ପାରଳାଖେମୁଣ୍ଡି: ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କୁ ଏସିଡ ମାଡ ଘଟଣା । ଏହି ଘଟଣାକୁ ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରା ପଡିନାହାନ୍ତି । ତୁରନ୍ତ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ସହ ଘଟଣା ପଛର ରହସ୍ୟ ଉନ୍ମୋଚନ ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ପାରଳାଖେମୁଣ୍ଡି ଓକିଲ ସଂଘ । ଫଳରେ କୌଣସି କୋର୍ଟରେ କିଛି କାମ ହୋଇପାରିନଥବାରୁ ମହକିଲମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ଏବଂ ଅତିଶୀଘ୍ର ଅପରାଧୀ ଧରାପଡିବେ ବୋଲି ପୋଲିସ କହିଛି ।
ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ:
ଗତ ୯ ତାରିଖ (ଶନିବାର) ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ନିବାସୀ ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଘରେ ପଶି ୨ ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ ମାଡ କରି ଫେରାର ହୋଇଯାଇଥିଲେ । ଇତି ମଧ୍ୟରେ ଘଟଣାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଯାହାକୁ ନେଇ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସହରର ସାଧାରଣ ଜନତାଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଆଜି (ମଙ୍ଗଳବାର) ପାରଳାଖେମୁଣ୍ଡି ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଗଜପତି ଜିଲ୍ଲାରେ ଥିବା ୪ଟି ଯାକ ଓକିଲ ସଂଘ ଏଥିରେ ସହମତି ପ୍ରକାଶ କରିଛନ୍ତି । ଜିଲ୍ଲାର ସମସ୍ତ କୋର୍ଟରେ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ପ୍ରଭାବିତ ହେଇଛି। ଫଳରେ ମହକିଲମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅତିଶୀଘ୍ର ଅପରାଧୀଙ୍କୁ ଗିରଫ କରାନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଓକିଲ ସଂଘ ଚେତାବନୀ ଦେଇଛି ।
୩୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦାବି:
ସେହପରି ଏସିଡ ମାଡରେ ଗୁରୁତର ଥିବା ଆଇନଜୀବୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହ ୩୦ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ମଧ୍ୟ ସଂଘ ଦାବି କରିଛି । ରାଜ୍ୟ ଓକିଲ ସଂଘ ସମେତ ରାଜ୍ୟର ୧୫୨ଟି ଓକିଲ ସଙ୍ଘକୁ ଏ ସଂପର୍କରେ ଜଣାଯାଇ ସେମାନଙ୍କ ସହଯୋଗ ଲୋଡାଯାଇଛି । ଓକିଲ ସୁରକ୍ଷା ଆଇନ ଲାଗୁ ପାଇଁ ମଧ୍ୟ ଦାବି କରାଯାଇଛି । ସରକାର ଏସବୁ ପ୍ରତି ଯତ୍ନବାନ ହେବାକୁ ଓକିଲ ସଂଘ ଦାବି କରିଛନ୍ତି । ଏହି ଆନ୍ଦୋଳନରେ ପାରଳାଖେମୁଣ୍ଡି ଓକିଲ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ସେହିପରି ମୋହନା, ଆର.ଉଦୟଗିରି ଏବଂ କାଶୀନଗର ଆଦି ସ୍ଥାନରେ ମଧ୍ୟ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।