ଭୁବନେଶ୍ୱର:ସାଇବରଥାନାରେ ଦ୍ୱାରସ୍ଥ ହେଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ସୋସିଆଲ ମିଡ଼ିଆରେ ହେଉଥିବା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅପପ୍ରଚାର କରାଯାଉଥିବା ବେଳେ ବର୍ତ୍ତମାନ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମନୋଜ ମିଶ୍ର ଓ ତାଙ୍କ ପତ୍ନୀ ମମତା ନନ୍ଦ । ମନୋଜଙ୍କ ଦ୍ୱିତୀୟ ବିବାହ ପରେ ସୋସିଆଲ ମିଡିଆରେ ତାଙ୍କ ପରିବାରିକ, ବ୍ୟକ୍ତିଗତ ଏବଂ ବୈବାହିକ ଜୀବନୀକୁ ନେଇ ଅଶାଳୀନ ମନ୍ତବ୍ୟ ଦେବା ସହ ଗାଳିଗୁଲଜ କରାଯାଉଥିବା ଅଭିଯୋଗ କରିଛନ୍ତି ଅଭିନେତା । ଯାହାକୁ ନେଇ ସେ ଓ ତାଙ୍କ ସ୍ତ୍ରୀ କିଛି ୟୁଟ୍ୟୁବର ଓ ୱେବ ଚ୍ୟାନେଲ ସହ କିଛି ବ୍ୟକ୍ତି ବିଶେଷଙ୍କ ନାଁରେ ଏତଲା ଦେଇଛନ୍ତି ।
ୟେଲୋ ଜର୍ଣ୍ଣାଲିଷ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି:
" ସଠିକ ତଥ୍ୟ ନ ଜାଣି ଖବର ପ୍ରସାରଣ କରିବା ଯୋଗୁଁ ସମାଜରେ ତାଙ୍କ ପ୍ରତିଷ୍ଠା ଓ ସମ୍ମାନ ଖରାପ ହେବା ସହ ପୁରା ପରିବାର ମାନସିକ ଯନ୍ତ୍ରଣାରେ ଭୋଗୁଛନ୍ତି ।" ତେଣୁ ଏଭଳି ଖବର ପ୍ରସାରଣ ବନ୍ଦ କରିବାକୁ ମନୋଜ ମିଶ୍ର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଉଭୟ ପତି ଓ ପତ୍ନୀଙ୍କ କଥାକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାର ହେଉଛି ବୋଲି ଅଭିଯୋଗ କରିଛନ୍ତି ମନୋଜ । ସୋସିଆଲ ମିଡିଆ ବ୍ୟବହାର କରି ଯେଉଁମାନେ ତାଙ୍କ ସମ୍ମାନ ହାନି କରିଛନ୍ତି ଓ ଖବରର ସତ୍ୟତା ନ ଜାଣି ମିଛ ପ୍ରଚାର କରୁଥିବା ୟେଲୋ ଜର୍ଣ୍ଣାଲିଷ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ମନୋଜ ।
ମନୋଜ ମିଶ୍ର କହିଛନ୍ତି, ''ଆଇନର ଦାୟାରୀ ଭିତରେ ମୋର ଦ୍ୱିତୀୟ ବିବାହ ହୋଇଛି । ଏଥିରେ କିଛି ବେଆଇନ କଥା ନାହିଁ କି କାହାକୁ ମୁଁ ଠକି କି ବାହା ହୋଇନି । ମୋର ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବା ପରେ ହୋଇଛି । ଏହା ପରେ ବି କିଛି ୟୁଟୁବ ଚ୍ୟାନେଲ ଭାଷା ଲଗାଇ ମୋ ବିଷୟରେ କହୁଛନ୍ତି ମୋତେ ସମାଲୋଚନା କରୁଛନ୍ତି । ଏହାଦ୍ୱାରା କେବଳ ମୁଁ ନୁହେଁ ମୋ ମାଆ, ମୋ ପରିବାର, ମୋ ଶଶୂର ଘର ଲୋକେ ମାନସିକ ଆଘାତ ପାଉଛନ୍ତି । କୋର୍ଟର ନିଷ୍ପତ୍ତି ବିରୋଧରେ ଯାଇ ନିଜେ ଗୋଟେ ଗୋଟେ କୋର୍ଟ ହୋଇଯାଇ କପୋଳକଳ୍ପିତ ଖବର ପ୍ରସାରଣ କରିଛନ୍ତି । ଏହି ସବୁ ଖବରକୁ ନେଇ ସବୁଠୁ କଷ୍ଟରେ ଅଛି ମୋ ଝିଅ । ଏଥିପାଇଁ ଦାୟୀ କିଏ ହେବ ବୋଲି ପ୍ରଶ୍ନ କରିଛନ୍ତି । ଖାଲି ମୁଁ ନୁହେଁ ଆମ ସିନେମା ଶିଳ୍ପରେ ଏମିତି ଏକ ଚେହେରା ଏଭଳି ପରିସ୍ଥିତିକୁ ସାମ୍ନା କରୁଛନ୍ତି । ବିଶେଷ କରି କିଛି ସମାଜ ସୁଧାରକ ନିଜର ଅସ୍ତିତ୍ଵକୁ ଭୁଲି ଆମ ଉପରେ ଟିପଣି ଦେଉଛନ୍ତି । ତେଣୁ ଏଭଳି ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ।''
ଆଇନଜୀବୀଙ୍କ ପ୍ରତିକ୍ରିୟା
ସେହିପରି ତାଙ୍କ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର କହିଛନ୍ତି, ''ଯେଉଁମାନେ ମନୋଜ ମିଶ୍ର ଓ ତାଙ୍କ ପରିବାର ବିରୋଧରେ ସମ୍ମାନ ହାନି ଜନକ ଖବର ପ୍ରସାରଣ ଓ ଅଶାଳୀନ ଗାଳିଗୁଲଜ କରୁଛନ୍ତି ଆମେ ତାଙ୍କ ନାଁରେ ମାମଲା ରୁଜୁ କରିଛୁ । ଯେଉଁ ଆଇଡିରୁ ତାଙ୍କ ପାଖକୁ ମେସେଜ ଆସିଛି ବା ଯେଉଁମାନେ ବିନା ତଥ୍ୟରେ ଖବର ପ୍ରସାରଣ କରୁଛନ୍ତି ତାଙ୍କ ଆଇଡି ବନ୍ଦ କରିବା ସହ ଭିଡିଓକୁ ଡିଲିଟ କରିବାକୁ ପୋଲିସକୁ ଲିଖିତ ଭାବେ କହିଛୁ । ଆଉ ଯେଉଁମାନେ ବ୍ୟକ୍ତିଗତ ସ୍ତରରେ ଯାଇ ହଇରାଣ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ୟେଲୋ ଜର୍ଣ୍ଣାଲିଜମ କରି ଭିଡିଓ ଡିଲିଟ ପାଇଁ ଟଙ୍କା ବା ଲାଞ୍ଚ ମାଗୁଛନ୍ତି ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରିଛୁ ।