଡି ଛାଡି ବିଜେପି ପାଖରେ ସାମିଲ ହେବୁ, ବିଜେପି ପାଖରେ ବିକ୍ରୀ ହେବା ନେଇ ଆମ ଫଟୋକୁ ବିକୃତ କରି ଖବର ଦେଖାଯାଉଛି । ଏହା ଆମକୁ ମର୍ମାହତ କରୁଛି । ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ବେଳେ ଏଭଳି ମିଥ୍ୟା ଓ କପୋଳକଳ୍ପିତ ଖବର ଆମ ମନକୁ ଆନ୍ଦୋଳିତ କରୁଛି । ରାଜ୍ୟରେ ଥିବା ଦଳର କର୍ମ, ସମ୍ପର୍କୀୟ, ବନ୍ଧୁ ଓ ପରିବାର ବର୍ଗ ଆଘାତ ପାଉଛନ୍ତି । ଗତ ସପ୍ତାହରେ ବିଜେଡ଼ିର 5 ସାଂସଦ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସହ ରାଜ୍ୟ ସଂପର୍କିତ କିଛି ପ୍ରସଙ୍ଗରେ ଆଲୋଚନା ପାଇଁ ଯାଇଥିଲୁ । ସେ ରାଜ୍ୟସଭା ଅଧ୍ୟକ୍ଷ ହୋଇଥିବାରୁ ଆମ ପରି ଅନେକ ଦଳର ସଦସ୍ୟ ତାଙ୍କୁ ଭେଟି ଆଲୋଚନା କରନ୍ତି । ଆମେ ଭେଟିବାର ଫଟୋ ପୋଷ୍ଟ କରିଥିଲୁ । ସେହି ଫଟୋକୁ ନେଇ ରାଜ୍ୟରେ ଆମକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହେଲା । ସ୍ପଷ୍ଟ କରୁଛୁ ଆମେ ଦଳର ସଭାପତି ନବୀନ ପଟ୍ଟନାୟକ ଓ ବିଜେଡି ସହିତ ଅଛୁ । ଶେଷ ପର୍ଯ୍ୟନ୍ତ ମଧ୍ୟ ଆମେ ତାଙ୍କ ସହିତ ରହିବୁ ।"

‘ଆମେ ନବୀନଙ୍କ ସାଙ୍ଗରେ ଅଛୁ, କୌଣସି ସ୍ଥିତିରେ ଦଳ ଛାଡିବୁନାହିଁ’ -BJD MPs Press meet (ETV Bharat Odisha)
  • ନବୀନଙ୍କ ସମ୍ମାନ ତଳେ ପକାଇବୁ ନାଇଁ: ଦେବାଶିଷ

ଦଳର ଅନ୍ୟତମ ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି,‘‘ତୃଣମୂଳ ସ୍ତରରୁ ଆମେ ରାଜନୀତିକୁ ଆସିଛୁ । ବିଜେଡ଼ିକୁ ଛାଡିବାର ନାହିଁ । ଆମେ ଆମ ନେତାଙ୍କୁ ତଳେ ପକେଇବାର ନାହିଁ । ବିଜେଡି ଛାଡି ଆମେ କେହି ଯିବୁନାହିଁ ବୋଲି ସ୍ପଷ୍ଟ କରୁଛୁ ।" ସେହିପରି ସାଂସଦ ମୁନ୍ନା ଖାଁ କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ସହ ଆମେ ଦୃଢ ଭାବେ ଛିଡା ହୋଇଛୁ । ବିଜୁ ବାବୁଙ୍କ ସମୟରୁ ମୁଁ ରାଜନୀତିକୁ ଆସିଛି । ଜନତା ଦଲରୁ ବିଜେଡି ସହ ମୋର ରାଜନୈତିକ ଯାତ୍ରା ଜାରୀ ରହିଛି । ବିଜୁ ବାବୁଙ୍କ ଜନତା ଦଳ ସହ ଆମେ ଅଛୁ । ନବୀନ ବାବୁଙ୍କୁ ଧୋକା ଦେବା ପ୍ରଶ୍ନ ଉଠୁନାହିଁ ।" ସେହିପରି ରାଜ୍ୟସଭାରେ ଦଳର ଏକମାତ୍ର ମହିଳା ସାଂସଦ ସୁଲତା ଦେଓ କହିଛନ୍ତି, "ଶିରୋନାସ୍ତି, ଶିରପୀଡା । ନଇଁ ନ ଦେଖୁଣୁ ଲଙ୍ଗଳା ହୋଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଜେଡି ସାଂସଦ ଦଳ ପରିବର୍ତ୍ତନ କରିଦେବା ଖବର ପ୍ରସାରଣ କରୁଛନ୍ତି । ଏ ଭଳି କାମ କରି ଆସୁରିକ ଆନନ୍ଦ ନିଅନ୍ତୁ ନାହିଁ । 7 ଜଣ ସାଂସଦ ବସି ସ୍ପଷ୍ଟୀକରଣ ଦେଉଛୁ । ଆମେ ନବୀନ ବାବୁଙ୍କ ସହ ରହିଛୁ ଏବଂ ରହିବୁ ।"

ପ୍ରମାଣ ଥିଲେ ସାମ୍ନାକୁ ଆଣନ୍ତୁ: ସସ୍ମିତ ପାତ୍ର

ବରିଷ୍ଠ ସାଂସଦ ସସ୍ମିତ ପାତ୍ରକହିଛନ୍ତି, "କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଅଛନ୍ତି, ଯିଏ ଚାହୁଁନାହାନ୍ତି ଓଡିଶାର ସ୍ୱର ବିଜେଡି ଦିଲ୍ଲୀରେ ଉଠାଉ । ଗତ 6 ମାସ ମଧ୍ୟରେ ବିଜେଡିର ସାଂସଦ ମାନେ ବିଭିନ୍ନ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦଙ୍କ ପ୍ରଶ୍ନ କାଟୁ କରୁଛି । ସେଇଟା ଓଡ଼ିଶାରେ ଥିବା ବିଜେପି ସରକାରକୁ ବାଧୁଛି । ବିଜେଡି ଛାଡିବା ନେଇ ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ ସତ ସାହସ ଥିଲେ ସାମ୍ନାକୁ ଆଣନ୍ତୁ ।"

ଏହା ମଧ୍ୟ ପଢନ୍ତୁ:- ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ - RATNA BHANDAR RESTORATION WORK

ଏହା ମଧ୍ୟ ପଢନ୍ତୁ;- ପୋଲାଭରମ ତାତି: ବିଜେଡି କହିଲା ମୋଟୁରୁ ଦିଲ୍ଲୀ ଲଢେଇ ହେବ, ଆଇନମନ୍ତ୍ରୀଙ୍କ ଜବାବ - POLAVARAM PROJECT POLITICS

Sujeet Kumar joins BJP: ମମତାଙ୍କ ପରେ ସୁଜିତ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବହିଷ୍କାର କଲେ ନବୀନ - BJD MP Sujeet Kumar resignation - BJD MP SUJEET KUMAR RESIGNATION

  • ଏମିତି କହିଲେ ନିରଞ୍ଜନ ଓ ଶୁଭାଶିଷ

ବିଜେଡି ସାଂସଦ ନିରଞ୍ଜନ ବିଶିକହିଛନ୍ତି, "ଆମେ 7 ଜଣ ସାଂସଦ ବିଜେଡିରେ ରହିବୁ । ଯେଉଁ ମନଗଢା ଖବର ପ୍ରସାରଣ ହେଉଛି, ତାକୁ ଆମେ ନିନ୍ଦା କରୁଛୁ । ରାଜ୍ୟସଭା ସାଂସଦଙ୍କ ବାବଦରେ ଖବର ପ୍ରସାରଣ କରିବା ପୂର୍ବରୁ ମତାମତ ନେବା ଦରକାର । ଦଳର ଯୁବ ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ଓଡ଼ିଶାର ସ୍ୱାର୍ଥ ପାଇଁ ନବୀନ ପଟ୍ଟନାୟକ ପଲ୍ଲୀରୁ ଆମକୁ ଦିଲ୍ଲୀ ପଠେଇଛନ୍ତି । ଓଡ଼ିଶାର ହକ ଓ ସ୍ୱାର୍ଥ ପାଇଁ ଲଢେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲାଭରମ ପ୍ରସଙ୍ଗରେ ଆମେ ଲଢେଇ କରୁଛୁ । ପୁରୀକୁ ଅନ୍ତର୍ଜାତୀୟ ବିମାନ ସଂଯୋଗ କରିବା ପାଇଁ ଆମେ ଦାବି କରିଆସୁଛୁ । ଓବିସି ଓ ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗ ଉଠାଇବା ସମୟରେ ଭୁଲ ଖବର ପରିବେଷଣ ଆମକୁ ମର୍ମାହତ କରିଛି । ମୁଁ ମୋ ନେତା ନବୀନ ପଟ୍ଟନାୟକଙ୍କ ପାଇଁ ଗର୍ବିତ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସହ ରହିବି ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 18, 2024, 9:25 AM IST

ABOUT THE AUTHOR

...view details